Odiapua.com

ଇନରହୁଇଲ୍ କ୍ଲବ୍‌ର ବରିଷ୍ଠ ନାଗରିକ ଦିବସ ପାଳିତ, ଅଭିଜ୍ଞ ମଣିଷଟିଏ ସର୍ବଦା ସମାଜର ପଥ ପ୍ରଦର୍ଶକ

ଭଦ୍ରକ, ୨୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ମହିଳାମାନଙ୍କ ଅଗ୍ରଣୀ ସେବା ସଂସ୍ଥା ଭଦ୍ରକ ଇନର ହୁଇଲ୍ କ୍ଲବ୍ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଦିବସ ଜଳଗାଁସ୍ଥିତ କଳ୍ପନାଦେବୀ ଜରାନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇନର ହୁଇଲର ସଦସ୍ୟମାନେ ଜରାନିବାସର ଟ୍ରଷ୍ଟି ଡାକ୍ତର ହରେକୃଷ୍ଣ ନାୟକ ଓ ୧୬ ଜଣ ଅନ୍ତେବାସୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଉପଢୌକନ ଓ ଭଗବତ ଗୀତା ସଂକ୍ଷିପ୍ତ ସାର ପୁସ୍ତକ ପ୍ରଦାନ କରିଥିଲେ । ଇନର ହୁଇଲ୍ ସଭାପତି ଅନିମା ନାୟକ ଓ ସଂପାଦିକା ରଶ୍ମିରେଖା ପରମାଣିକ ନିଜ ବକ୍ତବ୍ୟରେ ଅଭିଜ୍ଞ ମଣିଷଟିଏ ସମାଜ ପାଇଁ ସର୍ବଦା ଆବଶ୍ୟକ ଓ ବରିଷ୍ଠ ନାଗରିକଙ୍କର ସମାଜ ପ୍ରତି ଅବଦାନକୁ ଭୁଲିଯାଇ ଆଧୁନିକତାର ଦ୍ୱାହି ଦେଇ ନୂତନ ପିଢି ଯେଉଁ ଅବହେଳା କରୁଛନ୍ତି, ତାହାର ନକାରତ୍ମକ ପ୍ରଭାବ ସମାଜ ଭୋଗ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରଜିତା ନାୟକ, ପରମଜିତ କୌର, ପ୍ରଣତି ମଲ୍ଲିକ, ସ୍ମିତା ମହାନ୍ତି, ଅଞ୍ଜନା ମିଶ୍ର, ରୋଟାରିଆନ ଅଭିଜିତ୍ ନାୟକ, ବାଦଲ କିଶୋର ମହାପାତ୍ର ପ୍ରମୁଖ ଯୋଗଦେଇ ଅନ୍ତେବାସୀମାନଙ୍କ ସହ ସମୟ ଅତିବାହିତ କରିଥିଲେ । କ୍ଲବ୍ ପକ୍ଷରୁ ଅନ୍ତେବାସୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ସହାୟତା ପାଇଁ ବାଦଲ କିଶୋର ମହାପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।