Odiapua.com

ଉତ୍ତରାଧିକାରୀ- ହାସ୍ୟସ୍ପଦ ଓ ବିଭ୍ରାନ୍ତିକର !

କିଛିଦିନ ତଳେ ସାମାଜିକ ଗଣମାଧ୍ୟମରେ ଗୋଟିଏ ରୋଚକ ଖବର ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିୟାନ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ। ଏହି ଖବରକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ସୁଜାତା କାର୍ତ୍ତିକେୟନଙ୍କ ସ୍ୱାମୀ ଭି.କାର୍ତ୍ତିକେୟନ ପାଣ୍ଡିୟାନ ହେଉଛନ୍ତି ରାଜ୍ୟ ସରକାରଙ୍କ ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ। ରାଜ୍ୟ ରାଜନୀତି ଓ ପ୍ରଶାସନିକ କାର୍ଯ୍ୟରେ ତାଙ୍କର ଦବ୍‌ଦବା ରହିଛି ଏହା ସତ୍ୟ। ତାଙ୍କର କାର୍ଯ୍ୟ ଦକ୍ଷତା ସକାଶେ ସେ ମୁଖ୍ୟମନ୍ତ୍ରୀଙ୍କର ଅତି ନିକଟତର। ରାଜ୍ୟର ଓ ବିଜୁ ଜନତା ଦଳର ପ୍ରଗତି ସକାଶେ ସେ ଅହରହ କାର୍ଯ୍ୟରତ। ସେ ମଧ୍ୟ ହୃଦୟଙ୍ଗମ କରିଛନ୍ତି ରାଜନୈତିକ ଉତ୍ତରାଧିକାରୀରେ କେବଳ ବଂଶବାଦ ହିଁ ଗ୍ରହଣୀୟ। ଓଡ଼ିଶାରେ ପୂର୍ବରୁ ଥରେ ମିଡ୍ ନାଇଟ୍ ଅପରେସନ ହୋଇ ସାରିଛି ଓ ତା’ର ପରିଣାମ କଣ ତାହା ସମସ୍ତଙ୍କୁ ଜଣା। ଦ୍ୱିତୀୟ ଉଦାହରଣ ତାମିଲନାଡୁରେ ଜୟଲଳିତାଙ୍କ କ୍ଷେତ୍ରରେ ଘଟି ସାରିଛି। ତେଣୁ ପାଣ୍ଡିୟାନ ଜଣେ ଦକ୍ଷ ଓ ସକାରାତ୍ମକ ପ୍ରଶାସନିକ ଅଧିକାରୀ। ଏପରି ଭୁଲ ନିଷ୍ପତି ସପକ୍ଷରେ ଯିବାର ପ୍ରଶ୍ନ ଉଠୁ ନାହିଁ। ତାଙ୍କୁ ବଦ୍‌ନାମ କରିବାର ଏହା ଗୋଟାଏ ରାଜନୈତିକ ଚାଲ ହୋଇ ଥାଇ ପାରେ।

ଓଡ଼ିଶାରେ ଶାସନ କରୁଥିବା ବିଜୁ ଜନତା ଦଳ ଗୋଟିଏ ଶକ୍ତିଶାଳୀ ଆଂଚଳିକ ଦଳର ମାନ୍ୟତା ପାଇ ସାରିଛି। ଦୀର୍ଘ ୨୨ବର୍ଷ ଧରି ଲଗାତାର ଏହା ଶାସନ ବ୍ୟବସ୍ଥାରେ ରହିଛି। ଏହାର ସୁପ୍ରିମୋ ନବୀନ ପଟ୍ଟନାୟକ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହି ଲଗାତାର ଶାସନ କରିବାର ସମସ୍ତ ରେକର୍ଡ ଭାଙ୍ଗି ସାରିଛନ୍ତି। ଓଡିଶାର ଦିବଙ୍ଗତ ନେତା ବିଜୁ ପଟ୍ଟନାୟକଙ୍କ ପୁତ୍ର ହେଉଛନ୍ତି ନବୀନ ପଟ୍ଟନାୟକ। ତାଙ୍କରି ଲୋକପ୍ରିୟତାକୁ ଆଧାର କରି ଦଳର ନାମ ବିଜୁ ଜନତା ଦଳ(ବିଜେଡି) ରଖାଯାଇଥିଲା। ଦଳ ଆଜି ଲୋକପ୍ରିୟତାର ଶୀର୍ଷରେ ପହଁଚିଛି ତାହା କେବଳ ବିଜୁ ପଟ୍ଟନାୟକଙ୍କ ନାମରେ। ଓଡିଶାବାସୀ ବିଜୁ ବାବୁଙ୍କୁ ଭଲ ପାଆନ୍ତି। ତେଣୁ ବିଜୁ ବାବୁଙ୍କ ଦେହାନ୍ତ ପରେ ରାଜ୍ୟବାସୀ ସହଜରେ ତାଙ୍କ ସୁପୁତ୍ର ନବୀନ ବାବୁଙ୍କୁ ଗ୍ରହଣ କରି ନେଇଥିଲେ। ଯାହା ଫଳରେ ରାଜ୍ୟବାସୀଙ୍କ ଭଲ ପାଇବାଟା ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତି ବଳବତ୍ତର ରହିଛି। ଭାରତ ବର୍ଷରେ ଯେତେ ଆଂଚଳିକ ଦଳ ସକ୍ରୀୟ ରହିଛି ତାହା କେବଳ ବଂଶଗତ ଅଂଶୀଦାର ସକାଶେ ତିଷ୍ଠି କରି ରହିଛି। ବିଜୁ ଜନତା ଦଳରେ ଏହାର ବ୍ୟତିକ୍ରମ ହେବାର ପ୍ରଶ୍ନ ହିଁ ଉଠୁ ନାହିଁ। (ପୂର୍ବରୁ ଏହା ଉପରେ ଆମେ ଖବର ପ୍ରକାଶିତ କରି ସାରିଛୁ)। ହଁ ଏହା ମଧ୍ୟ ସତ୍ୟ ଯେ, ନବୀନ ପଟ୍ଟନାୟକ ଅବିବାହିତ। ମାତ୍ର ତାଙ୍କର ଉତ୍ତରାଧିକାରୀ ଭାବରେ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ଅଛନ୍ତି। ତାଙ୍କ କଥା ଏ ପର୍ଯ୍ୟନ୍ତ ଆଲୋଚନା ପରିସରଭୁକ୍ତ ହୋଇ ନାହିଁ। କାରଣ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଖୋଜିବାର ସମୟ ଏବେ ଆସି ନାହିଁ। ସିଏ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଜାତୀୟ ରାଜନୀତିରେ ତାଙ୍କର ଏବେ ବି ଦବ୍‌ଦବା ରହିଛି। ରାଜନୈତିକ ଗୋଟି ଚାଳନା ଠିକ୍ ଭାବରେ କରି ପାରୁଛନ୍ତି। ୨୦୨୪ରେ ରାଜ୍ୟରେ ସାଧରଣ ନିର୍ବାଚନ। ତା ପୂର୍ବରୁ ଏପରି ଆକଳନ ନିହାତି ପକ୍ଷେ ହାସ୍ୟସ୍ପଦ।

ପ୍ରିୟରଂଜନ ସାହୁ