Odiapua.com

ଆସୁଛି ଗ୍ରୀଷ୍ମ ଋତୁ, ଆଗକୁ ଉତ୍କଟ ଜଳ କଷ୍ଟ, ଅଚଳ ପଡ଼ିଛି ପୌରାଞ୍ଚଳରେ ବହୁ ନଳକୂପ

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗକୁ ଅସୁଛି ଖରା ଦିନ । ଯେଉଁଭଳି ଭାବେ ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖା ଦେଉଛି, ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି । ଏହି ଋତୁରେ ଜଳସ୍ତର କମିଯାଉଥିବାରୁ ଉତ୍କଟ ଜଳକଷ୍ଟ ଦେଖାଦେବ ବୋଲି ଆଶଙ୍କା କରାଯାଉଛି । ଠିକ ଏହି ସମୟରେ ପୌରାଞ୍ଚଳରେ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୂର୍ବରୁ ସ୍ଥାପନ କରାଯାଇଥିବା ବହୁ ନଳକୂପ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ଅବସ୍ଥାରେ ରହିଛି । ତେଣୁ ଖରାଦିନ ପୂର୍ବରୁ ପୌରାଞ୍ଚଳରେ ସମସ୍ତ ଅଚଳ ନଳକୂପକୁ ମରାମତି କରିବାକୁ ପ୍ରାକ୍ତନ କାଉନସିଲର ଆଶ୍ରଫ ଅଲ୍ଲୀ ଖାନ ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ତଥ୍ୟ ଅନୁଯାୟୀ ୨୦୧୮ ସୁଦ୍ଧା ପୌରାଞ୍ଚଳର ୩୦ଟି ଯାକ ୱାର୍ଡ଼ରେ ପୌର କର୍ତ୍ତୃପକ୍ଷ ପାନୀୟ ଜଳର ସୁବିଧା ପାଇଁ ମୋଟ ୧ହଜାର ୭୨ଟି ନଳକୂପ ପ୍ରତିଷ୍ଠା କରିଥିଲେ । କିନ୍ତୁ ଇତିମଧ୍ୟରେ ରକ୍ଷଣାବେକ୍ଷଣ ଅଭାବରୁ ସେଥି ମଧ୍ୟରୁ ବହୁ ନଳକୂପ ଅଚଳ ହୋଇ ପଡ଼ିଛି । ପୌରାଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା ସବୁ ୱାର୍ଡ଼ରେ ଉପଲବ୍ଧ ହୋଇ ପାରିନଥିଲା । ଅମାନତ ଜମା ଓ ଜଳ କର ଦେଇ ବହୁ ଲୋକ ପାନୀୟ ଜଳ ସଂଯୋଗ ନେବାକୁ ଆବଶ୍ୟକ ମନେ କରୁନଥିôଲେ । କାରଣ ହାତ ପଆନ୍ତାରେ ସେମାନଙ୍କ ନିକଟରେ ପୌର କର୍ତ୍ତୃପକ୍ଷଙ୍କ ନଳକୂପ ରହିଥିଲା । ଇତିମଧ୍ୟରେ ଅମୃତ ଯୋଜନାରେ ପାଣି ପାଇପ ଲାଇନ ବିଛା କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପୌରାଞ୍ଚଳର ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଣ ହୋଇ ପାରିବ । କିନ୍ତୁ ଏହି ପ୍ରକଳ୍ପର ମନ୍ଥର ଗତି ଯୋଗୁଁ, ଏହି ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ତାହାର କୌଣସି ନିଶ୍ଚିତତା ନାହିଁ । ଅପରପକ୍ଷେ ନିର୍ବାଚିତ ପୌର ପରିଷଦ ଥିବା ସମୟରେ କୌଣସି ନଳକୂପ ଅଚଳ ହେଲେ ଏହାକୁ ସ୍ଥାନୀୟ ପାରିଷଦ ମରାମତି କରିବାକୁ ଅଗ୍ରାଧିକାର ଦେଇ ଆସୁଥିଲେ । କିନ୍ତୁ ଏବେ ପରିଷଦ ନଥିବାବେଳେ, ଅଚଳ ନଳକୂପକୁ ସଜାଡ଼ିବା ଦିଗରେ ପୌର କର୍ତ୍ତୃପକ୍ଷ ଆବଶ୍ୟକ ଦୃଷ୍ଟି ଦେଉନତବବା ଶ୍ରୀ ଅଲ୍ଲୀ କହିଛନ୍ତି । ତେଣୁ ଖରା ଦିନ ପୂର୍ବରୁ ପୌରବାସୀଙ୍କ ଜଳକଷ୍ଟ ଦୂର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଅଚଳ ନଳକୂପ ସଜାଡ଼ିବାକୁ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।