ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଛତାବର ବଜାର ସମେତ ସଂପୋଇ, ନାରାୟଣପୁର, ନେଉଳିଆ, ଗନ୍ଧର୍ବବିନ୍ଧା, ରାମଚନ୍ଦ୍ରପୁର ଆଦି ସାତଟି ୱାର୍ଡର ଗ୍ରାମର ନଳକୂପ ଶୁଷ୍କ ହୋଇ ଉତ୍କଟ ଜଳଭାବ ଦେଖାଦେଇଛି । ଜନସାଧାରଣଙ୍କ ଆବଶ୍ୟକତା ସମୟରେ ଟ୍ୟାଙ୍କର ଯୋଗେ ଆଜି ଜଳ ଯୋଗାଇଛନ୍ତି ବିଜେପି ନେତା ବଦ୍ରୀନାରାୟଣ ଧଳ । ଦଳର ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସେନାପତି, ପଞ୍ଚାୟତ ସଭାପତି କୃପାସିନ୍ଧୁ ବାରିକ, ପ୍ରହ୍ଲାଦ ସାହୁ, ରବିନାରାୟଣ ସାହୁ, ସମୀର ରାଉତ, ଚିତ୍ତରଞ୍ଜନ ବାରିକ, କାଳିଆ ଘଡେଇ ପ୍ରମୁଖ ଛତାବର ବଜାର, ରାମଚନ୍ଦ୍ରପୁର ସାହାଣିସାହି, ମହାପାତ୍ରସାହି, ହରିଜନସାହି, ବାରିକସାହି, ନେଉଳିଆ ଆଦି ଅଞ୍ଚଳରେ ବୁଲି ପାନୀୟ ଜଳ ଯୋଗାଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ଅଞ୍ଚଳରେ ଭୂତଳ ଜଳସ୍ତର ଆଶାତୀତ ଭାବେ ହ୍ରାସ ପାଇଥିବାରୁ ଅଗଭୀର ନଳକୂପ ସବୁ ଶୁଷ୍କ ହୋଇ ଜଳାଭାବ ଦେଖାଦେଇଛି । ହାତଗଣତି କେତୋଟି ଗଭୀର ନଳକୂପ ସମସ୍ତ ଜଳକ୍ଳିଷ୍ଟ ଅଞ୍ଚଳକୁ ପାନୀୟ ଜଳ ଯୋଗାଇବା ସମ୍ଭବ ହୋଇ ପାରୁନାହିଁ । ଫଳରେ ଜଳସଙ୍କଟ ସୃଷ୍ଟି ହୋଇଛି । ଏହାର ମୁକାବିଲା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।