Odiapua.com

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ ପୀଠ ବିକାଶ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

– ସୁଆଣ୍ଡୋ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ଜ୍ଞାନର କେନ୍ଦ୍ର ହେବ ଓ ଗୋପବନ୍ଧୁଙ୍କ ତ୍ୟାଗ ପୁତ ଜୀବନ ଓ ଆଦର୍ଶର ପ୍ରସାରରେ ସହାୟକ ହେବ
– ମୁଜିୟମ ସହ ଗୋପବନ୍ଧୁଙ୍କ ପନ୍ଦର ଫୁଟର ବ୍ରୋଞ୍ଜ ମୂର୍ତ୍ତି ରହିବ

ଭୁବନେଶ୍ୱର ୧୬/୪ (ଓଡ଼ିଆ ପୁଅ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ.ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ କୁ ଏ ଜାତି କେବେ ଭୁଲି ପାରିବ ନାହିଁ. ତାଙ୍କ ଜନ୍ମସ୍ଥାନ ପ୍ରତି ଓଡ଼ିଆଙ୍କର ତୀର୍ଥ କ୍ଷେତ୍ର. ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମକୁ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ ଏକ ଜ୍ଞାନର କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ କାମ ଆରମ୍ଭ ହୋଇଛି। ଉତ୍କଳମଣିଙ୍କ ତ୍ୟାଗ ପୁତ ଜୀବନ ଓ ଆଦର୍ଶର ପ୍ରଚାର ପ୍ରସାରରେ ମଧ୍ୟ ସହାୟକ ହେବ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି। ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସେ ଅଞ୍ଚଳର ଜନସାଧାରଣଙ୍କ ବହୁଦିନର ଦାବି ଥିଲା।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ ଆଜି ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶ କାମ ବୁଲି ଦେଖିଥିଲେ। ପ୍ରଥମେ ଶ୍ରୀ ପାଣ୍ଡିଆନ ଗୋପବନ୍ଧୁଙ୍କ ଷଠି ଘରକୁ ଯାଇ ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ଏବଂ ଗୋପବନ୍ଧୁଙ୍କ ଦାୟାଦମାନଙ୍କୁ ଭେଟି ସ୍ମୁତି ପୀଠ ବିଷୟରେ ଆଲୋଚନା କରିଥିଲେ। ଉତ୍କଳମଣିଙ୍କ ଜନ୍ମ ପୀଠର ବିକାଶ ପାଇଁ ସରକାରଙ୍କ ପଦକ୍ଷେପର ସେମାନେ ଉଚ୍ଚ ପ୍ରଶଂସା କରିଥିଲେ।

ରାଜ୍ୟସରକାରଙ୍କ ପକ୍ଷରୁ ଏହାର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବା ସହ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ମ୍ୟୁଜିଅମ ର ନିର୍ମାଣ କାର୍ଯ୍ୟକୁ ଆଜି ୫ଟି ସଚିବ ବୁଲି ଦେଖିଥିବା ବେଳେ ଦୁଇ ରୁ ତିନିମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

ସୁଆଣ୍ଡୋରେ ନିର୍ମାଣ ହେଉଥିବା ପାର୍କିଙ୍ଗ ପ୍ଲେସ, ରିସେପସନ ସେଣ୍ଟର ତଥା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମ୍ୟୁଜିଅମ ଏବଂ ପୋଖରୀ ଆଦିରେ ଚାଲିଥିବା ବିକାଶ କାମ ଅନୁଧ୍ୟାନ କରିଛନ୍ତି। ବିଶେଷ କରି ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପନ୍ଦର ଫୁଟ ଉଚ୍ଚର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ପ୍ରାୟ ୨୪କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଏବଂ ସୂଚାରୁ ରୂପେ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି ଓ ଏ ଦିଗରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ କାମନା କରାଯାଇଥିଲା।

ତେବେ ଦୀର୍ଘ ୫୦ବର୍ଷ ପରେ ସୁଆଣ୍ଡୋ ଗ୍ରାମର ଏଭଳି ଉନ୍ନତି କରଣ କାର୍ଯ୍ୟ କରାଯାଉଥିବା ନେଇ ସୁଆଣ୍ଡୋ ବାସୀ ବେଶ ଗୌରାବାନ୍ୱିତ ମନେ କରିଥିବା ବେଳେ ସରକାରଙ୍କ ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଛନ୍ତି।

ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।