Odiapua.com

ଇସ୍ପାତ ଶିଳ୍ପକୁ କେନ୍ଦ୍ର ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ – ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ ଶିଳ୍ପ ସହ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

– ୨୦୩୦ ସୁଦ୍ଧା ୩୦୦ ମିଲିୟନ ମେଟ୍ରିକ ଟନ୍ ଷ୍ଟିଲ୍ ଉତ୍ପାଦନ ଲକ୍ଷ୍ୟକୁ ପୂରଣ କରାଯିବ
– ପ୍ରତିଯୋଗୀତାମୂଳକ, ଉତମମାନ ସହ ସର୍ବାଧିକ ରପ୍ତାନୀ ଭାରତର ଇସ୍ପାତକୁ ବିଶ୍ୱରେ ପ୍ରତିଷ୍ଠିତ କରିପାରିବ
– ଇସ୍ପାତ୍ ଶିଳ୍ପ ସମ୍ପର୍କିତ ବିଭିନ୍ନ ଦାବିର ଉଚିତ୍ ବିଚାର କରାଯିବା ସହ ସମସ୍ୟାର ସମାଧାନ ଶୀଘ୍ର କରାଯିବା ନେଇ ପ୍ରତିଶ୍ରୁତି

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୩ (ଓଡ଼ିଆ ପୁଅ) – ଇସ୍ପାତ ଶିଳ୍ପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ସ୍ୱଦେଶ ଫେରିବା ପରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଇସ୍ପାତ ଶିଳ୍ପର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉକ୍ତ ବୈଠକରେ ଇସ୍ପାତ ଶିଳ୍ପର ବିଭିନ୍ନ ସମ୍ଭାବନା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଶିଳ୍ପର ଅଧିକାରୀମାନେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ମେଟ୍ରିକ ଟନ୍ ଷ୍ଟିଲ୍ ଉତ୍ପାଦନ ଲକ୍ଷ୍ୟକୁ ପୂରଣ କରାଯିବା ନେଇ ଆଶାବ୍ୟକ୍ତ କରିଥିଲୋ ବୈଠକରେ ଶ୍ରୀ ପ୍ରଧାନ କହିଥିଲେ ଯେ ଇସ୍ପାତ ଶିଳ୍ପ କିଛି ବର୍ଷରେ ପୂର୍ଣ୍ଣ ବିକଶିତ ହୋଇଛି। ଏକ ଦୀର୍ଘମିଆଦି ଯୋଜନାରେ କ୍ଷମତା ନିର୍ମାଣ, ଉତମ ବିଶ୍ୱାସ ଓ ଟେକ୍ନୋଲୋଜି ଆଧାରରେ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରତିଯୋଗୀତାମୂଳକ, ଉତମମାନ ସହ ସର୍ବାଧିକ ରପ୍ତାନୀ ଭାରତର ଇସ୍ପାତକୁ ବିଶ୍ୱରେ ପ୍ରତିଷ୍ଠିତ କରିପାରିବ।

ଶ୍ରୀ ପ୍ରଧାନ ବୈଠକରେ ଇସ୍ପାତ୍ ଶିଳ୍ପକୁ ଗୁରୁତ୍ୱ ଦେବା ସହ ଏହି ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ଅନ୍ତରାଷ୍ଟ୍ରୀୟ ବଜାରରେ ଭାରତୀୟ ଉତ୍ପାଦର ବହୁତ ଚାହିଦା ରହିଛି। ଏହାସହ ଇସ୍ପାତ୍ ଶିଳ୍ପର ଥିବା ବିଭିନ୍ନ ଦାବିର ଉଚିତ୍ ବିଚାର କରାଯିବ ଏବଂ ଏ ସମ୍ପର୍କିତ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ଶିଳ୍ପର ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବିଶେଷ ଭାବରେ ଶିଳ୍ପ ସହ ଜଡିତ ଆର୍ଥିକ, କଂଚାମାଲର ସହଜ ଉପଲବ୍ଧତା, ମୁକ୍ତ ବ୍ୟାପାର ବୁଝାମଣା ଓ ଖଣିଜ ଅନୁବନ୍ଧ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା।