Odiapua.com

ଆହାର ନିୟନ୍ତ୍ରଣ, ଉପଯୋଗୀ ବ୍ୟାୟମ, ଚାପମୁକ୍ତ ଜୀବନ ମଧୁମେହ ରୁ କରେ ମୁକ୍ତି ପ୍ରଦାନ – ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳନ

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ୧୪ ତାରିଖ ବିଶ୍ୱ ମଧୁମେହ ଦିବସକୁ ଭଦ୍ରକ ଜିଲ୍ଲାସ୍ତରରେ ସଂସ୍କୃତି ଭବନ ଠାରେ ପାଳନ କରାଯାଇଛି। ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଲାୟନସ୍ କ୍ଲବ, ଭଦ୍ରକ, ସାଳନ୍ଦୀ ବିକାଶ ମଞ୍ଚ ଓ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ର ସହଯୋଗ ନେଇ ଜିଲ୍ଲା ପ୍ରଶାସନ ର ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ରକ୍ରମରେ ଅନ୍ୟତମ ଅତିଥି ଭାବେ ଭେଷଜ ବିଶେଷଜ୍ଞ ଡ଼ା. ବିଜୟ କୁମାର ପଣ୍ଡା, ଲାୟନସ୍ କ୍ଲବ୍ ସଭାପତି ଅଶୋକ କୁମାର ମହାନ୍ତି, ଉତ୍କଳମଣି ଫାଉଣ୍ଡେସନର ମିଡ଼ିଆସେଲ ଅଧ୍ୟକ୍ଷ ପ୍ରମୋଦ ରାୟ, ସାଳନ୍ଦୀ ବିକାଶ ମଞ୍ଚର ପ୍ରତାପ ପାଢ଼ୀ ପ୍ରମୁଖ ଯୋଗ ଦେଇ ମଧୁମେହ ରୋଗର ନିରାକରଣ, ନିୟନ୍ତ୍ରଣ ପାଇଁ ଆଧୁନିକ ଜୀବନ ଶୈଳୀର ପରିବର୍ତ୍ତନ, ଯୋଗ ପ୍ରାଣାୟାମର ଆବଶ୍ୟକତା ଆଦି ସମ୍ବନ୍ଧରେ ବିଷଦ ଆଲୋଚନା ରଖିଥିଲେ।

ଡ଼ା ପଣ୍ଡା ମଧୁମେହ ରୋଗର କାରଣ, ରୋଗ ଚିହ୍ନଟ, ରୋଗର ଲକ୍ଷଣ, ନିୟନ୍ତ୍ରଣ ବିନା ଏହି ରୋଗ ଯୋଗୁଁ ସାଧିତ ପ୍ରଭୂତି କ୍ଷତି, ରୋଗ ନିୟନ୍ତ୍ରଣର ବିଭିନ୍ନ ଉପାୟ, ରୋଗର ଚିକିତ୍ସା, ମଧୁମେହ ସାଥିରେ ଜୀବନ ଉପରେ ଏକ ବିଷଦ ଏବଂ ପୁଙ୍ଖାନୁପୁଙ୍ଖ ଉପସ୍ଥାପନ ରଖିଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧ୍ୟ ମଧୁମେହ ରୁ ମୁକ୍ତି ପାଇଁ ଆହାର, ବିହାର ଓ ଚାପ ଓ ଅବସାଦ ମୁକ୍ତ ଜୀବନଶୈଳୀର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ। କଳ୍ପନା ଦେବୀ ମହିଳା ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ସହିତ ଆଶା, ଅଙ୍ଗନବାଡ଼ି କର୍ମୀମାନେ ଏହି ଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନରେ ଏଠାରେ ମଧୁମେହ ରୋଗର ପରୀକ୍ଷଣ ଓ ଚିହ୍ନଟ ନେଇ ଏକ ଶିବିରର ଆୟୋଜନ କରାଯାଇଥିଲା। ପ୍ରାୟ ୬୮ ଜଣଙ୍କର ରକ୍ତ ନମୂନା ଗ୍ରହଣ କରାଯାଇ ମଧୁମେହ ଜନିତ ଜଟିଳତା ଓ ନୂଆ ରୋଗୀ ଚିହ୍ନଟ ନେଇ ପରୀକ୍ଷା କରାଯାଇଥିଲା। ଡ଼ାକ୍ତରମାନେ ଏହି ଶିବିରରେ ଉପସ୍ଥିତି ରହି ଚିକିତ୍ସା ସାଙ୍ଗକୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।