Odiapua.com

ଉଚ୍ଚ ନ୍ୟାୟାଳୟରେ ମାମଲା ସତ୍ୱେ ଗୃହ ଛାତ ପଡିଲା

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ ବଡବର୍ଚ୍ଚିକୟାଁ ପଂଚାୟତରେ ସ୍କୁଲ ନିମନ୍ତେ ସଂରକ୍ଷିତ ଜାଗାରେ ପଂଚାୟତ ଗୃହ ନିର୍ମାଣରେ ଅନିୟମିତତାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁପି (ସି) ୧୭୩୬୦/୨୦, ତା ୨୨/୭/୨୦ ରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇ ରାଜ୍ୟ ସରକାର, ଓଡ଼ିଶା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସଂପାଦକ, ଭୁବନେଶ୍ୱର, ଜିଲାପାଳ ଭଦ୍ରକ, ଜିଲା ଶିକ୍ଷାଧିକାରୀ ଭଦ୍ରକ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭଦ୍ରକ ଏବଂ ବ୍ଲକ୍ ଉନ୍ନୟନ ଅଧିକାରୀ ବନ୍ତ ଭଦ୍ରକଙ୍କୁ ପକ୍ଷ କରାଯାଇଥିବା ଓ ମାମଲା ବିଚାରାଧୀନ ଥିବା ସତ୍ୱେ ବନ୍ତ ବ୍ଲକ୍ ପ୍ରଶାସନ ତରଫରୁ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ଗୃହର ଛାତ ପଡିବା ନେଇ ବୁଦ୍ଧିଜୀବୀ ତଥା ଅଂଚଳବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବଡବର୍ଚ୍ଚିକୟାଁ ପଂଚାୟତ ଗଠନ ହେବାର ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ପଂଚାୟତ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନାହିଁ । ପଂଚାୟତ କାର୍ଯ୍ୟାଳୟ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୨୦୧୭-୧୮ ଆର୍ଥିକ ବର୍ଷରେ ଗୃହ ନିର୍ମାଣ ପାଇଁ ୩୪ ଲକ୍ଷ ୭୦ ହଜାର ଟଙ୍କା ମଂଜୁର ହୋଇଥିଲା । କନିଷ୍ଠଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ମିଳିଥିଲା ।

 

ପରେ ଉକ୍ତ ଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ବିଦ୍ୟାଳୟ ପାଇଁ ସଂରକ୍ଷିତ ଜାଗାରେ କିପରି ପଂଚାୟତ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହି ଅନିୟମିତତାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାହମଲା ଦାୟର କରାଯାଇଥିଲା । ଏନେଇ ଗତ ୨୪ ତାରିଖରେ ଖବର ପ୍ରକାଶ ପାଇଥିଲା । ତା ପରେ ମଧ୍ୟ ସମସ୍ତ ନିୟମକୁ ଉଲ୍ଲଂଘନ କରି ତରବରିଆ ଭାବେ ବ୍ଲକ୍ ପ୍ରଶାସନର ସମସ୍ତ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ପଂଚାୟତ ଗୃହ ଛାତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଯାହାକି ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବ୍ଲକ୍ ଉନ୍ନୟନ ଅଧିକାରୀ ରେବେକା ବିଲୁଙ୍ଗକୁ ଯୋଗାଯୋଗ କରିବାରୁ ସେ ଏନେଇ କିଛି କହିବାକୁ ମନା କରିଥିଲେ ।