Odiapua.com

ଇ-ପ୍ରଦୂଷଣ ଚକ୍ରବ୍ୟୁହରେ ସ୍ମାର୍ଟ ସିଟି ରାଉରକେଲା

ରାଉରକେଲା ୬-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଜୁନ ୫ ତାରିଖରେ ସାରା ଦୁନିଆରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିବା ବେଳେ ରାଉରକେଲା ମଧ୍ୟ ଏଥିରୁ ବାଦ ପଡିନାହିଁ। ସହରରେ ଥିବା ସାମାଜିକ ଅନୁଷ୍ଠାନ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ଅପରପକ୍ଷରେ ରାଉରକେଲାରେ ଦିନକୁ ଦିନ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବା କାରଣରୁ ଏହା ଏକ ଉଦବେଗଜନକ ସମସ୍ୟା ଭାବେ ଉଭା ହୋଇଛି। ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଶଦ୍ଦପ୍ରଦୂଷଣ ପରିବେଶକୁ ନଷ୍ଟବିନଷ୍ଟ କରୁଥିବା ବେଳେ ଅତ୍ୟାଧୁନିକ ଯୁଗରେ ସ୍ମାର୍ଟ ସିଟି ରାଉରକେଲାରେ ଇ- ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି। ଏହାର ମୁଖ୍ୟ ବାହକ ସାଜିଛି ଇ- ଆବର୍ଜନା। ଆଗାମୀ ପିଢୀ ପାଇଁ ଇ-ପ୍ରଦୂଷଣ ଏକ ସର୍ତକ ଘଂଟି କହିଲେ ଆଦୌ ଭୁଲ ହେବ ନାହିଁ। ପରିବେଶକୁ ବହୁ ମାତ୍ରାରେ ଇଲୋକଟ୍ରୋନିକ ବର୍ଜ୍ୟବସ୍ତୁ ଦୂଷିତ କରିବାରେ ଲାଗିଛନ୍ତି। ଘରେ ବ୍ୟବହୃତ ଟେଲିଭିଜନ, ରେଡ଼ିଓ, ସାଉଣ୍ଡ ସିଷ୍ଟମ, ଫ୍ରିଜ, ସେନସର, ଫୋନ, ମୋବାଇଲ, କମ୍ପୁଟର, ଲାପଟପ୍, ମୋବାଇଲ, ବ୍ୟାଟେରୀ, ଏସି ଆଦିରୁ ସୃଷ୍ଟି ଅନାବଶ୍ୟକ ପଦାର୍ଥ ଗୁଡ଼ିକ ବାହାରେ ବହୁ ବର୍ଷ ଧରି ଜମା ରହିବା ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଘରେ ଘରେ ବ୍ୟବହାର ହେଉଥିବାଇ ଲୋକଟ୍ରୋନିକ ବର୍ଜ୍ୟବସ୍ତୁ ବାହାରେ ଫିଙ୍ଗା ହେବା ପରେ ଏହା ମାଟିରେ ମିଶୁ ନଥିବା କାରଣରୁ ପ୍ରଦୂଷଣର ରୂପ ନେଉଛି। ଏହାକୁ ସେବନ କରୁଥିବା ଗୃହପାଳିତ ପଶୁ ମାନେ ବିଭିନ୍ନ ମାରାତ୍ମକ ରୋଗର ଶୀକାର ହେଉଛନ୍ତି। ଅପରପକ୍ଷରେ ଇ- ପ୍ରଦୂଷଣର ପରୋକ୍ଷ ପ୍ରଭାବ ମାନବ ସମାଜ ଉପରେ ପଡୁଛି। ବିଭିନ୍ନ ସ୍ୱାସ୍ଥ୍ର୍ୟଗତ ସମସ୍ୟା ମନୁଷ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ଶାରୀରୀକ ବିକଳାଙ୍ଗତା, ଅକ୍ଷମତା, ମହିଳା ମାନଙ୍କ ଗର୍ଭଜନିତ ସମସ୍ୟା, ବୟସ୍କ ନାଗରିକଙ୍କ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଛି। ଦେଶରେ ୨ ନିୟୁତ ମେଟ୍ରିକ ଟନ ଇ- ବର୍ଜ୍ୟବସ୍ତୁକୁ ନେଇ ୨୦୧୧ରେ ନିୟମ ବାହାର କରାଯାଇଥିଲା। ଏହି ଆଇନ ଅନୁଯାୟୀ ଇ- ଆବର୍ଜନା ସୃଷ୍ଟିକାରୀଙ୍କୁ ଏହାର ପରିଚାଳନା ଲାଗି ଅନ୍ୟାନ ବ୍ୟବସ୍ଥା କରିବାକୁ ପଡ଼ିବ। ଉକ୍ତ ଇ- ପ୍ରଦୂଷଣରୁ ବର୍ତିବା ଲାଗି ବ୍ୟକ୍ତିଗତ ଉଦ୍ୟମ ନିହାତି ଲୋଡ଼ା। ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ବାୟୁ, ଜଳ, ଶଦ୍ଦ ପ୍ରଦୂଷଣ ଠାରୁ ସବୁଠୁ ଭୟଙ୍କର ଇ- ପ୍ରଦୂଷଣ। ଇ- ଆବର୍ଜନା ଏହାର ମୁଖ୍ୟ ବାହକ। ଇ- ପ୍ରଦୂଷଣ ପ୍ରତ୍ୟକ୍ଷ ଭାବେ ବାୟୁ, ଜଳକୁ ପ୍ରଦୂଷିତ କରିବା ସହିତ ଜୀବଜଗତ ଉପରେ ଏହାର ପ୍ରଭାବ ପକାଏ। ଭାରତର ମହାନଗର ଗୁଡ଼ିକରେ ଏହି ସମସ୍ୟା ଏବେ ବଢିବାରେ ଲାଗିଲାଣି। ଏଥିପ୍ରତି ଯୁବପିଢୀ ନିହାତି ଭାବେ ସର୍ତକ ହୋଇ ଏହାର ନିରାକରଣ ପାଇଁ ବାଟ ଖୋଜିବା ଜରୁରୀ ହୋଇ ପଡ଼ିଛି।