Odiapua.com

ଇଏସଆଇ ଯୋଗଦାନ ହାରକୁ ୬.୫ ରୁ ୪ ପ୍ରତିଶତକୁ କମାଇଲେ ସରକାର

ନୂଆ ଦିଲ୍ଲୀ ୧୩-୬ (ଓଡ଼ିଆ ପୁଅ) ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଇଏସଆଇ ଯୋଜନାରେ ଯୋଗଦାନକୁ ୬.୫% ପ୍ରତିଶତରୁ ୪%କୁ କମାଇ ଦେଇଛନ୍ତି। ନିଯୁକ୍ତିଦାତାଙ୍କ ଯୋଗଦାନକୁ ୪.୭%ରୁ ୩.୨୫%କୁ କମାଇ ଦିଆଯାଇଥିବା ବେଳେ କର୍ମଚାରୀଙ୍କ ଯୋଗଦାନକୁ ୧.୭୫%ରୁ ୦.୭୫%କୁ ହ୍ରାସ କରାଯାଇଛି। ହ୍ରାସ ପାଇଥିବା ହାର ୧.୭.୨୦୧୯ ଠାରୁ ଲାଗୁ ହେବ। ଏହାଦ୍ୱାରା ୩.୬ କୋଟି କର୍ମଚାରୀ ଏବଂ ୧୨.୮୫ ନିଯୁକ୍ତିଦାତା ଲାଭବାନ ହୋଇପାରିବେ।

ଯୋଗଦାନ ପରିମାଣ ହ୍ରାସ ପାଇବା ଫଳରେ କର୍ମଚାରୀମାନେ ଆଶ୍ୱସ୍ତି ପାଇବା ସହିତ ଅଧିକ ସଂଖ୍ୟକ କର୍ମଚାରୀ ଇଏସଆଇ ଯୋଜନାରେ ପଞ୍ଜିକୃତ ହୋଇପାରିବେ। ଏହାଦ୍ୱାରା ଅଧିକ ସଂଖ୍ୟକ କର୍ମଶକ୍ତି ସଂଗଠିତ କ୍ଷେତ୍ରକୁ ଆସିପାରିବେ। ସେହିପରି, ନିଯୁକ୍ତିଦାତାଙ୍କ ଅଂଶଧନ ହ୍ରାସ ପାଇବା ଫଳରେ ଏସବୁ ସଂସ୍ଥାଗୁଡ଼ିକ ଆର୍ଥିକ ବୋଝ ହ୍ରାସ ପାଇବ ଏବଂ ଏହା ସେମାନଙ୍କ ଦୀର୍ଘସ୍ଥାୟିତ୍ୱକୁ ମଧ୍ୟ ବଜାୟ ରଖିବାରେ ସହାୟକ ହେବ। ଏହା ମଧ୍ୟ ବ୍ୟବସାୟିକ ସୁଗମତାକୁ ସମ୍ପ୍ରସାରିତ କରିବ। ଏହା ମଧ୍ୟ ଆଶା କରାଯାଉଛି ଯେ ଇଏସଆଇ ଯୋଗଦାନ ହ୍ରାସ ପାଇବା ଫଳରେ ଆଇନର ଅନୁପାଳନରେ ଉନ୍ନତି ଆସିବ।

କର୍ମଚାରୀ ରାଜ୍ୟ ବୀମା ଆଇନ ୧୯୪୮ (ଇଏସଆଇ ଆଇନ) ଏହା ଅଧୀନରେ ବୀମାଭୁକ୍ତ ବ୍ୟକ୍ତିମାନଙ୍କୁ ଚିକିତ୍ସା, ନଗଦ, ମାତୃତ୍ୱ, ଅକ୍ଷମତା ଏବଂ ନିର୍ଭରଶୀଳତାର ଲାଭ ପ୍ରଦାନ କରିଥାଏ। ଇଏସଆଇ ଆଇନ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଦ୍ୱାରା ପରିଚାଳିତ ହୋଇଥାଏ। ଇଏସଆଇ ଆଇନ ଅଧୀନରେ ଯୋଗାଇ ଦିଆଯାଉଥିବା ଲାଭ ନିମନ୍ତେ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପକ୍ଷରୁ ଦିଆଯାଉଥିବା ଯୋଗଦାନକୁ ଉପଯୋଗ କରାଯାଇଥାଏ।

ଇଏସଆଇ ଆଇନ ଅଧୀନରେ କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟ ସେମାନଙ୍କ ଅଂଶଧନ ଦାଖଲ କରିଥାନ୍ତି। ଭାରତ ସରକାର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ ଇଏସଆଇ ଆଇନ ଅନ୍ତର୍ଗତ ଯୋଗଦାନ ଦର ନିର୍ଦ୍ଧାରଣ କରିଥାନ୍ତି। ବର୍ତମାନ ମଜୁରିର ୬.୫% ଯୋଗଦାନ ନିର୍ଦ୍ଧାରଣ କରାଯାଇଛି, ଏଥିମଧ୍ୟରୁ ନିଯୁକ୍ତିଦାତାଙ୍କ ଯୋଗଦାନ ୪.୫% ଏବଂ କର୍ମଚାରୀଙ୍କ ଯୋଗଦାନ ୧.୭୫% ରହିଛି। ଏହି ଦର ୦୧.୦୧.୧୯୯୭ ଠାରୁ ଲାଗୁ ହୋଇଆସିଛି।

ଅଧିକ ସଂଖ୍ୟକ ଲୋକମାନଙ୍କୁ ସାମାଜିକ ନିରପତାର ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଡିସେମ୍ବର ୨୦୧୬ ଠାରୁ ଜୁନ ୨୦୧୭ ପର୍ଯ୍ୟନ୍ତ ନିଯୁକ୍ତଦାତା ଏବଂ କର୍ମଚାରୀଙ୍କ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିସହିତ ପର୍ଯ୍ୟାୟକ୍ରମେ ଦେଶର ସବୁ ଜିଲ୍ଲାକୁ ଏହି ଯୋଜନାର ପ୍ରସାର ପହଁଚାଇବା ପାଇଁ ନିଷ୍ପତି ନିଆଯାଇଥିଲା। ଏହି ପ୍ରସାରର ମଜୁରି ସିଲିଂ ୧.୧. ୨୦୧୭ ପରଠାରୁ ମାସିକ ୧୫ ହଜାର ଟଙ୍କାରୁ ବୃଦ୍ଧି କରାଯାଇ ୨୧ ହଜାର ଟଙ୍କା କରି ଦିଆଯାଇଥିଲା।

ଏହି ପ୍ରୟାସ ଫଳରେ ପଞ୍ଜିକୃତ କର୍ମଚାରୀ ଯଥା ବୀମାଭୁକ୍ତ ବ୍ୟକ୍ତି ଏବଂ ସେମାନଙ୍କ ନିଯୁକ୍ତିଦାତାଙ୍କ ସଂଖ୍ୟା ଓ ଯୋଜନାରୁ ସେମାନଙ୍କୁ ମିଳୁଥିବା ଲାଭରେ ଉତ୍ସାହଜନକ ବୃଦ୍ଧି ପରିଲକ୍ଷିତ ହୋଇଥିଲା।

୨୦୧୫-୧୬ରେ ନିଯୁକ୍ତିଦାତାଙ୍କ ସଂଖ୍ୟା ୭, ୮୩, ୭୮୬ ଥିବା ବେଳେ ବୀମାଭୁକ୍ତ କର୍ମଚାରୀଙ୍କ ସଂଖ୍ୟା ୨.୧ କୋଟି ଥିଲା, ଏହି ବର୍ଷର ଯୋଗଦାନ ପରିମାଣ ୧୧, ୪୫୫ କୋଟି ଟଙ୍କା ଥିଲା। ୨୦୧୬-୧୭ ବର୍ଷରେ ନିଯୁକ୍ତିଦାତାଙ୍କ ସଂଖ୍ୟା ୮, ୯୮, ୧୩୮ ଏବଂ ବୀମାଭୁକ୍ତ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୩.୧ କୋଟି ଓ ଯୋଗଦାନ ୧୩, ୬୬୨ କୋଟି ଟଙ୍କା ଥିଲା। ୨୦୧୭-୧୮ରେ ନିଯୁକ୍ତଦାତାଙ୍କ ସଂଖ୍ୟା ୧୦, ୩୩, ୭୩୦ ଏବଂ ବୀମାଭୁକ୍ତ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୩.୪ କୋଟି ଏବଂ ସେମାନଙ୍କ ଯୋଗଦାନ ପରିମାଣ ୨୦, ୦୭୭ କୋଟି ଟଙ୍କା ଥିଲା। ଅନୁରୂପ ଭାବେ ୨୦୧୮-୧୯ରେ ନିଯୁକ୍ତିଦାତାଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨, ୮୫, ୩୯୨ ଏବଂ ବୀମାଭୁକ୍ତ କର୍ମଚାରୀଙ୍କ ସଂଖ୍ୟା ୩.୬ କୋଟି ଏବଂ ସେମାନଙ୍କ ଯୋଗଦାନ ପରିମାଣ ୨୨, ୨୭୯ କୋଟି ଟଙ୍କା ଥିଲା।

ଭାରତ ସରକାର କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ କଲ୍ୟାଣ ପ୍ରତି ସମର୍ପିତ।

ସେହିପରି ଏହା ମଧ୍ୟ ଇଏସଆଇ ଯୋଜନା ଅଧୀନରେ ଚିକିତ୍ସା ସେବା ଓ ଅନ୍ୟ ଲାଭର ମାନରେ ଉନ୍ନତି ଆଣିବା ଲାଗି ପ୍ରତିବଦ୍ଧ।