Odiapua.com

ଆସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିଛି ସନ୍ଥିଆର ଐତିହ୍ୟ ହୁରିପଦା ଘାଟ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପୁରାତନ ଐତିହ୍ୟର ସାକ୍ଷୀ ଭଦ୍ରକ ସନ୍ଥିଆର ସାଳନ୍ଦୀ ତଟସ୍ଥ ହୁରିପଦା ଘାଟ ଏବେ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ । ସଂଜ ନଇଲେ ମଦ, ଗଂଜେଇ ଓ ବ୍ରାଉନସୁଗାର ଗନ୍ଧରେ ଲୋକେ ଅତିଷ୍ଠ । ଏବେ ଏହି ପଡିଆର କିଛି ଅଂଶ ଅସାମାଜିକ ତତ୍ତ୍ୱଙ୍କ ଚରାଭୂଇଁ ପାଲଟିଛି । ଏହି ପଡିଆକୁ କେତେକ ବ୍ୟକ୍ତି ନିଶା କାରବାରର ବ୍ୟବସାୟିକ ପେଣ୍ଠ ଭାବେ ବ୍ୟବହାର କରୁଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଏହା ଏବେ ଏକ ଅଘୋଷିତ ଡେଂଜର ଜୋନ୍‌ରେ ପରିଣତ ହେଲାଣି । ଭଦ୍ରକ ପୌରାଞ୍ଚଳର ୧୪ନଂ ୱାର୍ଡ ଅଧୀନସ୍ଥ ସନ୍ଥିଆ ଗ୍ରାମର ଏହି ଘାଟ ବହୁ ପୁରୁଣା ସ୍ମୃତିକୁ ଧରି ରଖିଛି । କୁଳୁ କୁଳୁ ନାଦରେ ବହିଯାଉଥିବା ସାଳନ୍ଦୀ ନଦୀକୂଳର ଏହି ଗାଁ କେଉଁ ଯୁଗରୁ କେଜାଣି ଭାଇଚାରାର ଦିଗଦର୍ଶନର ପ୍ରତୀକ ସାଜିଆସିଛି । ଏହି ଗାଁରେ ୧୫ ରୁ ଉର୍ଦ୍ଧ୍ୱ ମନ୍ଦିର ସ୍ଥାପନ ହୋଇଥିବାବେଳେ ଏଠାରେ ବାରମାସରେ ତେର ପର୍ବ ଅନୁଷ୍ଠିତ ହୁଏ । ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ୱ ବସବାସ କରୁଥିବା ଏହି ଗାଁର ଲୋକମାନେ ବିପଦରେ ପଡିଲେ ସମସ୍ତେ ଭାଇଚାରାର ରଜ୍ଜୁରେ ବାନ୍ଧିହୋଇ ଯେଭଳି ଏକତାର ମନ୍ତ୍ର ପଢନ୍ତି, ତାହା ଅନ୍ୟତ୍ର ନିଆରା । ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକେ ଏଠାରେ ହାତ ଧରାଧରି ହୋଇ ବଂଚି ଆସିଛନ୍ତି । ଅତୀତରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ବର୍ଦ୍ଧମାନରୁ ପୁରୀକୁ ଚାଲି ଚାଲି ଯାଉଥିବା ସମୟରେ ଏହି ଗ୍ରାମରେ ପାଞ୍ଚଦିନ ଧରି ଅବସ୍ଥାନ କରିଥିଲେ । ଏହା ପ୍ରାୟ ୧୫୧୦ ରୁ ୧୫୧୪ ମସିହା କଥା । ପ୍ରଭୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସନ୍ଥିଆରେ ରହଣିକାଳ ସଂପର୍କରେ କବିଶେଖର ଚିନ୍ତାମଣିଙ୍କ ପୁସ୍ତକ ସାଳନ୍ଦୀ, ଚୈତନ୍ୟ ଚରିତା ମୃତ, ଉପେନ୍ଦ୍ର ମହାନ୍ତିଙ୍କ ରଚିତ ଗୌଡିୟ ଅଭିଧାନ, ବୈଷ୍ଣବ ତୀର୍ଥ ଭଳି ଅନେକ ପୁସ୍ତକରେ ସ୍ଥାନିତ ହୋଇଛି ।

ସନ୍ଥିଆ ଗ୍ରାମରେ ରାଧା ମଦନ ମୋହନ ମନ୍ଦିର, ଗୋବିନ୍ଦ ଜୀଉ ମନ୍ଦିର, ରାଜ ରାଜେଶ୍ୱରୀ ମନ୍ଦିର, ଶ୍ୟାମସୁନ୍ଦରଜୀଉ ମନ୍ଦିର, ଗୌଡିୟ ମଠ, ବିପ୍ରେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ମା’ ସାମରାଇ ମନ୍ଦିର ଓ ମା’ ଦୁର୍ଗାଙ୍କର ଦୁଇଟି ମନ୍ଦିର ଅତୀତ ଇତିହାସର ସାକ୍ଷୀ ହୋଇ ରହିଛି । ଯାହାକୁ ନେଇ ମନ୍ଦିର ମାଳିନୀ ସନ୍ଥିଆ ବୋଲି ମଧ୍ୟ କୁହାଯାଇଥାଏ । ପ୍ରଭୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅବସ୍ଥାନ ସମୟରେ ଯେଉଁ ଘାଟରେ ସ୍ନାନ କରିଥିଲେ, ସେହି ଘାଟକୁ ଗୌର ମର୍ଦ୍ଦନିଆ ଘାଟ ବା ହୁରି ଘାଟ ବୋଲି ନାମିତ ହୋଇଛି । ଅତୀତର ସ୍ମୃତି ବହନ କରୁଥିବା ଏହି ଘାଟ ଆଜି ଅସାମାଜିକ ବ୍ୟକ୍ତିଙ୍କ କବଜାରେ । ପ୍ରତିଦିନ ସଂଜ ପରେ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ମଦ, ଗଂଜେଇ, ଜୁଆ ଭଳି ଜଘନ୍ୟ କାର୍ଯ୍ୟର ଆସର ଜମିଥାଏ । ଏହି ପଡିଆରେ ୩ ବର୍ଷ ପୂର୍ବେ ଅମୃତ ଯୋଜନାରେ ନିର୍ମାଣ ହୋଇଛି ଏକ ପାଣିଟାଙ୍କି । ଲୋକଙ୍କ ଘରକୁ ମଧ୍ୟ ସଂଯୋଗ ହୋଇଛି । କିନ୍ତୁ ଆଜିପର୍ଯ୍ୟନ୍ତ ପାଣି ଆସିବାର ନାଁ ଗନ୍ଧ ନାହିଁ । ଫଳରେ ଏହି ନିର୍ଜନ ପାଣିଟାଙ୍କି ପରିସର ଏବେ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ହୋଇଛି । ୧୮ ରୁ ୩୦ ବର୍ଷୀୟ ଯୁବପିଢିଙ୍କ ଭୂସ୍ୱର୍ଗ ପାଲଟିଛି ଏହି ପାଣିଟାଙ୍କି ପରିସର । ଗାଁର ମୁରବୀ କିମ୍ବା ଜ୍ଞାନୀ ଗୁଣିମାନେ ନିଜକୁ ଏହି ଘଟଣାରୁ ଦୂରେଇ ରଖିବା ପାଇଁ ଗାଁର ଅନ୍ୟ ଗଳି ରାସ୍ତା ଦେଇ ଯିବାକୁ ବାଧ୍ୟ ହୋଇଥାନ୍ତି । ମହିଳାମାନେ ମଧ୍ୟ ବହୁ ଅସାମାଜିକ ତତ୍ତ୍ୱର ଶୀକାର ହେବା ନେଇ ଭୟାତୁର ଅବସ୍ଥାରେ ସ୍ନାନ କାର୍ଯ୍ୟ ନିମନ୍ତେ ସେଠାକୁ ଯାଇପାରନ୍ତି ନାହିଁ । ସର୍ବୋପରି ଅସାମାଜିକ ଆଡ୍ଡାସ୍ଥଳୀ ପାଲଟିଥିବା ସନ୍ଥିଆର ଏହି ହୁରିପଦା ଘାଟକୁ ନେଇ ସଭିଙ୍କ ମନରେ ବହୁ ଅସନ୍ତୋଷ ରହିଥିଲେ ମଧ୍ୟ ଏହାର ସମାଧାନ ଦିଗରେ ପ୍ରଶାସନ ଆଗେଇ ଆସିବାକୁ ଦାବି ହୋଇଛି ।