Odiapua.com

ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ୧୪୬ତମ ଜୟନ୍ତୀ ପାଳିତ, ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଉତ୍କଳମଣିଙ୍କୁ ମନେ ପକାଇଲେ ଶତାଧିକ ବୁଦ୍ଧିଜୀବୀ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେବା ମାନବିକତାର ମୂଳ ମନ୍ତ୍ର । ସେବା, ସଂଗଠନ, ସାହିତ୍ୟ ଓ ସାମାଜିକତାକୁ ନିଜ ଜୀବନର ବ୍ରତ ବୋଲି ଭାବିନେଇ ନିର୍ଭୀକ ସତ୍ୟାନୁଶରଣ କରିପାରିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରେଷ୍ଠ ନିଦର୍ଶନ ହୋଇପାରିବ । ସେ ଯେଉଁଭଳିଭାବେ ନିଜ ଜୀବନକୁ ସମାଜ ପାଇଁ ଉତ୍ସର୍ଗୀକୃତ କରି ଉତ୍କଳ ପାଇଁ କାନ୍ଦୁଥିଲେ ସେହିଭଳି ଭାବେ ଆଜିର ଯୁବପିଢି ସମୟକୁ ଗୁରୁତ୍ୱ ଦେଇ ସେବାକୁ ପ୍ରାଧାନ୍ୟ ଦେବା ପୂର୍ବକ ନିଜ ପିତା-ମାତା, କୁଳଗୁରୁ ଓ କୁଳ ଦେବତାଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ଲାଭ କରିପାରିଲେ, ସମାଜ ପ୍ରଗତି ପଥରେ ଗତି କରିପାରିବ ବୋଲି ତାଙ୍କର ୧୪୬ତମ ଜନ୍ମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକର ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ ରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଆଜିର ଏହି ଉତ୍ସବରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଟଳ ବିହାରୀ ନାୟକ ମୁଖ୍ୟ ଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ତ୍ୟାଗଭୂମିର ଆବାହକ ଅଜୟ ନାୟକ, ଟ୍ରଷ୍ଟର ସଭାପତି ଡ. ପ୍ରସନ୍ନ କୁମାର ରାୟ, ପୂର୍ବତନ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଡାକ୍ତର ହରେକୃଷ୍ଣ ନାୟକ, ଅଶୋକ କୁମାର ନାୟକ, ଭଦ୍ରକ ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ କୁମାର ମହାନ୍ତି, ସମାଜସେବୀ ତଥା ସୁସଂଗଠିକା ଶ୍ରଦ୍ଧାଞ୍ଜଳି ରାୟ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଜିର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ଗୋପବନ୍ଧୁ ଆମ ସମାଜ ପାଇଁ ଏକ ଆଦର୍ଶ ବୋଲି ବର୍ଣ୍ଣନା କରିଥିଲେ ।

ଏହି ସ୍ୱତନ୍ତ୍ର ସଭାରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଡାକ୍ତର ହରେକୃଷ୍ଣ ନାୟକ, ସମାଜସେବୀ ଅଶୋକ କୁମାର ନାୟକ, ଅଶୋକ କୁମାର ମହାନ୍ତି, ରାମଚନ୍ଦ୍ର ବେହେରା, ସାମ୍ବାଦିକ ନରେନ୍ଦ୍ର ସାମଲ, ଅପୂର୍ବ ରଞ୍ଜନ ବେହେରା, ହେମନ୍ତ ସିଂ, ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ, କବି ଓ ଶିକ୍ଷାବିତ୍ ଭାସ୍କର ପାଢୀ, କଳାକାର ନରେନ୍ଦ୍ର ପ୍ରସାଦ ପରିଡା, ବିନାୟକ ରେସିଡେଣ୍ଟିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଇସା ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟର ସେକ୍ ଅମିରୁଦ୍ଦିନ୍‌, ଚିତ୍ରଶିଳ୍ପୀ ନିରଞ୍ଜନ ନାୟକ ପ୍ରମୁଖ କୃତି ପ୍ରତିଭାଧର ୧୪ ଜଣଙ୍କୁ ଉତ୍କଳମଣି ଫାଉଣ୍ଡେସନ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭା ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ଦୁର୍ଗାଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷାବିତ୍ ବାବୁଲା ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ ଗୋପବନ୍ଧୁଙ୍କ କାରା କବିତାକୁ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବେ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ରଂଜିତା ମହାପାତ୍ର ଓ ଅବଦୁଲ ଦୟାନ ଗୋପବନ୍ଧୁଙ୍କ ବିଷୟରେ ଦୁଇଟି କବିତା ପାଠ କରିଥିଲେ । ସାମ୍ବାଦିକ ସତ୍ୟଭୂଷଣ ସ୍ୱାମୀ, ମୃତ୍ୟୁଞ୍ଜୟ ରାଉତ, ସନାତନ ଦାସ, ଦେବୀପ୍ରସାଦ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସକାଳ ୭ ଘଟିକା ସମୟରେ ଭଦ୍ରକ ପୁରୁଣା କୋର୍ଟ ଓ ଡାହାଣୀଗଡିଆରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସମାଜସେବୀ ଓ ସଂଗଠକମାନଙ୍କ ସଂହତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମାଜ ପ୍ରଗତି, ସମାଜ ସଂସ୍କାର ଓ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗୋପବନ୍ଧୁଙ୍କର ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଦିନ ଦରିଦ୍ର ତଥା ଯୁବ ସମାଜକୁ ଫଳାର୍ଣ୍ଣ ବଣ୍ଟନ କରିବା ସହିତ ନିରାଡମ୍ବର ଭାବେ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଧାକର ରାଉତ, ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ନାୟକ, ନାଟ୍ୟଶ୍ରୀ ନିର୍ମଳ ରାଉତ, ଅତିଶ ବେହେରା, ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ, କଲାମ ଖାନ୍‌ଙ୍କ ସମେତ ଗାନ୍ଧି ବାଳାଶ୍ରମର ବହୁ ଛାତ୍ର ଉପସ୍ଥିତ ଥିଲେ । ଶେଷରେ ସମାଜସେବୀ ଶ୍ରୀହର୍ଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।