Odiapua.com

ଈଶ୍ୱର ମହାଳିକଙ୍କ ଘରେ ପୁଣି ପୁଲିସର ଚଢ଼ଉ – ପତ୍ନୀ-କନ୍ୟା ଗିରଫ

ବାଲେଶ୍ୱର, ୨୧ା୬ (ଓଡ଼ିଆ ପୁଅ/ଅଭୟ ଦାସ) :ରେମୁଣା ଅଞ୍ଚଳର କୁଖ୍ୟାତ ଅପରାଧୀ ଶ୍ୟାମରାଇପୁର ଗ୍ରାମର ଈଶ୍ୱର ମହାଳିକଙ୍କ ଘରେ ଆଜି ପୁଣି ପୁଲିସର ବଡ଼ଧରଣର ଚଢ଼ଉ ହୋଇଛି। ଏକ ଡକାୟତି ମାମଲାରେ ଗତ ୧୪ ତାରିଖ ଦିନ ବିରାଟ ପୁଲିସ ଟିମ୍ ଦୀର୍ଘ ସାଢ଼େ ୪ଘଣ୍ଟାର ଚଢ଼ଉ ପରେ ଈଶ୍ୱରକୁ ଗିରଫ କରିଥିଲା। ଏବେ ସେ ପୁଲିସ କବଜାରେ ଥିବା ବେଳେ ଆଜି ପୁଣି ସେହି ଡକାୟତି ମାମଲାରେ ଈଶ୍ୱରର ପୁଅ, ଜ୍ୱାଇଁ ଓ ପରିବାରର ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ କରିଥିଲା। ସେଦିନ ଭଳି ଆଜି ମଧ୍ୟ ପରିବାର ଲୋକେ ଘରେ ତାଲା ପକାଇ ଭିତରେ ରହିଥିଲେ ଏବଂ ପୁଲିସକୁ ସହଯୋଗ କରି ନଥିବା ଦେଖିବାକୁ ମିଳିଥିଲା। ତେବେ କିଛିସମୟର ବ୍ୟବଧାନ ପରେ ପୁଲିସ ତାଲାଭାଙ୍ଗି ଘରେ ପଶିଥିଲା। ତାର ଘରୁ ପୁଲିସ ଗାଡ଼ିରେ ବ୍ୟବହାର ହେଉଥିବା ସାଇରନ୍ ଲାଇଟ୍‌, ଦୁଇଟି ଅଫୁଟା ବୋମା ସହିତ ବହୁ ପରିମାଣର ମାରଣାସ୍ତ୍ର ଜବତ୍ କରିଛି। ତେବେ ଡକାୟତି ମାମାଲାର ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ବିଫଳ ହୋଇଥିବା ବେଳେ ଅନ୍ୟଏକ ଅପରାଧିକ ମାମଲାରେ ଈଶ୍ୱରର ପତ୍ନୀ ଓ କନ୍ୟାଙ୍କୁ ଗିରଫ କରିଛି।