Odiapua.com

ଉତ୍ତରବାଡରେ ବିଦ୍ୟୁତ ଏନଫୋର୍ସମେଣ୍ଟ ଦଳ ଉପରେ ଆକ୍ରମଣ ଅଭିଯୋଗ

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ଉତ୍ତରବାଡ ଗ୍ରାମରେ ବିଦ୍ୟୁତ୍ ପ୍ରବର୍ତ୍ତନ ଦଳଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହେବା ପରେ ମାମଲା ଋଜୁ ହୋଇଛି । ଏନଫୋର୍ସମେଣ୍ଟଦଳର ଭଦ୍ରକ ସର୍କଲ ମୁଖ୍ୟ ତଥା ଯନ୍ତ୍ରୀ ଅମୋଲ ଫ୍ୟୁଜ, ବିଦ୍ୟୁତ କର୍ମଚାରୀ ଦିଲ୍ଲିପ ଖଟୁଆ, ଭବାନୀ ଶଙ୍କର ପତି, ଅମୁଲ୍ୟ କୁମାର ସାହୁ, ପ୍ରସନ୍ନ ମହାନ୍ତି, ମହମ୍ମଦ ଆଝାର, ନିରାପତ୍ତା ସହାୟକ ଅନୁସୂୟା ନାୟକ ପ୍ରମୁଖ ବୁଧବାର ଦିନ ପ୍ରାୟ ୧୨.୧୦ମି. ସମୟରେ ଗ୍ରାମର ସାହୁ ସାହି ବିଦ୍ୟୁତ ଉପଭୋକ୍ତା ସଦାଶିବ ସାହୁଙ୍କ ତନଖି କରିବାକୁ ଯାଉଥିବା ବେଳେ ସଂଗ୍ରାମ କେଶରୀ ସାହୁ ଓରଫ ବବି, ଘନଶ୍ୟାମ ସାହୁ ଓରଫ ବାବୁ ଓ ଅନ୍ୟମାନେ ତନଖିକୁ ବିରୋଧ କରିବା ସହ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରିଥିଲେ । ଏଥିସହ ଅତର୍କିତ ଭାବେ ଆକ୍ରମଣ ମଧ୍ୟ କରିଥିଲେ । ଫଳରେ କର୍ମଚାରୀ ଅମୁଲ୍ୟ ସାହୁଙ୍କ ବାମଗୋଡ, ଛାତି ଓ ମୁଣ୍ଡରେ ଆଘାତ ଲାଗି ଆହତ ହୋଇଥିଲେ । ଅମୁଲ୍ୟଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ପଠାଯାଇଛି । ସେହିପରି ନିରାପତ୍ତା ସହାୟିକା ଅନୁସୂୟା ନାୟକ ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ବୋଲି ଶ୍ରୀ ଫ୍ୟୁଜ ଥାନାରେ ଅଭିଯୋଗ କରିଛନ୍ତି । ଏଥିନେଇ ଥାନାରେ ୧୬୪/୨୨ନଂ ମାମଲା ଋଜୁ ହୋଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନଥିବା ଜଣାଯାଇଛି ।