Odiapua.com

ଉତ୍ତରାଖଣ୍ଡ ହିମସ୍ଖଳନ : ନିଖୋଜର ୪ ଦିନ ପରେ ନଗେନ୍ଦ୍ରଙ୍କ ଗ୍ରାମରେ ପୁଲିସ୍‌, ଦୁର୍ଘଟଣାର କିଛି ସମୟ ପୂର୍ବରୁ ମା’କୁ ଖାଇଛୁନା ନାହିଁ ବୋଲି ପଚାରିଥିଲା ପୁଅ

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍ତରାଖଣ୍ଡ ହିମସ୍ଖଳନ ପ୍ରାକୃତିକ ବିପର୍ଯ୍ୟୟରେ ନିଖୋଜ ଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଁଶଡା ଥାନା ଯଶୀପୁର ପଂଚାୟତ କୁଦକାନ୍ଥି ଗ୍ରାମର ରବିନ୍ଦ୍ର ଦାସଙ୍କ ପୁଅ ନଗେନ୍ଦ୍ରଙ୍କ ଘରେ ଆଜି ବାଂଶଡା ଥାନା ପୁଲିସ୍ ପହଞ୍ôଚ ସବିଶେଷ ତଥ୍ୟ ସଂଗ୍ରହ କରିଛି । ତେବେ ନଗେନ୍ଦ୍ରଙ୍କ ନିଖୋଜ ଖବର ପ୍ରଚାରିତ ହେବା ପରେ ସମଗ୍ର ଗ୍ରାମରେ ଏବେ ନୀରବତା ବିରାଜମାନ କରିଛି । ସତେ ଯେଭଳି ଏକ ବଡ ପରିବାର ମୁଖିଆଙ୍କ ଆବର୍ତ୍ତମାନରେ ସମସ୍ତଙ୍କ ହୃସ୍ପନ୍ଦନ ବନ୍ଦ ହୋଇଯାଇଛି । ଯେଉଁଆଡେ ଦେଖିବ ନୀରବତା ସହ ଶୋକାକୁଳ ପରିବେଶ । ବୃଦ୍ଧ ପିତାଙ୍କ ନିକଟରେ ମା’ ପୁଅକୁ ମନେ ପକାଇ ବାଉନି ବାଉନି କାନ୍ଦୁଥିବାବେଳେ ପତ୍ନୀ ପିତାକୁ ଦେଖିନଥିବା ଦୁଇମାସର ପୁତ୍ରକୁ ଧରି ଏକ ପ୍ରକାର ମୂକ ହୋଇଯାଇଛି । ଘରେ ଥିବା ଦେଢଶୁର, ଯା’ ଙ୍କ ମୁହଁରେ ଏବେ ଭାଷା ନାହିଁ । ଗତ ୬ ତାରିଖ ଦିନ ନଗେନ୍ଦ୍ର ସ୍ତ୍ରୀକୁ ପୁଅର ଯତ୍ନ ନେବାକୁ ମୋବାଇଲ୍ ଫୋନ୍ ଯୋଗେ କହିଥିଲା । ମାସକ ପରେ ଘରକୁ ଆସିଥାନ୍ତା । ହେଲେ ଭୟଙ୍କର ହିମସ୍ଖଳନ ସବୁକିଛି ଓଲଟପାଲଟ କରିଦେଇଛି । ଗତ ରବିବାରଦିନ ଏହି ଦୁର୍ଘଟଣା ଘଟିବା କିଛି ସମୟ ଆଗରୁ ପୁଅ ନଗେନ୍ଦ୍ର ଘରକୁ ଫୋନ କରି ‘ମା’ ଖାଇଲୁଣିକି ନାହିଁ’ ବୋଲି ପଚାରିଥିବା ବେଳେ ଏଣୁତେଣୁ ଦିପଦ କଥା ହୋଇ ଫୋନ କାଟି ଦେଇଥିଲା । ଏହାର କିଛି ସମୟପରେ ଘଟିଥିଲା ପ୍ରଳୟ ।

ଉତ୍ତରାଖଣ୍ଡ ନନ୍ଦାଦେବୀ ହିମଖଣ୍ଡରେ ସ୍ଖଳନ ଘଟିଥିଲା । ନଗେନ୍ଦ୍ରଙ୍କ ଓଡିଆ ବନ୍ଧୁ ଶୁଶାନ୍ତଙ୍କ ଠାରୁ ଖବର ପାଇ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ନଗେନ୍ଦ୍ରଙ୍କ ପରିବାର । ନଗେନ୍ଦ୍ର ଙ୍କ ସହିତ ଯୋଗା ଯୋଗ କରିବାରେ ବିଫଳ ହେବା ପରେ ସେମାନେ ଉତରାଖଣ୍ଡ ସରକାର ଜାରି କରିଥିବା ହେଲ୍ପଲାଇନ ନମ୍ଭରରେ ଫୋନ କରିଥିଲେ । ହେଲପଲାଇନରୁ ଖବର ମିଳିଥିଲା ବିପର୍ଯ୍ୟୟରେ ଭାଷି ଯାଇଥିବା,ପ୍ରାଣ ହରାଇଥିବା ଅଥବା ନିଖୋଜ ହୋଇଥିବା କୌଣସି ଲୋକଙ୍କ ସଂର୍ପକରେ ବର୍ତମାନ ସୁଦ୍ଧା ସେମାନଙ୍କ ପାଖରେ କୌଣସି ଖବର ନାହିଁ । ଖବର ମିଳିବା ମାତ୍ରେ ତୁରନ୍ତ ଏ ସଂର୍ପକରେ ସଂପୃକ୍ତ ରାଜ୍ୟର ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ସେମାନେ କହିଥିଲେ । ଗତ ଦୁଇଦିନ ଧରି ନଗେନ୍ଦ୍ରଙ୍କ ସଂର୍ପକରେ କୌଣସି ଖବର ନପାଇ ପରିବାରଙ୍କ ପକ୍ଷରୁ ମଙ୍ଗଳବାରଦିନ ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ ମଙ୍ଗଳବାର ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ତନାଘନା ଆରମ୍ଭ ହୋଇଛି । ଜିଲ୍ଲାପାଳ ଜ୍ଞାନଦାସଙ୍କ କହିବା ଅନୁଯାଇ ଅଭିଯୋଗ ପାଇବା ପରେ ଆମେ ନଗେନ୍ଦ୍ରଙ୍କ ଟେଲିଫୋନରେ ଯୋଗା ଯୋଗ କରିଥିଲୁ ହେଲେ ତାଙ୍କ ଫୋନ ସୁଇଚଅଫ ଦେଖାଇବାରୁ ଏଥିନେଇ ଆମେ ଏସଆରସିଙ୍କୁ ଜଣାଇବା ସହିତ ନଗେନ୍ଦ୍ର କାମ କରୁଥିବା ଉତରାଖଣ୍ଡ ଚାମୋଲି ଜିଲ୍ଲା ପ୍ରଶାସନ ସହ ସଂର୍ପକ କରିଛୁ ଏବଂ ନିଖୋଜ ନଗେନ୍ଦ୍ରଙ୍କ ସଂର୍ପକରେ ଅପଡେଟ ଜଣାଇବାକୁ ଅନୁରୋଧ କରିଛୁ ।

ନିଜର ଅନ୍ତରଙ୍ଗ ବନ୍ଧୁ ନଗେନ୍ଦ୍ରଙ୍କ ନିଖୋଜ ଖବର ପାଇ ମଙ୍ଗଳବାର ଅପରାହ୍ନରେ ବନ୍ଧୁଙ୍କ ପରିବାରଙ୍କୁ ଭେଟିବା ସକାସେ ନୟାଗଡରୁ ଛୁଟିଆସିଛନ୍ତି ତାଙ୍କ ସହକର୍ମି ଶୁଶାନ୍ତ ଆଚାର୍ଯ୍ୟ । ଭଦ୍ରକରୁ ବନ୍ଧୁଙ୍କ ଘର ଚାନ୍ଦବାଲି କୁଦକାନ୍ଥି ଯିବାବାଟରେ ଗଣମାଧ୍ୟମକୁ ସୁଚନା ଦେଇ ଶୁଶାନ୍ତ କହିଥିଲେ ଯେ ସେମାନେ ଗତପ୍ରାୟ ୫ ବର୍ଷ ହେବ ଉତରାଖଣ୍ଡ ରେ ଏନଟିପିସି ଅଧିନରେ ତପୋବନ ପ୍ରକଳ୍ପରେ କାମ କରୁଥିଲେ । ସେମାନେ ଦୁଇଜଣ ଯାକ କ୍ରେନ ଅପରେଟର ଭାବେ କାମ କରୁଥିବା ବେଳେ ଗତ ପ୍ରାୟ ଏକମାସ ହେବ ସେ ଛୁଟି ନେଇ ଘରକୁ ଆସିଥିବା ବେଳେ ନଗେନ୍ଦ୍ର ସେଠାରେ କାମ କରୁଥିଲେ । ଦୁର୍ଘଟଣା ସଂର୍ପକରେ ମିଡିଆରୁ ଖବର ପାଇ ସେ ତୁରନ୍ତ ବନ୍ଧୁଙ୍କ ଫୋନକୁ ଫୋନ ଲଗାଇ ବିଫଳ ହେବା ପରେ ଘଟଣା ସଂର୍ପକରେ କମ୍ପାନୀ କତୃପକ୍ଷଙ୍କ ସହ ଯୋଗା ଯୋଗ କରିଥିଲେ । ହେଲେ ସବୁଆଡୁ ନିରାଶ ହେବା ପରେ ଏହି ବିପର୍ଯ୍ୟୟରେ ନଗେନ୍ଦ୍ର ନିଖୋଜ ହୋଇ ଯାଇଥିବା ନିଶ୍ଚିତ ହୋଇ ତାଙ୍କ ଘରକୁ ଏ ସଂର୍ପକରେ ଆଗୁଆ ଜଣାଇ ଦେଇଥିଲେ । ଶୁଶାନ୍ତଙ୍କ କହିବା ଅନୁଯାଇ ଏହି ଦୁର୍ଘଟଣାରେ ତପୋବନ ପ୍ରୋଜେକ୍ଟରେ କାମ କରୁଥିବା ପ୍ରାୟ ୧୭୦ ରୁ ୨୦୦ କର୍ମଚାରୀ ମାଟିତଳେ ପୋତିହୋଇ ପଡିଥିବା ଆଶଙ୍କା କରାଯାଉଛି ।

ଏହି ନିଖୋଜ ଲୋକମାନଙ୍କୁ ଉଦ୍ଧାର କରିବା ସକାସେ ଏନଡିଆରଏଫ ଏବଂ ସେନାବାହିନୀ ନିୟୋଜିତ ହୋଇଥିବା କଥା ତାଙ୍କ ଅଫିସ ସୁତ୍ରରୁ ମିଳିଥିବା ସୁଚନାକୁ ଆଧାର କରି ସେ କହିଛନ୍ତି । ସେହିଭଳି ନିଜ ବନ୍ଧୁଙ୍କ ସଂର୍ପକରେ ଜାଣିବା ସକାସେ ସେ ନିରନ୍ତର ଭାବେ ତାଙ୍କ ଅଫିସ ସଂର୍ପକରେ ରହିଥିବା କଥା କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ଦୁଃଖରେ ଭାଙ୍ଗିପଡିଥିବା ବନ୍ଧୁଙ୍କ ପରିବାରଙ୍କୁ ଭେଟିବା ଏବଂ ସେମାନଙ୍କୁ ସାନ୍ତନା ଦେବା ସହିତ ତାଙ୍କ ଭାଇଙ୍କୁ ସାଙ୍ଗରେ ନେଇ ନଗେନ୍ଦ୍ରଙ୍କ ସନ୍ଧାନରେ ଉତରାଖଣ୍ଡ ଯିବା ଉଦ୍ଧେଶ୍ୟରେ ସେ ଭଦ୍ରକ ଆସିଥିବା କହିଛନ୍ତି । ଏ ସଂପର୍କରେ ଜିଲାପାଳ ଡ. ଜ୍ଞାନ ଦାସ ପରିବାରଙ୍କ ନିକଟରୁ ଖବର ପାଇ ପ୍ରଶାସନିକ ସ୍ତରରେ ରାଜ୍ୟ ସରକାରଙ୍କ ମାଧ୍ୟମରେ ଯୋଗାଯୋଗ ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସଠିକ୍ ଖବର ମିଳିନଥିବାର ଜଣାପଡିଛି । ସୁଚନା ଅନୁଯାଇ ନିଖୋଜ ନଗେନ୍ଦ୍ର ବିବାହିତ ଏବଂ ତାଙ୍କର ଗୋଟିଏ ସନ୍ତାନ ରହିଥିବା ବେଳେ ଘରେ ବୁଢା ବାପ-ମା ଙ୍କ ସହିତ ଭାଇଟିଏ ଅଛି ।