Odiapua.com

ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ୧୪୪ତମ ଜୟନ୍ତୀ ପାଳିତ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସ୍ତବରେ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଉତ୍କଳର ମଣି । ଯେଉଁଥିପାଇଁ ଏ ମାଟି ଓ ଦେଶ ତାଙ୍କୁ “ଉତ୍କଳମଣି” ଉପାଧିରେ ଭୂଷିତ କରି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛି । ବର୍ତ୍ତମାନର ଅବକ୍ଷୟମୁଖୀ ସମାଜରେ ତାଙ୍କଭଳି ଜଣେ ତ୍ୟାଗୀ ମହାପୁରୁଷଙ୍କ ଆଦର୍ଶକୁ ଆଜିର ଯୁବପିଢି ପାଥେୟ କଲେ ରାମରାଜ୍ୟ ଗଠନ ହୋଇପାରିବ ବୋଲି ତାଙ୍କର ୧୪୪ତମ ଜନ୍ମ ଜୟନ୍ତୀ ଉତ୍ସବରେ ମତପ୍ରକାଶ ପାଇଛି । ଭଦ୍ରକର ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଟ୍ରଷ୍ଟର ମିଡିଆ ସେଲ୍ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବର୍ତ୍ତମାନର ମହାମାରୀ କରୋନା ଜନିତ ସରକାରଙ୍କ ନିୟମ ମୂଳେ ସାମାଜିକ ଦୂରତ୍ୱ ବଜାୟ ପୂର୍ବକ ପ୍ରାତଃରେ କଚେରୀ ବଜାର ପରିସରରେ ଥିବା ଗୋପବନ୍ଧୁଙ୍କ ଉଦ୍ୟାନର ପ୍ରତିମୂର୍ତ୍ତିରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ପୁଷ୍ପାର୍ଘ୍ୟ ଅର୍ପଣ କରି ତାଙ୍କର ଜୀବନାଦର୍ଶକୁ ଆଜିର ଯୁବପିଢି ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକର ଅତିରିକ୍ତ ସରକାରୀ ଅଧିବକ୍ତା ସୂର୍ଯ୍ୟକାନ୍ତ କୁଅଁର, ସୋମନାଥ ସାହୁ, ପୂର୍ବତନ କାଉନସିଲର ପ୍ରବୀର ଜେନା, ଟ୍ରଷ୍ଟର ସଦସ୍ୟ ସୁକାନ୍ତ ମହାନ୍ତି, ତଥାଗତ ସାମଲ, ଲାଲ ଲଳିତ ରାୟ, ମନୋଜ କର, ମୃତ୍ୟୁଞ୍ଜୟ ରାଉତ, ସୁଶାନ୍ତ କୁମାର ଘଡେଇ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଡାହାଣୀଗଡିଆ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।