Odiapua.com

ଉଚ୍ଛେଦ ହେଲା ମେଡିକାଲ ସମ୍ମୁଖ ଜବରଦଖଲ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଜବରଦଖଲ ସୋମବାର ଉଚ୍ଛେଦ ହୋଇଛି । ତହସିଲଦାର ତଥା ମାଜିଷ୍ଟ୍ରେଟ ସରୋଜକାନ୍ତ ନାୟକ ସଶସ୍ତ୍ର ସୁରକ୍ଷାବଳଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା । ପ୍ରଶାସନ ପକ୍ଷରୁ ଗତ ୧୪ ତାରିଖରେ ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଥିଲା । ଏହି ସମୟ ମଧ୍ୟରେ ସ୍ୱତଃପ୍ରବୃତ୍ତ ଭାବେ ଜବରଦଖଲ ହଟାଇ ନେବାକୁ କୁହାଯାଇଥିଲା । ଅନ୍ୟଥା ୧୮ ତାରିଖରେ ଉଚ୍ଛେଦ ହେବ ବୋଲି ସତର୍କ କରାଇ ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ଜେସିବି ମେସିନ ସହାୟତାରେ ତମାମ ଜବରଦଖଲକୁ ଭାଙ୍ଗି ଦିଆଯାଇଥିଲା । ମେଡିକାଲ ଛକଠାରୁ ଉଭୟ ପାଶ୍ୱର୍ର ଜବରଦଖଲ ହଟାଯାଇଥିଲା । ଜବରଦଖଲ ଯୋଗୁଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜନସାଧାରଣଙ୍କ ପାଇଁ ଦୃଶ୍ୟମାନ ହୋଇପାରୁ ନଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ପ୍ରବେଶ ରାସ୍ତା ସଙ୍କିର୍ଣ୍ଣ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଏଥିପାଇଁ ଗଣମାଧ୍ୟରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇ ଜବରଦଖଲ ହଟାଇଥିଲା । ଏହି ଉଚ୍ଛେଦ ପରେ ସ୍ୱସ୍ଥ୍ୟକେନ୍ଦ୍ର ସ୍ୱରୂପ ସୁଦୃଶ୍ୟ ହେବା ସହ ରୂପାନ୍ତରିକରଣ ଓ ଫାଟକ ନିର୍ମାଣ ସୁଗମ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି ।