Odiapua.com

ଉଜ୍ଜ୍ବଳା ଯୋଜନାର ମହାଦୁର୍ନୀତି, ଗରିବଙ୍କ ସିଲିଣ୍ଡରରେ ଯୋଗାଣ ସଂସ୍ଥା ମାଲେମାଲ, ଚୁଲି ଧୂଆଁରେ ଉପଭୋକ୍ତା

ବଡ଼ବିଲ, ତା ୦୮ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦାୟିତ୍ବରେ ଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଦ୍ବାରା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାକୁ ଦେଶର ଗରିବ ପରିବାରର ମହିଳାମାନଙ୍କୁ କିଭଳି ନିଆଁଧୂଆଁରୁ ରକ୍ଷା କରାଯାଇପାରିବ ଓ ମୁଖ୍ୟତଃ ଜଙ୍ଗଲକୁ ସୁରକ୍ଷା ଦେବାକୁ ନେଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ୨୦୧୬ ମଇ ୧ ତାରିଖରେ ଆରମ୍ଭ କରାଯାଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା । ଏହି ଯୋଜନା ଅନ୍ତର୍ଗତ ଗରିବ ପରିବାରଙ୍କୁ ମାଗଣାରେ ଏଲପିଜି ଗ୍ୟାସ କନେକ୍ସନ ମିଳିପାରିବ । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୪୭.୪୬ ଲକ୍ଷ ମହିଳାଙ୍କୁ ଉଜ୍ଜ୍ବଳା ଯୋଜନାରେ ସାମିଲ କରାଯାଇଛି । ଏହା ମଧ୍ୟରେ ୨୦.୦୯ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କୁ ସାମିଲ‌ କରାଯାଇଛି । ବର୍ତ୍ତମାନ ସାରା ଭାରତ ବର୍ଷରେ ୮ କୋଟିରୁ ଊର୍ଦ୍ଧ୍ବ ଗରିବ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ମୋଦୀ ସରକାରଙ୍କ ଜନହିତକର ଯୋଜନା ମଧ୍ୟରେ ଉଜ୍ଜ୍ବଳା ଯୋଜନାକୁ ପ୍ରଶଂସା ବହୁତ କରନ୍ତି । ଯୋଡ଼ା ବ୍ଲକ ଅଧୀନରେ ଥିବା ଉଜ୍ଜ୍ଵଳା ଯୋଜନାରେ କେଲେଙ୍କାରୀ ଭଦ୍ରାସାହି, ସେରେଣ୍ଡା, ବଲାଣି, କାଳୀମାଟି, ପଞ୍ଚାୟତ ସ୍ତରରେ ବହୁତ ଗରିବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ବି କାଠ ସଂଗ୍ରହ କରି ଚୂଲି ଜଳେଇ ରୋଷେଇ କରୁଛନ୍ତି । ଏକ ବର୍ଷ ହୋଇଯିବ ଗ୍ୟାସ ମିଳିନାହିଁ କୋୖଣସି ସରକାର କର୍ମଚାରୀଙ୍କ ଦେଖାନାହିଁ । ଉଜ୍ଜ୍ବଳା ଗ୍ୟାସର ହିତାଧିକାରୀଙ୍କ ଠାରୁ ଆଧାର କାର୍ଡ, ବିପିଏଲ କାର୍ଡ଼ ନେଇଛନ୍ତି ହେଲେ ଏପଯ୍ୟନ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି । ଉଜ୍ଜ୍ବଳା ଯୋଜନାରେ ଉଜ୍ଜ୍ୱଳା ଦିଦିମାନଙ୍କୁ ପଚାରିଲେ ସେମାନେ ମଧ୍ୟ କହୁଛନ୍ତି ଆମକୁ ବି ଠକି ଦେଇଛନ୍ତି । ଯୋଡ଼ା ବ୍ଲକ ମିଳିବା କଥା କିନ୍ତୁ ହରିଚନ୍ଦନପୁର ବ୍ଲକ କରି ଦେଇଛନ୍ତି । ବାସ୍ତବରେ ଦେଖିବାକୁ ଗଲେ ଗରିବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବାରୁ ସେମାନଙ୍କୁ ସମସ୍ତେ ଠକି ଦେଉଛନ୍ତି । ଗ୍ୟାସ ଯୋଗାଣ ସଂସ୍ଥାର ମାଲିକ ଗରିବଙ୍କ ଟଙ୍କାରେ ମାଲେମାଲ ହେଉଥିବା ବେଳେ ଗରିବ ଲୋକେ ହେଉଛନ୍ତି ହିନସ୍ଥା । ଗ୍ୟାସ ମିଳିନାହିଁ ହେଲେ ଅନେକ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ କିପରି ଆସୁଛି ଗ୍ୟାସ ସବସିଡ୍ ଟଙ୍କା ତାହାକୁ ନେଇ ସାଧାରଣରେ ଉଠୁଛି ବିଭିନ୍ନ ପ୍ରଶ୍ନ । ଆଦିବାସୀ ଅଧ୍ୟୁଷିତ ଯୋଡ଼ା ବ୍ଲକ ଅଧୀନରେ ଥିବା ସେରେଣ୍ଡା, ଭଦ୍ରାସାହି, ବଲାଣି, କାଳୀମାଟି ପଞ୍ଚାୟତସ୍ତରରେ ଉଜ୍ଜ୍ୱଳା ଯୋଜନାରେ କେଲେଙ୍କାରୀ ହୋଇଛି । ଆଦିବାସୀ ଅଧ୍ୟୁଷିତ ଗରିବ ହୋଇଥିବାରୁ ସେମାନଙ୍କ ପାଇଁ ସାତସପନ ହୋଇରହିଛି ଉଜ୍ଜ୍ୱଳା ଗ୍ୟାସ ଯୋଜନା । ଏଅଞ୍ଚଳର ଉପଭୋକ୍ତା ବଡ଼ବିଲ ଓ ଯୋଡ଼ା ଗ୍ୟାସ ଯୋଗାଣ ସଂସ୍ଥା ସହ ଯୋଗାଯୋଗ କରିବାରୁ କମ୍ପ୍ୟୁଟର ବା ଇଣ୍ଟରନେଟରେ ସେମାନଙ୍କ ନାମ ପିପିଲିଆ କାନଝରୀ ଭାରତ ଗ୍ୟାସ ଅଧିନରେ ସାମିଲ୍ ହୋଇଥିବା ଜଣାପଡିଛି । ଯାହାକୁ ନେଇ ସେମାନେ ଆଉ କୋଉଁଠାରୁ ଗ୍ୟାସ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଏଠାକାର ବହୁ ଲୋକଙ୍କ ନାମ ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ସାମିଲ ଥିଲେ ମଧ୍ୟ ସେମାନେ ଏହି ସୁବିଧାରୁ ବଞ୍ଚିତ ହୋଇ ରହିଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଏଅଞ୍ଚଳର ଉଚିତ୍ ଉପଭୋକ୍ତାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ଜନସାଧାରଣରେ ଦାବି ହୋଇଛି ।