Odiapua.com

ଉତ୍କଳ ଫ୍ଲୋର୍ ମିଲ ଶ୍ରମିକଙ୍କ ମିଲ ଆଗରେ ଧାରଣା ଓ ବିକ୍ଷୋଭ

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶ୍ରମିକଙ୍କୁ ଛଟେଇ କରିବା ପ୍ରତିବାଦରେ ଭଦ୍ରକ ଚରମ୍ପା ଡାହାଣିଗଡିଆ ଠାରେ ଥିବା ଉତ୍କଳ ଫ୍ଲୋର ମିଲ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଛି । ବିନା ନୋଟିସ୍‌, ବେଆଇନ ଭାବେ ଶ୍ରମ ଆଇନକୁ ଉଲଂଘନ କରି ମିଲ୍‌ରେ କାର୍ଯ୍ୟରତ ଥିବା ୨୫ଜଣ ଶ୍ରମିକଙ୍କୁ ରାତି ଅଧିଆ ଚାକିରୀରୁ ଛଟେଇ କରାଯାଇଛି । ଶ୍ରମିକଙ୍କୁ ନିୟମିତ ମଜୁରୀ, ବୋନସ୍ ଆଦି ପ୍ରଦାନ କରାଯାଉ ନଥିବା ନେଇ ଶ୍ରମିକମାନେ ବାରମ୍ବାର ମିଲ୍ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ଶ୍ରମ ଅଧିକାରୀଙ୍କୁ ଜଣାଇ ଆସୁଥିଲେ । ରାଜ୍ୟ ସରକାର ୨୦୧୮ ମସିହାରେ ସର୍ବନିମ୍ନ ମଜୁରୀ ସଂଶୋଧନ ଅଧିନିୟମ ପ୍ରଣୟନ କରିଥିଲେ ମଧ୍ୟ ଉତ୍କଳ ଫ୍ଲୋର୍ ମିଲ୍‌ରେ ତାହା ଲାଗୁ ହୋଇ ନଥିଲା । ଭଦ୍ରକ ଜିଲ୍ଲା ବ୍ୟବସାୟୀ ମଜଦୁର ସଂଘର ହସ୍ତକ୍ଷେପ ପରେ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରି ତା୫.୧.୨୦୨୧କୁ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରିଥିବା ବେଳେ ମିଲ ମାଲିକ ୩୧.୧୨.୨୦୨୦ରେ ଶ୍ରମ ବିଭାଗର ନିର୍ଦ୍ଦେଶନାମାକୁ ବେଖାତିର କରି ବେନିୟମ ଭାବେ ୨୫ଜଣ ଶ୍ରମିକଙ୍କୁ କାର୍ଯ୍ୟରୁ ଛଟେଇ କରିଛନ୍ତି । ଶ୍ରମିକମାନେ ସେମାନଙ୍କୁ ଛଟେଇ ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଭଦ୍ରକ ଜିଲ୍ଲା ବ୍ୟବସାୟୀ ମଜଦୁର ସଂଘ ଆନୁକୁଲ୍ୟରେ ମଜଦୁର ସଂଘର ସଭାପତି ମନୋଜ ବସନ୍ତରାୟ, ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ଉତ୍କଳ ଫ୍ଲୋର ମିଲ ଶ୍ରମିକ ସଂଘର ସମ୍ପାଦକ ଉଦୟ ବେହେରା, ଉପସଭାପତି ଶୈଳେନ୍ଦ୍ର ମହନ୍ତ, ନିର୍ମଳ ବେହେରା, ଶଙ୍କର ଦତ୍ତ, ସଂଜିବ ରୋହାନୀ, ଦଶରଥ ମାହାନା, ଉପେନ୍ଦ୍ର ମାହାନା, ନବକିଶୋର ପାଳ ପ୍ରମୁଖ ଗଣଧାରଣାରେ ବସିଥିଲେ । ପରେ ମିଲ୍‌ର ଡାଇରେକ୍ଟର ଗୋପାଳ ଶର୍ମା ଶ୍ରମିକମାନଙ୍କ ସହ ଆଲୋଚନା କରି ନିଜର ଅସମର୍ଥତା ପ୍ରକାଶ କରି ଯାହା ତାଙ୍କର ମ୍ୟାନେଜିଂ ଡାଇରେକ୍ଟର ନିଷ୍ପତି ନେବେ ବୋଲି କହି ଆନ୍ଦୋଳନରୁ ଓହରି ଯିବାକୁ କହିଥିଲେ । ମାତ୍ର ଶ୍ରମିକମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି ।