Odiapua.com

ଉତରପ୍ରଦେଶ ପ୍ରୟାଗରାଜର ମଦ୍ରାସା ଜାଲ୍ ନୋଟ୍ ଘଟଣାରେ ଭଦ୍ରକର ଲିଙ୍କ, ବାସୁଦେବପୁରର ଜାହିର ଖାନ୍ ମାଷ୍ଟର ମାଇଣ୍ଡ, ଦୋଷୀ ଥିଲେ ଦଣ୍ଡ ମିଳୁ – ପିତା ସାଜିଦ

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଗତ ଦିନରେ ପାକିସ୍ତାନ ଟେରୋରିଷ୍ଟ କାର୍ଯ୍ୟକଳାପରେ ଲିପ୍ତ ଜଣେ ମୁସଲିମ୍ ଯୁବକ ଭଦ୍ରକରେ କିଛିଦିନ ଆତ୍ମଗୋପନ କରି ରହିବା ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ ଏବେ ପୁଣିଥରେ ଉତରପ୍ରଦେଶ ପ୍ରୟାଗରାଜର ଏକ ମଦ୍ରାସାରେ ନକଲି ନୋଟ୍ ଓ ଛପା ମେସିନ୍ ଜବତ ହେବା ଘଟଣାରେ ଓଡ଼ିଶା ରାଜ୍ୟର ଭଦ୍ରକ ଜିଲା ଲିଙ୍କ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ସେଠାକାର ପୁଲିସ୍ ଭଦ୍ରକ ଜିଲା ବାସୁଦେବପୁର ଅଂଚଳର ଜାହିର ଖାନ୍ ନାମକ ଜଣେ ଯୁବକ ସମେତ ୪ ଜଣଙ୍କୁ ଗିରଫ କରିଛି। ତେବେ ଜାହିର ଖାନ୍ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଘଟଣାରେ ଉକ୍ତ ମଦ୍ରାସାର ଅଧ୍ୟକ୍ଷ ମଧ୍ୟ ଓଡ଼ିଶାର ବୋଲି ଉତରପ୍ରଦେଶ ପୁଲିସ୍ ସୂଚନା ଦେଇଛି। ଏହି ଘଟଣାରେ ଉତରପ୍ରଦେଶ ପୁଲିସ୍ ଖୁବଶୀଘ୍ର ତଦନ୍ତ ପାଇଁ ଭଦ୍ରକ ଆସିପାରେ ବୋଲି ଜଣାପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଉତରପ୍ରଦେଶ ରାଜ୍ୟର ପ୍ରୟାଗରାଜରେ ଥିବା ଏକ ମଦ୍ରାସାରେ ଗତ ୨୮ ତାରିଖରେ ସନ୍ଦେହଜନକ କାର୍ଯ୍ୟକଳାପ ଓ ସେଠାରେ ରହୁଥିବା ଛାତ୍ରଙ୍କର ଗତିବିଧିକୁ ନେଇ ସ୍ଥାନୀୟ ପୁଲିସ୍ ଛାପା ମାରିଥିଲା। ଏହି ଚଢାଉରେ ଉକ୍ତ ମଦ୍ରାସାରେ ପାଠପଢା ନାଁରେ କୋଟି କୋଟି ଟଙ୍କାର ଜାଲ୍ ନୋଟ୍ ଓ ଆରଏସ୍‌ଏସ୍ ବିରୁଦ୍ଧରେ ବହୁ ଅପପ୍ରଚାର ପୁସ୍ତିକା ଓ ଆପତିଜନକ ପ୍ରଚାରପତ୍ର ଛପା ଯାଉଥିବାର ଜଣାପଡିଛି। ଏବଂ ଏହି ଘଟଣାରେ ଓଡ଼ିଶା ଭଦ୍ରକ ଜିଲାର ବାସୁଦେବପୁର ନିବାସୀ ସାଜିଦ ଖାନ୍‌ଙ୍କ ପୁତ୍ର ଜାହିର ଖାନ୍ ମାଷ୍ଟର ମାଇଣ୍ଡ ହୋଇଥିବାବେଳେ ଏଥିରେ ଓଡ଼ିଶା ନିବାସୀ ଅଧ୍ୟକ୍ଷ ଓ ଅନ୍ୟମାନେ ଜଡିତ ଥିବା ବିଷୟ ପ୍ରୟାଗରାଜ ପୁଲିସ୍ ସେଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି। ତେବେ ଜାହିର ଖାନ୍‌ର ପିତା ସାଜିଦ ଖାନ୍‌ଙ୍କ ସୂଚନା ମୂଳେ ଜାହିର ନିଜ ଘରେ ପାଠ ନପଢିବାରୁ ତାକୁ ପରିବାର ଲୋକେ ପ୍ରାୟ ୪ ବର୍ଷ ତଳେ ପ୍ରୟାଗରାଜର ଉକ୍ତ ମଦ୍ରାସାକୁ ପଠାଇଦେଇଥିଲେ। ସେଠାରେ ରହି ସେ ପାଢ ପଢୁଥିବାବେଳେ ଏହି ଜାଲ୍ ନୋଟ୍ କାରବାରରେ ସଂପୃକ୍ତ ଥିଲା। ମଦ୍ରାସା ମଧ୍ୟରେ ପ୍ରିଂଟର ଓ ସ୍କାନର ବ୍ୟବହାର କରି ସେ ଏହି ନୋଟ୍ ତାର ସହଯୋଗୀଙ୍କ ସହାୟତାରେ ଛାପୁଥିଲା। ଚଢାଉ ସମୟରେ ପୁଲିସ୍ ପ୍ରିଂଟର ସହ ୧୩ ଶହ ଟି ଶହେ ଟଙ୍କିଆ ଜାଲ୍ ନୋଟ୍ ତାର ରୁମ୍‌ରୁ ଜବତ କରି ୪ ଜଣଙ୍କୁ ଗିରଫ କରିଛି। ପୁତ୍ର ଜାହିରର ଗିରଫ ଖବର ଶୁଣି ତାର ପିତା ସାଜିଦ ଖାନ୍ ଏଭଳି ଘଟଣାରେ ତାଙ୍କ ପୁତ୍ର ସମେତ ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କୁ ଦଣ୍ଡ ମିଳିବା ଉଚିତ୍‌। ମା ଓ ବାପା ଏଭଳି ଭୁଲ୍ କାର୍ଯ୍ୟରେ କୌଣସି ପୁଅର ପକ୍ଷ ନେବା ଅନୁଚିତ୍ ବୋଲି ସେ କହିବା ସହ ଭଲ ପଢୁନଥିବାରୁ ସେ ତାହା ଉପରେ ଅସନ୍ତୁଷ୍ଟ ଥାଇ ୭-୮ ମାସ ହେବ କଥା ହେଉନଥିଲେ ବୋଲି କହିଛନ୍ତି।