Odiapua.com

ଇଲେକ୍ଟ୍ରାନିକ ସିଗାରେଟ ନିଷେଧ ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରି

– ପ୍ରଥମ ଥର ଆଇନ ଉଲ୍ଲଙ୍ଘନ ପାଇଁ ବର୍ଷେ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା
– ଦ୍ୱିତୀୟବାର ଉଲ୍ଲଙ୍ଘନ ଲାଗି ୩ ବର୍ଷ ଜେଲ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା
– ଇ-ସିଗାରେଟ ମହଜୁଦ ପାଇଁ ୬ ମାସ ଜେଲ ଓ ୫୦ ହଜାର ଜରିମାନା
– ନିଶା କାରବାର ହ୍ରାସ ଓ ସ୍ୱାସ୍ଥ୍ୟ କଲ୍ୟାଣ ଦିଗରେ ପ୍ରମୁଖ ପଦକ୍ଷେପ

ନୂଆ ଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) ବୁଧବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇଲେକ୍ଟ୍ରୋନିକ ସିଗାରେଟ (ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନି, ପରିବହନ, ବିକ୍ରୟ, ବିତରଣ, ମହଜୁଦ ଏବଂ ବିଜ୍ଞାପନ) ନିଷେଧ ଅଧ୍ୟାଦେଶ, ୨୦୧୯ର ଘୋଷଣାକୁ ମଞ୍ଜୁର କରିଛନ୍ତି। ଏହି ମଞ୍ଜୁରି ଦେଶର ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କ୍ଷେତ୍ରରେ ଏକ ବୃହତ ପଦକ୍ଷେପ ବୋଲି କୁହାଯାଉଛି।

ଇଲେକ୍ଟ୍ରୋନିକ ସିଗାରେଟ ବ୍ୟାଟେରୀଯୁକ୍ତ ଉପକରଣ ହୋଇଥିବା ବେଳେ ଏହା ତରଳ ନିକୋଟିନକୁ ଗରମ କରି ଏରୋସୋଲ ଉତ୍ପନ୍ନ କରିଥାଏ। ସାଧାରଣ ସିଗାରେଟରେ ଏରୋସୋଲ ହେଉଛି ଏକ ପ୍ରକାର ନିଶାଯୁକ୍ତ ପଦାର୍ଥ। ଇ-ସିଗାରେଟରେ ସମସ୍ତ ପ୍ରକାରର ଇଲେକ୍ଟ୍ରୋନିକ ନିକୋଟିନ ଡେଲିଭରୀ ସିଷ୍ଟମ, ଜଳାଇବା ପରିବର୍ତେ ଗରମ ହେଉଥିବା ଉତ୍ପାଦ, ଇ-ହୁକ୍କା ଏବଂ ଅନୁରୂପ ଅନ୍ୟ ଉପକରଣ ମଧ୍ୟ ସାମିଲ ରହିଛି। ଏପରି ନୂଆ ଉତ୍ପାଦ ଆକର୍ଷକ ତଥା ବିଭିନ୍ନ ସୁଗନ୍ଧଯୁକ୍ତ ହୋଇଥାନ୍ତି। ଏହାର ଉପଯୋଗ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିକଶିତ ଦେଶଗୁଡ଼ିକରେ, ବିଶେଷ କରି ଯୁବକ ଏବଂ ଶିଶୁମାନଙ୍କ ଠାରେ ଏହା ଏକ ମହାମାରୀର ରୂପ ନେଇଛି।

କାର୍ଯ୍ୟାନ୍ୱୟନ :

ଅଧ୍ୟାଦେଶ ଘୋଷଣା ହେବା ପରେ ଇ-ସିଗାରେଟର କୌଣସି ପ୍ରକାର ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନି, ପରିବହନ, ବିକ୍ରୟ (ଅନଲାଇନ ବିକ୍ରି ସମେତ), ବିତରଣ କିମ୍ବା ବିଜ୍ଞାପନ (ଅନଲାଇନ ବିଜ୍ଞାପନ ସମେତ)କୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ପ୍ରଥମ ଥର ଅପରାଧ କ୍ଷେତ୍ରରେ ଏକ ବର୍ଷ ଜେଲ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଅଥବା ଉଭୟ ଦଣ୍ଡ ବିଧାନ କରାଯିବ। ପୁଣି ଥରେ ଅପରାଧ କରିବା ଲାଗି ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ ହୋଇପାରେ। ଇଲେକ୍ଟ୍ରୋନିକ ସିଗାରେଟ ମହଜୁଦ କରି ରଖିବା ପାଇଁ ମଧ୍ୟ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଅଥବା ୫୦ ହଜାର ଟଙ୍କା ଜରିମାନା ଅଥବା ଉଭୟ ଦଣ୍ଡ ବିଧାନ କରାଯିବ।

ଅଧ୍ୟାଦେଶ ଲାଗୁ ହେବା ତାରିଖ ଠାରୁ ଇ-ସିଗାରେଟ ମହଜୁଦକାରୀମାନେ ସେମାନଙ୍କ ମହଜୁଦ ଉତ୍ପାଦ ସମ୍ପର୍କରେ ଘୋଷଣା କରି ନିକଟସ୍ଥ ପୁଲିସ ଥାନାରେ ଜମା କରିବାକୁ ହେବ। ପୁଲିସ ସବଇନ୍ସପେକ୍ଟରଙ୍କୁ ଅଧ୍ୟାଦେଶ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ନିର୍ଦ୍ଧାରିତ କରାଯାଇଛି। ଅଧ୍ୟାଦେଶର ବ୍ୟବସ୍ଥାକୁ ଲାଗୁ କରିବା ଲାଗି କେନ୍ଦ୍ର କିମ୍ବା ରାଜ୍ୟ ସରକାର ସମାନ ପାହ୍ୟାର କୌଣସି ଅଧିକାରୀଙ୍କୁ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ନିଯୁକ୍ତ କରିପାରିବେ।

ପ୍ରମୁଖ ପ୍ରଭାବ :

ଇ-ସିଗାରେଟ ନିଷେଧ କରିବା ଲାଗି ନିଷ୍ପତି ହେବା ପରେ ଲୋକମାନଙ୍କୁ, ବିଶେଷ କରି ଯୁବପିଢ଼ି ଓ ପିଲାମାନଙ୍କୁ ଇ-ସିଗାରେଟ ନିଶା କବଳରୁ ସୁରକ୍ଷା ଦେବାରେ ସହାୟତା ମିଳିପାରିବ। ଅଧ୍ୟାଦେଶ ଲାଗୁ ହେବା ଫଳରେ ସରକାରଙ୍କ ତମାଖୁ ନିୟନ୍ତ୍ରଣ ପ୍ରୟାସକୁ ସହାୟତା ମିଳିପାରିବ। ତମାଖୁ ଉପଯୋଗ ମଧ୍ୟ ହ୍ରାସ ପାଇବ। ଏଥିସହିତ ଜଡ଼ିତ ଆର୍ଥିକ ବୋଝ ଏବଂ ରୋଗ ମଧ୍ୟ କମିବ ବୋଲି କୁହାଯାଉଛି।