Odiapua.com

ଆସାନୀ କୁ ନେଇ ଚିନ୍ତାରେ ଚାଷୀ

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମୁଦ୍ରିକ ଝଡ଼ ଆସାନୀ ଛଡ଼ାଇ ନେଇଛି ଶତାଧିକ ଚାଷୀଙ୍କ ମୁହଁରୁ ହସ। ବର୍ତ୍ତମାନ ସେମାନେ କିପରି ବ୍ୟାଙ୍କ ଋଣ ଓ ହାତ ଉଧାରୀ ଟଙ୍କା ଶୁଝିବେ ସେହି ଚିନ୍ତାରେ ଅର୍ଦ୍ଧପାଗଳ ଅବସ୍ଥାରେ ରହିଛନ୍ତି। ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ପ୍ରାୟ ୮୦ଭାଗ ଲୋକ ବିଭିନ୍ନ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏଥି ସହିତ ରବି ଧାନ ଚାଷ କରି ବେଶ୍ ଉପାର୍ଜ୍ଜନ କରିଥାନ୍ତି। ଚଳିତ ବର୍ଷ ପାଗ ଅନୁକୁଳ ରହିଥିବାରୁ ଚାଷ କାର୍ଯ୍ୟ ଉଲ ହୋଇଥିଲା ଓ ଏଥିରୁ ମଧ୍ୟ ବେଶ୍ ଅଧିକ ଲାଭ ଚାଷୀ ମାନେ ପାଇଥାନ୍ତେ ବୋଲି ଆଶା ରଖିଥିଲେ। ମାତ୍ର ସେହି ଆଶା ହିଁ ଆଶାରେ ରହିଯିବାର ସମ୍ଭାବନା ସୃଷ୍ଟି କରିଛି ଆସନୀ। ଆସନୀ ପ୍ରଭାବରେ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ପାଣିପାଗ ବିଭାଗ ତରଫରୁ ଦିଆଯାଇଛି। ତେଣୁ ବର୍ଷା ହେଲେ ବର୍ଷା ପାଣିରେ ବୁଡ଼ିଯାଇ ଗଛ ଗୁଡ଼ିକ ପଚିଯିବାର ସମ୍ଭାବନା ଅଧିକ। ଆଗରପଡ଼ା ତଥା ଏହାର ପାଖଆଖ ପଂଚାାୟତ ସ୍ଥିତ ବିଭିନ୍ନ ଗ୍ରାମର ଏକର ଏକର ଜମିରେ ଭେଣ୍ଡି, କାକୁଡ଼ି, ପୋଟଳ, ଲଙ୍କା, କଲରା, ଜହ୍ନି, ଝୁଡ଼ଙ୍ଗ ଆଦି ଚାଷ କରାଯାଇଛି। ପ୍ରବଳ ଖରାରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀମାନେ କଠିନ ପରିଶ୍ରମ କରି ଚାଷ କାର୍ଯ୍ୟ କରିଛନ୍ତି। ମାତ୍ର ଉତ୍ପାଦନ ପୂର୍ବରୁ ସବୁ ନଷ୍ଟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରି ଯଦି ହୁଏ ବ୍ୟାଙ୍କ ଋଣ ଓ ହାତଉଧାରୀ ଟଙ୍କା ପରିଶୋଧ କରିବା ଚାଷୀମାନଙ୍କର ପକ୍ଷେ ଆଉ ଏଥର ସମ୍ଭବପର ହେବ ନାହିଁ। ଶହଶହ ଚାଷୀମାନେ ଏଥିନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ପରିବା ଉତ୍ପାଦନ କ୍ଷେତ୍ରରେ ବାଧା ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ପରିବା ଦର ଆଗାମୀ ଦିନରେ ପୁଣି ଆକାଶ ଛୁଆଁ ହେବ ବୋଲି ପୂର୍ବାଶଙ୍କା କରାଯାଉଛି। ପ୍ରତି ବର୍ଷ ଏହିପରି ଦୈବୀ ଦୁର୍ବିପାକ ଯୋଗୁଁ ଚାଷ କ୍ଷତିରେ ପହଂଚୁଥିବାରୁ ଚାଷୀମାନେ ଅଣ୍ଟା ସଳଖି ଚାଲିପାରୁ ନଥିବା ଜଣାପଡ଼ିଛି।