Odiapua.com

ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ୧୪୩ତମ ଜୟନ୍ତୀ ପାଳିତ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସ୍ତବରେ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଉତ୍କଳର ମଣି । ଯେଉଁଥିପାଇଁ ଏ ମାଟି ଓ ଦେଶ ତାଙ୍କୁ “ଉତ୍କଳମଣି” ଉପାଧିରେ ଭୂଷିତ କରି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛି । ବର୍ତ୍ତମାନର ଅବକ୍ଷୟମୁଖୀ ସମାଜରେ ତାଙ୍କଭଳି ଜଣେ ତ୍ୟାଗୀ ମହାପୁରୁଷଙ୍କ ଆଦର୍ଶକୁ ଆଜିର ଯୁବପିଢି ପାଥେୟ କଲେ ରାମରାଜ୍ୟ ଗଠନ ହୋଇପାରିବ ବୋଲି ତାଙ୍କର ୧୪୩ତମ ଜନ୍ମ ଜୟନ୍ତୀ ଉତ୍ସବରେ ମତପ୍ରକାଶ ପାଇଛି । ଭଦ୍ରକର ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଟ୍ରଷ୍ଟର ମିଡିଆ ସେଲ୍ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବର୍ତ୍ତମାନର ମହାମାରୀ କରୋନା ଜନିତ ସରକାରଙ୍କ ନିୟମ ମୂଳେ ସାମାଜିକ ଦୂରତ୍ୱ ବଜାୟ ପୂର୍ବକ ପ୍ରାତଃରେ କଚେରୀ ବଜାର ପରିସରରେ ଥିବା ଗୋପବନ୍ଧୁଙ୍କ ଉଦ୍ୟାନର ପ୍ରତିମୂର୍ତ୍ତିରେ ସଦସ୍ୟ ଓ ବିଶିଷ୍ଟ ବ୍ୟକ୍ତି ମୃତ୍ୟୁଞ୍ଜୟ ରାଉତ, ସୁଶାନ୍ତ କୁମାର ଘଡେଇ, ଦୀନେଶ ଦାସ, ଜ୍ଞାନେନ୍ଦ୍ର ହାଜରା, ବିକ୍ରମ କେଶରୀ ବନ୍ଧ, ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଡାହାଣୀଗଡିଆ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।