Odiapua.com

ଇପିଏସ୍ -୯୫ ପେନ୍‌ସନ୍ ସଂଶୋଧନ ଦାବି, ବିଏମ୍‌ଏସ୍ ଓ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାକର୍ସ ଆସୋସିଏସନ୍ ଭଦ୍ରକ ଶାଖା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ବିଏମ୍‌ଏସ୍ ତରଫରୁ ଆଜି ଦେଶବ୍ୟାପୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଜରିଆରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ମାର୍ଚ୍ଚ ଆସାମର ଗୌହାଟୀରେ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଇପିଏସ୍‌-୯୫ କୁ କେନ୍ଦ୍ରକରି ଗୃହୀତ ପ୍ରସ୍ତାବ ବିରୁଦ୍ଧରେ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଏବଂ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ ପ୍ରଦର୍ଶନ ସହିତ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦିଆଯାଇଥିବା ଦାବିପତ୍ରରୁ ପ୍ରକାଶ ଯେ ଦେଶରେ ବର୍ତମାନ ପ୍ରାୟ ୭୬ ଲକ୍ଷରୁ ଉର୍ଦ୍ଧ୍ୱ ଇପିଏସ୍ -୯୫ ଅନ୍ତର୍ଗତ ପେନ୍‌ସନ୍‌ଭୋଗୀ ଅଛନ୍ତି, ଯେଉଁମାନଙ୍କୁ ସର୍ବନିମ୍ନ ୧୦୦୦/- ପେନ୍‌ସନ୍ ମିଳୁଛି। ଯେଉଁମାନେ ଦେଶ ଗଠନରେ ଦେଶର ବିଭିନ୍ନ ବେସରକାରୀ କ୍ଷେତ୍ରରେ କାମ କଲେ, ଆଜି ସେମାନେ ଉପେକ୍ଷାର ଶିକାର ହେଉଛନ୍ତି। ଗତ ତିନି ବର୍ଷ ଧରି, ବିଏମ୍‌ଏସ୍ ଇପିଏସ୍‌-୯୫ ଅନ୍ତର୍ଗତ ସର୍ବନିମ୍ନ ପେନସନକୁ ୧୦୦୦/- ରୁ ୫୦୦୦/- କୁ ବୃଦ୍ଧି କରିବା ସହିତ ମହଙ୍ଗା ଭତା ସହିତ ଯୋଡ଼ିବା ପାଇଁ ଦାବି କରିଆସୁଛି। ଏହା ସହିତ ବିଏମ୍‌ଏସ୍ ଏହି ପେନସନଭୋଗୀଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍‌-ବଜେଟ୍ ବୈଠକରେ ବିଏମ୍‌ଏସ୍ ଶୋଷିତ, ପୀଡ଼ିତ, ନିଷ୍ପେସିତ, ସମସ୍ତ ସରକାରୀ ସୁବିଧାରୁ ବଂଚିତ ଶ୍ରମିକଙ୍କ ପାଇଁ ବିଶେଷ ଅର୍ଥ ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି କରି ଆସୁଛି। ସରକାର ଅଦ୍ୟାବଧି ଅସଙ୍ଗଠିତ ଶ୍ରମିକଙ୍କ ଭବିଷ୍ୟତ ସୁରକ୍ଷିତ ପାଇଁ କୌଣସି ଠୋସ ନିର୍ଣ୍ଣୟ ନେଇନାହାଁନ୍ତି । ସାଂପ୍ରତିକ ନିତ୍ୟବ୍ୟବହୃତ ସାମଗ୍ରୀ ଗୁଡ଼ିକର ଅହେତୁକ ମୂଲ୍ୟବୃଦ୍ଧି ସମୟରେ ୧ ହଜାର ପେନସନ ଟଙ୍କାରେ ବଂଚିବା କଳ୍ପନା ଯୋଗ୍ୟ ନୁହେଁ। ଅଙ୍ଗନୱାଡି, ଆଶା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ଭଳି ସ୍କିମ୍ କର୍ମଚାରୀ ତଥା ବିଡି, ବୃକ୍ଷରୋପଣ, ଚା’ ବଗିଚା କର୍ମଚାରୀ, କୃଷି ଶ୍ରମିକ ଏବଂ ଖଣି ଶ୍ରମିକଙ୍କ ଭଳି ଅସଂଗଠିତ କର୍ମଚାରୀ ମାନେ ସାମାଜିକ ସୁରକ୍ଷା ଅନ୍ତର୍ଗତ ପେନସନ ଓ ୬୦ ବର୍ଷ ପରେ ଚିକିତ୍ସାରୁ ବଂଚିତ ଓ ଅବହେଳିତ ହେଉଛନ୍ତି। ଚଳିତ ବଜେଟରେ ସରକାର ୨୦୩୦ ସୁଦ୍ଧା ସମ୍ପତି ମୋନିଟାଇଜେସନ୍ ମାଧ୍ୟମରେ ୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥି ସହିତ, ଜୀବନ ବୀମା ନିଗମରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗକୁ ଅନୁମତି ଦେଇ ଏହା ସାଧାରଣ ସମ୍ପତି ବିକ୍ରୟ ପାଇଁ ରାସ୍ତା ଖୋଲିବା ଅତ୍ୟନ୍ତ ଭୁଲ ନିଷ୍ପତି ବୋଲି ବିଏମଏସ ଅନୁଭବ କରୁଛି। ସରକାରଙ୍କ ଏହି ପଦକ୍ଷେପ ଆତ୍ମନିର୍ଭରଶୀଳ ଭାରତର ଅବଧାରଣା ନଷ୍ଟ କରୁଛି। ଏଣୁ ଭାରତୀୟ ମଜଦୁର ସଂଘ ଭାରତ ସରକାରଙ୍କ ନିକଟରେ ଦାବି କରୁଛି ଯେ ଇପିଏସ୍ -୯୫ ଅନୁଯାୟୀ ସର୍ବନିମ୍ନ ପେନ୍‌ସନ୍ ୫ ହଜାର ପ୍ରଦାନ କରାଯିବା ସହିତ ମହଙ୍ଗା ଭତା ସହ ଯୋଡ଼ା ଯାଉ, ଇପିଏଫ୍‌ର ବେତନ ସୀମା ପୁନଃ ନିର୍ଦ୍ଧାରଣ କରାଯାଇ ୧୫ ହଜାରରୁ ରୁ ୩୦ ହଜାରକୁ ବୃଦ୍ଧି ସହିତ ଇଏସ୍‌ଆଇସିସର ବେତନ ସୀମା ୨୧ହଜାରରୁ ୪୨ ହଜାର ଟଙ୍କାକୁ ବୃଦ୍ଧି କରାଯାଉ, ସର୍ବସାଧାରଣ ସମ୍ପତି ବିକ୍ରୟ ଉପରେ ତୁରନ୍ତ ନିଷେଧାଦେଶ ଜାରି ହେଉ। ବୀମା / ଆର୍ଥିକ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ପ୍ରତିବନ୍ଧକ ଲଗାଯାଉ। ସମସ୍ତ ସ୍କିମ୍ ୱାର୍କର ମାନଙ୍କୁ କର୍ମଚାରୀର ମାନ୍ୟତା ସହିତ ସରକାରୀ କର୍ମଚାରୀ ଭାବରେ ସମାନ ଦରମା ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ, ଅସଂଗଠିତ କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ ହେଉ ବୋଲି ଦାବି କରିଛି। ଏ ନେଇ ଆଜି ଭାରତୀୟ ମଜଦୁର ସଂଘର କର୍ମକର୍ତା ଏବଂ ସମର୍ଥକମାନେ ବନ୍ତ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଏସଠାରେ ପ୍ରତିବାଦ ସଭା ପରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଳା ସଭାପତି ମନୋଜ ବସନ୍ତରାୟଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁକ୍ତିକାନ୍ତ ସାହୁ, ବିଶ୍ୱକର୍ମା ମଜଦୁର ସଂଘ ଜିଳ୍ଲା ସମ୍ପାଦକ ବିଭୁତି ପାଣିଗ୍ରାହୀ, ବିଶ୍ୱନାଥ ଯେନା, ଅଶୋକ ନାୟକ,କମଳାକାନ୍ତ ସାହୁ, ବିପ୍ର ସେଠୀ, ସନ୍ଧ୍ୟାରାଣୀ ପୋହୀ, ଆରତୀ ପଣ୍ଡା, ବିଳାସିନୀ ନାୟକ, ମୃଗତୃଷ୍ଣା ପଟ୍ଟନାୟକ, ବସନ୍ତ ରାଉତ, ଅମୂଲ୍ୟ ଭୋଇ, ମମତା ବାରିକ, କ୍ଷୀରସିନ୍ଧୁ ନାୟକ, ଅମିୟ ନାୟକ, ନିରୂପମା ପତ୍ରୀ, ଦେବୀପ୍ରସନ୍ନ ସାମଲ, ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ସଙ୍ଗଠିତ ହୋଇ ଆନ୍ଦୋଳନ କରିବାକୁ ଆହ୍ୱାନ ଦେବା ସହିତ କାହାର ଦୟାର ପାତ୍ର ହେବା ଅପେକ୍ଷା ଆନ୍ଦୋଳନ ମାଧ୍ୟମରେ ଦାବି ହାସଲ କରିବାକୁ ଆହ୍ୱାନ କରିଥିଲେ। ସେହିପରି ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାକର୍ସ ଆସୋସିଏସନ୍ ଭଦ୍ରକ ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସଂଘର ସଭାନେତ୍ରୀ ଜୟନ୍ତୀ ଜେନା, ସଂପାଦିକା ଅର୍ଣ୍ଣପୂର୍ଣ୍ଣା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲା ପ୍ରଶାସନର ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।