ସମ୍ବଲପୁର, ୯/୧୦ (ଓଡ଼ିଆ ପୁଅ) ଜଣାଶୁଣା ବିଦ୍ୟୁତ ବିଶେଷଜ୍ଞ, ଲେଖକ ଏବଂ ଓଏଚପିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଇଂ. କରୁଣାକର ସୂପକାର ଆଉନାହାଁନ୍ତି। ଗତ ଶାତ ତାରିଖ ଦିନ ରାଜଧାନୀର ଏକ ନର୍ସିଂ ହୋମରେ ତାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ଏଠାରେ ଶୋକର ଛାୟା ଖେଳିଯାଇଛି। ଉତ୍ସର୍ଗ ପ୍ରଭୃତି ବହୁ ଅନୁଷ୍ଟାନ ତରଫରୁ ସ୍ୱର୍ଗତ ସୂପକାରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି। ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଏହି ସମୟରେ ତାଙ୍କ ପରିବାରର ସଦସ୍ୟଙ୍କ ସହିତ ଜ୍ଞାତିପରିଜନ ଉପସ୍ତିତ ଥିଲେ। ୧୯୪୧ ମସିହା ଡ଼ିସେମ୍ବର ୧୦ ତାରିଖ ଦିନ ସମ୍ବଲପୁର ସହରର ଝାଡ଼ୁଆପଡ଼ା ଠାରେ ଏକ ସମ୍ବ୍ରାନ୍ତ ପରିବାରରେ ଭୂମିଷ୍ଟ ହୋଇଥିଲେ। ସେ ସମ୍ବଲପୁର ସହରର ବଡ଼ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୁରୁପଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢିବା ଉତାରୁ ଟାଉନ ଉଚ୍ଚ ବିଦ୍ୟାଳୟରୁ ପ୍ର୍ଥମ ଶ୍ରେଣୀରେ ମେଟ୍ରିକ ପାସ କରିଥିଲେ। ପରେ ଗଂଗାଧର ମେହେର ମହାବିଦ୍ୟାଳୟରେ ଆଇଏସସି ଏବଂ ବିଏସସି ଅଧ୍ୟୟନ କରିବା ଉତାରୁ ଜାମସେଦପୁରର ରିଜିଓନାଲ ଇଂଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜୀ ରୁ କୃତୀତ୍ୱର ସହ ଇଂଜିନିୟରିଂ ଡ଼ିଗ୍ରୀ ହାସଲ କରିଥିଲେ। ୧୯୬୫ରୁ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରରୁ ଚାକିରୀ ଜୀବନ ଆରମ୍ବ କରିଥିଲେ। ବିଭାଗର ସମ୍ବଲପୁର, କୋରାପୁଟ, ବଲାଂଗିର, ଦେଓଗଡ଼, ବୁର୍ଲାସ୍ତିତ ହୀରାକୁଦ ପାଓାର ସିଷ୍ଟମ, ମୁଖ୍ୟ ଦପ୍ତର ପ୍ରଭୃତି ସ୍ତାନରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ, ଏସଡ଼ିଓ, ନିର୍ବାହୀ ଓ ଅଧିକ୍ଷଣ ଯନ୍ତ୍ରୀ ଆଦି ବିଭିନ୍ନ ପଦପଦବୀର ଅବସ୍ତାପିତ ହୋଇଥିଲେ। ବଲାଂଗିରରେ ସଂଖ୍ୟାଧିକ ଟ୍ରାନ୍ସଫର୍ମର ସ୍ତାପନ, ପୁନୋରୁଦ୍ଦାର ଓ ବାରକୋଟ-ଦେବଗଡ଼ ବିଦ୍ୟୁତ ଯୋଗାଣ ସହିତ ମୁଖ୍ୟଯନ୍ତ୍ରୀ ଭାବରେ ହୀରାକୁଦ ଶକ୍ତି କେନ୍ଦ୍ର ସମୁହର ନବୀକରଣ ଏବଂ ନୂତନ ଟର୍ବାଇନ ବସାଇବାରେ ତାଙ୍କର ଭୂମିକା ରହିଥିଲା।
ଇଂ. ସୂପକାର ବିଦ୍ୟୁତ ପ୍ରକଳ୍ପ ସ୍ତାପନ ଓ ପରିଚାଳନା କ୍ଷେତ୍ରରେ ଉଚ୍ଚତର ଶିକ୍ଷା ପାଇଁ ବିଭିନ୍ନ ସମୟରେ ଗ୍ରେଟ ବ୍ରିଟେନ, ଫ୍ରାନ୍ସ, ମୋନାକୋ ପ୍ରଭୃତି ଦେଶ ଗସ୍ତ କରିଛନ୍ତି। ସେ ଓଡ଼ିଶା ଜଳ ବିଦ୍ୟୁତ ଉତ୍ପାଦନ ନିଗମ-ଓଏଚପିସିର ପରିଚଳନା ନିର୍ଦ୍ଦେଶକ ପଦବୀରେ ରହିବା ପରେ ଅବସର ଗ୍ରହଣ କରିଥିଲେ। ସେ ଜଣେ ସ୍ତମ୍ବକାର ଓ ଲେଖକ ଭାବରେ ମଧ୍ୟ ପରିଚୟ ହାସଲ କରିଛନ୍ତି। ବିଶେଷକରି ପରିବେଶ ସୁରକ୍ଷା, ନଦୀଜଳ ଓ ନଦୀବଂଧ କ୍ଷେତ୍ରରେ ତାଙ୍କର ଅନେକ ଲେଖା ବିଭିନ୍ନ ପତ୍ରପତ୍ରୀକାରେ ପ୍ରକାଶ ପାଇଛି। ସାହିତ୍ୟ, ଶିକ୍ଷା ଓ ସାଂସ୍କୃତିକ ପୃଷ୍ଟପୋଷକ ଭାବରେ ମଧ୍ୟ ସେ ଜଣାଶୁଣା। ବହୁ ଅନୁଷ୍ଟାନ ଏବଂ ପୁସ୍ତକ ପ୍ରକାଶନ ପ୍ରତି ତାଙ୍କର ପ୍ରୋତ୍ସାହନ ରହିଥିଲା। ସେ ସମ୍ବଲପୁରର କୃତୀ ସନ୍ତାନ, ସାଧାରଣ ପୁରୁଷ (ଜୀବନୀ), ଇତିହାସର ପରିହାସ ପ୍ରଥମ ଓ ଦ୍ୱିତୀୟ ଭାଗ, ଚେମା କାଲୋ ପ୍ରଭୃତି ପୁସ୍ତକ ରଚନା କରିଛନ୍ତି। ଇତିହାସ, ସଂସ୍କୃତି, ଅର୍ଥନିତୀ ବିଷୟକୁ ନେଇ ପ୍ରକାଶିତ- ସମ୍ବଲପୁରର ପରିଚୟକୁ ପ୍ର. ଦୁର୍ଗା ପ୍ରସାଦ ନାୟକ ଏବଂ ପ୍ର. ଆଦିତ୍ୟ ପ୍ରସାଦ ପାଢିଙ୍କ ସହିତ ସମ୍ପାଦନା କରିଥିବା ବେଳେ ଡ଼. ମୋହନ ସାହୁଙ୍କ ସହ ମିଶି ହୀରାକୁଦ ଡ଼୍ୟାମ ପ୍ରୋଜେକ୍ଟ (ଅନଫୋଲଡ଼ିଂ ଦି ସଫରିଂଗ ) ଉପାଦେୟ ସଙ୍କଳନ ପ୍ରକାଶ କରିଛନ୍ତି। ଢୁକୁପଡ଼ା ଦଶହରା କମିଟୀ, ରୋଟାରୀ କ୍ଲବ, ଓଡ଼ିଶା ସାଂସ୍କୃତିକ ସମାଜ, ଉତ୍ସର୍ଗ, ଯୁବ ଉଦୟନ, ସମ୍ବଲପୁର ପ୍ରଗତି ସଂଘ, ସମ୍ବଲପୁର ପବ୍ଲିକ ଲାଇବ୍ରେରୀ, ହୀରାଖଂଡ଼ ନାଗରୀକ ପରିଷଦ, ଜ୍ୟୋତି, ଭୁବନେଶ୍ୱରର ପଶଚ୍ିମ ଓଡ଼ିଶା ଫୋରମ, ସମ୍ବଲପୁର ଫଟୋ ଫିଲିକ୍ସ, ଛଚାନପାଲି ରୁକ୍ମଣୀ ଲାଠ ବାଳ ନିକେତନ, ଧମା ବୀର ସୁରେନ୍ଦ୍ର ସାଏ ବୃଦ୍ଦାଶ୍ରମ, ଫୁଲଝରନ ଆଶ୍ରମ ଆଦି ଅନେକ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ସେ ଓତଃପ୍ରୋତଃ ଭାବେ ଜଡ଼ିତ ଥିଲେ। ସମ୍ବଲପୁରର ଫାଟକ ସାର୍ବଜନୀନ ଦଶହରା କମିଟୀ, ମେହେର ଏସୋସିଏସନ, ରୋଟାରୀ କ୍ଲବର ସଭାପତ, ଜିଲ୍ଲା ରେଡ଼କ୍ରସ ସୋସାଇଟୀର ଉପ- ସଭାପତି ରୂପେ ମଧ୍ୟ ସେ ଦାୟୀତ୍ୱ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିଂଡ଼ିକେଟ ଏବଂ ଗଂଗାଧର ମେହେର କଲେଜର ଗଭର୍ନିଂଗ ବଡ଼ି ର ସଭ୍ୟ ଏବଂ ବୁଢାରଜା ହାଇସ୍କୁଲ ପରିଚାଳନା କମିଟୀ ର ଅଧ୍ୟକ୍ଷ, ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ହସ୍ପିଟାଲର ଉନ୍ନତି ଏବଂ ଏହାକୁ ସ୍ୱୟଂଶାସିତ କରିବା ଓ ସିଂଢୋଲ ବ୍ୟାରେଜ ବିରୋଧୀ ପାଇଁ ହୋଇଥିବା ଆନ୍ଦୋଳନରେ ଇଂ. ସୂପକାର ସକ୍ରୀୟ ଭାବେ ଭାଗ ନେଇଥିଲେ। ସମ୍ବଲପୁରରୁ ପ୍ରାୟୋଜିତ ଚଳଚିତ୍ର- ଅସ୍ତରାଗରେ ମଧ୍ୟ ଇଂ. ସୂପକାର ସାମିଲ ଥିଲେ। ନଦୀଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ହୋଇଥିବା ମହାନଦୀ ସୁରକ୍ଷା ଆନ୍ଦୋଳନରେ ମଧ୍ୟ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଇଂ. ସୂପକାର ଇଲାକାର ବିଶିଷ୍ଟ ବ୍ୟକ୍ତି ଜନାର୍ଦ୍ଦନ ସୂପକାରଙ୍କ ପୁତ୍ର ଏବଂ ଡ଼. ଶ୍ରଦ୍ଦାକର ସୂପକାରଙ୍କ ଭାଇ ଓ ବରଗଡ଼ର ପୁର୍ବତନ ବିଧାୟକ ଭରତ ଚନ୍ଦ୍ର ହୋତାଙ୍କ ଜ୍ୱାଇଁ ଅଟନ୍ତି। ଇଂ. ସୂପକାରଙ୍କ ପତ୍ନୀ ଡ଼ା. ପଦ୍ମିନୀ ଜଣେ ଚିକିତ୍ସିକା ଏବଂ ସମାଜସେବିକା ଭାବେ ପରିଚିତ। ତାଙ୍କର ପୁଅ କୈାଶୀକ ଏବଂ ଝିଅ କସ୍ତୁରୀକା ବୋହୁ ଓ ଜ୍ୱାଇଁ ନାତିନାତୂଣୀ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଟିତ ଅଛନ୍ତି।