Odiapua.com

ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗୁଣୁପୁର I.T.D.A.ଜୁନିଅର ଇଂଜିନିୟର ଫସିଲେ

ବ୍ରହ୍ମପୁର: ୧୯/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗୁଣପୁର ଆଇ.ଟି.ଡି.ଏ. ର ଜୁନିଅର ଇଂଜିନିୟର ଶ୍ରୀ ଗଗନ ବିହାରୀ ପତିଙ୍କ ବାସ ଭବନ, ପିତୃକ ଘର, ଶ୍ୱଶୁର ଙ୍କ ଘର, ଅଫିସକୁ ମିଶାଇ ପାଞ୍ଚ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏକ ଅଭିଯୋଗ ମାମଲାରେ ଅଗ୍ରସର ହୋଇ ଭିଜିଲାନ୍ସ ବିଭାଗ ଅଦାଲତରୁ ସର୍ଚ୍ଚ ୱାରେଣ୍ଟ ହାସଲ କରି ବ୍ରହ୍ମପୁର ସିଦ୍ଧାର୍ଥ ନଗରରେ ଥିବା ଶ୍ରୀ ପତି ଙ୍କ ଘର, ବ୍ରହ୍ମପୁର କୋପରେଟିଭ କଲୋନୀରେ ଥିବା ପିତାଙ୍କ ଘର, ବ୍ରହ୍ମପୁର ରାଉତ ପେଟା ସାହିରେ ଥିବା ସ୍ୱସୁରଙ୍କ ଘର, ମୁନିଗୁଡା ଖାନ ସାହିରେ ଥିବା ତାଙ୍କ ସରକାରୀ ବାସ ଘର ଓ ଗୁଣପୁର ରେ ଥିବା ଅଫିସ ରୁମ ରେ ଆଜି ପୂର୍ବାହ୍ନରୁ ଏକ ସମୟରେ ଚଢ଼ାଉ ଓ ଯାଞ୍ଚ ଚାଲିଛି ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ.ପି. ଶ୍ରୀ ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି। ମଧ୍ୟାହ୍ନ ସୁଦ୍ଧା ସମ୍ପତ୍ତି ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ଯାଏଁ ଆକଳନ କରାଯାଇଛି, ୩୦ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ବ୍ୟାଙ୍କ ଏକାଉଣ୍ଟ ଓ ସୁନା ଅଳଙ୍କାର ଗୁଡିକ ହିସାବ ହୋଇ ନ ଥିବା ସେ ପ୍ରକାଶ କରିଛନ୍ତି।