Odiapua.com

ଉତ୍ତମ ପ୍ରାଣୀ ସ୍ୱାସ୍ଥ୍ୟ ଦିଗରେ ଧାମରା ପୋର୍ଟର ଆଉ ଏକ ପଦକ୍ଷେପ – ଆଦାନୀ ଫାଉଣ୍ଡେସନ ତରଫରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଆରମ୍ଭ

ଧାମରା, ୧୨-୮ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) : ପ୍ରାଣୀସମ୍ପଦର ଉପଯୁକ୍ତ ଯତ୍ନ ତଥା ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ଦିଗରେ ଆଦାନୀ ଧାମରା ପୋର୍ଟ ଏହାର ରେଳ ଧାରଣା ପାଶ୍ୱର୍ବର୍ତ୍ତୀ ପ୍ରାୟ ୧, ୦୦୦ ରୁ ଊର୍ଦ୍ଧ୍ୱ ପଶୁ ସମ୍ପଦ ମାଲିକଙ୍କୁ ନିର୍ଭରଶୀଳ କରିବା ଦିଗରେ, ଆଦାନୀ ଫାଉଣ୍ଡେସନ, ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ୱିଙ୍ଗ ପକ୍ଷରୁ ଚାନ୍ଦବାଲି ବ୍ଲକର ରାଜନଗର ଏବଂ ଜାମୁଯୋଡ଼ି ପଂଚାୟତର ୨୩ ଟି ଗ୍ରାମରେ ମୋବାଇଲ ଭେଟେନାରୀ ସେବା ଚଳିତ ଅଗଷ୍ଟ ମାସରେ ଆରମ୍ଭ କରାଯାଇଛି।

ପାଇଲଟ ପ୍ରକଳ୍ପର ସଫଳ ରୂପାୟନ ଏବଂ ଜିଲା ପ୍ରାଣୀ ଚିକିତ୍ସା ବିଭାଗର ମାର୍ଗଦର୍ଶନରେ, ଆଦାନୀ ଫାଉଣ୍ଡେସନ ଏବଂ ଜିଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ୧୧ ତାରିଖରେ ୧୧ଟି ଗ୍ରାମପଂଚାୟତରେ ସ୍କେଲ ଅପ୍ ପ୍ରୋଜେକ୍ଟ ଭାବେ ଏହି ମୋବାଇଲ ସେବା ଆରମ୍ଭ କରାଯାଇଛି। ଏହି ମୋବାଇଲ ଭେଟେନାରୀ ୟୁନିଟକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡଃ ସଞ୍ଜୟ କୁମାର ପଣ୍ଡା ଜିଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ଭଦ୍ରକଠାରେ ଉଦ୍‌ଘାଟନ କରିଥିଲେ। ଏହି ମୋବାଇଲ ଭେଟେନାରୀ ୟୁନିଟ ଦୌଲତପୁର, ବାମନିବିନ୍ଧା, ଜାମୁଯୋଡ଼ି, କୋଲ୍‌ହା, ସିନ୍ଦୋଳ, ରାଜନଗର, ମଙ୍ଗଳପୁର, ନୂଆଗାଁ, ଯଶୀପୁର, ନରେନ୍ଦ୍ରପୁର ଏବଂ ସାମନ୍ତରାପୁର ଗ୍ରାମପଂଚାୟତରେ ସେବା ଯୋଗାଇବ।

ଏହି ମୋବାଇଲ ୟୁନିଟରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଏବଂ ଔଷଧ ଆଦିର ସୁବିଧା ରହିବ। ଗ୍ରାମ ପଂଚାୟତ ସରପଂଚ, ବୁଦ୍ଧିଜୀବୀ ତଥା ଗୋସମ୍ପଦ ମାଲିକଙ୍କ ନେତୃତ୍ୱରେ ଗ୍ରାମ ବିକାଶ କମିଟି (ଭିଡିସି) ଗଠନ କରି ଜିଲା ତଥା ବ୍ଲକସ୍ତରୀୟ ଭେଟେନାରୀ କାର୍ଯ୍ୟାଳୟର ମିଳିତ ସହଯୋଗରେ ଏହା କାର୍ଯ୍ୟକାରୀ ହେବ। ଗୋସମ୍ପଦ ମାଲିକମାନେ ବିନାମୂଲ୍ୟରେ ପରାମର୍ଶ, ସ୍ୱାସ୍ଥ୍ୟସେବା ଏବଂ ମୋବାଇଲ ଭେଟେନାରୀ ସେବାରୁ ଫୋନ କଲ୍ ସେବା ପାଇପାରିବେ। ସମସ୍ତ ପ୍ରାଣୀ ସମ୍ପଦ ମାଲିକଙ୍କୁ ସେମାନଙ୍କ ପ୍ରାଣୀକୁ ହୋଇଥିବା ରୋଗ ବିଷୟରେ, ଟୀକାକରଣ, ନେଇଥିବା ଚିକିତ୍ସା ଉପରେ ଗୁରୁତ୍ୱ ଦେବା ନିମିତ ଏହି ସେବା ଯୋଗାଇ ଦିଆଯିବ। ଜିଲା ପ୍ରାଣୀ ଚିକିତ୍ସକ ଏହି ମୋବାଇଲ ସେବାର ଉତମ ପ୍ରଦର୍ଶନ ନିମନ୍ତେ ନିୟମିତ ବ୍ୟବଧାନରେ ସମୀକ୍ଷା କରିବେ।