Odiapua.com

ଇଦ୍ ପର୍ବ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶାନ୍ତି ଶୃଙ୍ଖଳାର ସହିତ ଆଗାମୀ ଇଦ୍ ପର୍ବକୁ ପାଳନ କରାଯିବା ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭା ଗୃହରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ମୁସଲିମ୍ ଜମାତ୍‌ର କର୍ମକର୍ତ୍ତାମାନେ ଇଦ୍‌ପର୍ବ ପାଳନର କାର୍ଯ୍ୟକ୍ରମ ଓ ପ୍ରଶାସନ ତରଫରୁ ଆବଶ୍ୟକ ବିଭାଗୀୟ ସହଯୋଗ ସମ୍ବନ୍ଧରେ ବୈଠକରେ ପ୍ରକାଶ କରିଥିଲେ । ପ୍ରଦତ୍ତ ସୂଚନା ଅନୁଯାୟୀ ଏପ୍ରିଲ ୨୧ରେ ଜହ୍ନ ଦେଖାଗଲେ ୨୨ ତାରିଖରେ ନଚେତ୍ ୨୩ ତାରିଖରେ ଇଦ୍ ପର୍ବ ପାଳନ କରାଯିବ । ଇଦ୍ ପର୍ବଦିନ ସକାଳେ ସମସ୍ତ ମସଜିଦ୍‌ରେ ସମୂହ ପ୍ରାର୍ଥନା କରାଯିବା ସହିତ କୁଆଁଶ ଠାରେ ଥିବା ଇଦ୍‌ଘାରେ ସମୂହ ନମାଜ ପାଠ ପାଇଁ ବୃହତ୍ ଜନସମାବେଶ ହେବାନେଇ ସୂଚନା ପ୍ରଦାନ କରିଥିଲେ । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଯଥା ସମ୍ଭବ ଶୀଘ୍ର ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ ।

ଇଦ୍‌ଘାଠାରେ ଅଧିକ ଜନ ଗହଳି ଯୋଗୁଁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ୍ ବ୍ୟବସ୍ଥା, ପାନୀୟ ଜଳ ପାଇଁ ଟ୍ୟାଙ୍କର, ଆମ୍ବୁଲାନସ୍‌, ୩/୪ ଟ୍ରିପ୍ ମାଟି କିମ୍ବା ବାଲି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ସଫେଇ ଆଦି ସେବା ଯୋଗାଇ ଦେବାପାଇଁ କର୍ମକର୍ତ୍ତାମାନେ ପ୍ରଶାସନକୁ ଅବଗତ କରାଇବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ସେ ସବୁର ବ୍ୟବସ୍ଥା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରତି ମସ୍‌ଜିଦ୍ ପାଖରେ ଜଣେ ଜଣେ ପୋଲିସ୍ ସହିତ ଇଦ୍‌ଘା ଠାରେ ସ୍ୱତନ୍ତ୍ର ଭାବେ ଅଧିକ ପୋଲିସ୍ ମୂତୟନ କରାଯିବା ନେଇ ଏସ୍‌.ପି. ସୂଚନା ପ୍ରଦାନ କରିଥିଲେ । ଜମାତ୍ ତରଫରୁ ଅବଦୁଲ ମୋକିତ୍ ଖାଁ, ଜମିଲ ଅଖତାର ଖାଁ, ସେକ୍ ସିରାଜୁଦ୍ଦିନ୍ କାୟମ୍ ଅଲ୍ଲୀ ଶାହା, ହିନ୍ଦୁ ସୁରକ୍ଷା ସମିତିର କର୍ମକର୍ତ୍ତା ଭାବେ ବିଦ୍ୟାଧର ସାହୁ ସୁରେଶ ଶର୍ମା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ବିଦ୍ୟୁତ୍‌, ପୌରପରିଷଦ, ପ୍ରାଣୀ ଚିକିତ୍ସା, ଜନସ୍ୱାସ୍ଥ୍ୟ, ଅଗ୍ନିଶମ, ପୂର୍ତ୍ତ, ପରିବହନ, ଅବକାରୀ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ପୋଲିସ୍ ବିଭାଗ ତରଫରୁ ଡ଼ି.ଏସ୍‌.ପି. ଡି.ଆଇ.ବି କମଳ ଲୋଚକ ଭୂୟାଁ, ସିଟି ଡି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ଟାଉନ୍ ଥାନାଧିକାରୀ ଉମାଶଙ୍କର ନାୟକ, ଆର୍‌.ଆଇ. ପୋଲିସ୍ ମନୋରଞ୍ଜନ ତରାଇ ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।