Odiapua.com

‘ଇଣ୍ଡିଆନ ଯୋଗ ଆସୋସିଏସନ’ର ଅନ୍‌ଲାଇନ୍ ଯୋଗ ଶିବିର

Image Credit - Shikha Sehrawat you tube

ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ଇଣ୍ଡିଆନ ଯୋଗ ଆସୋସିଏସନର ଓଡ଼ିଶା ଶାଖା ପକ୍ଷରୁ ଅନ୍‌ଲାଇନ୍ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମଗ୍ର ରାଜ୍ୟରୁ ୨ଶହରୁ ଊର୍ଦ୍ଧ୍ୱ ଯୋଗ ପ୍ରଶିକ୍ଷକ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଯୋଗ ଓ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ କରୋନା ସଂକ୍ରମଣ ପ୍ରତିହତ ସମ୍ପର୍କରେ ଶିକ୍ଷା ଗ୍ରହଣ କରିଥିଲେ। ବାଲେଶ୍ୱରର ଯୋଗ ପ୍ରଶିକ୍ଷଣ କେନ୍ଦ୍ର ‘ହେଲଦି ଲାଇଫ୍‌’ର ମୁଖ୍ୟ ତଥା ଆସୋସିଏସନର ସମ୍ପାଦକ ଡାକ୍ତର ଚିତ୍ତରଂଜନ ସାହୁ ଏହି ଶିବିରରେ ଯୋଗଦେଇ ଷଟକ୍ରିୟା, କପାଳଭାତି, ଜଳନେତି, ଧୌତି, ବସ୍ତି ପ୍ରଭୃତି ଯୋଗକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥି ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରାକୃତିକ ଉପାୟରେ ବାଷ୍ଫ ଚିକିତ୍ସା, ଜଳ ଚିକିତ୍ସା ଓ ଖାତ୍ୟ ଚିକିତ୍ସା ଆଦି ସହ ସାମାଜିକ ଦୂରତା, ମାସ୍କ ପରିଧାନ ଓ ହାତ ଧୋଇବା ସମ୍ପର୍କରେ ସେ ବିଶଦ ଭାବେ ବୁଝାଇଥିଲେ। କରୋନା ଯୁଦ୍ଧକୁ ଜିତିବା ପାଇଁ ବିଭିନ୍ନ ପ୍ରାକୃତିକ ଉପାଦାନ ସମ୍ବଳିତ କାଢ଼ା ପ୍ରସ୍ତୁତି କରି ପ୍ରତ୍ୟେହ ପିଇବାକୁ ଡାକ୍ତର ସାହୁ ପରାମର୍ଶ ଦେଇଥିଲେ। ସମସ୍ତେ ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ସ୍ଲୋଗାନ ସହ ନିୟମିତ ଯୋଗ ଓ ପ୍ରାଣାୟାମ ଅଭ୍ୟାସ ଜାରି ରଖିବାକୁ ଜନ ସାଧାରଣଙ୍କ ମଧ୍ୟରେ ସଚେନତା ସୃଷ୍ଟି ନିମନ୍ତେ ଡାକ୍ତର ସାହୁ ଶିବିରାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।