Odiapua.com

ଆସନ୍ତା ୨୬ରେ କଂଗ୍ରେସ ସେବାଦଳ ପକ୍ଷରୁ ବିଶାଳ ସଦ୍‌ଭାବନା ସମାବେଶ

ଭୁବନେଶ୍ୱର ୨୩.୧୨ (ଓଡ଼ିଆ ପୁଅ) – ରାଜ୍ୟର ଯୁବପିଢ଼ୀଙ୍କ ନିକଟରେ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତାକୁ ପହଂଚାଇବା ପାଇଁ କଂଗ୍ରେସ ସେବାଦଳ ନେଇଥିବା ନିଷ୍ପତିକ୍ରମରେ ଆସନ୍ତା ୨୬ ତାରିଖରେ ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସଦ୍‌ଭାବନା ସମାବେଶ କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଆଜି କଂଗ୍ରେସ ଭବନଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନରେ କହିଛନ୍ତି।

ସରକାରଙ୍କ କୋଭିଡ ନିୟମ ପାଳନ ପୂର୍ବକ ଏହି ସମାବେଶ ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ସହ ବିଭିନ୍ନ ଜିଲ୍ଳାରୁ ସେବାଦଳ କର୍ମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସେହିଦିନ ପୂର୍ବାହ୍ନ ୧୧ ଘଂଟା ସମୟରେ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡଃ ଏ ଚେଲା କୁମାର ସବୁଜ ପତାକା ଦେଖାଇ ଉଦଘାଟନ କରିବେ। କଂଗ୍ରେସ ଭବନଠାରୁ ସେବାଦଳ କର୍ମୀମାନେ ଗଣ ପୋଷାକରେ ବାହାରି ୟୁନିଟ ୩ ଗୁରୁଦ୍ୱାର, ରାମମନ୍ଦିର, ସ୍ମାଉଟ ଗାଇଡ଼ ଅଫିସ ଦେଇ ବୁଦ୍ଧ ମନ୍ଦିର, ରାଜଧାନୀ ମସଜିଦ ଓ କ୍ୟାଥୋଲିକ ଚର୍ଚ୍ଚ ଠାରୁ କେଶରୀ ଟକିଜ ଛକ ତଳ ରାସ୍ତାରେ ରାଷ୍ଟ୍ରିୟ ଯୁବ ପ୍ରକଳ୍ପ କାର୍ଯ୍ୟାଳୟରେ ଡଃ ସୁବାରାଓଙ୍କ ଫଟୋରେ ପୁଷ୍ପାର୍ଘ ପ୍ରଦାନ କରି କଂଗ୍ରେସ ଭବନ ପଂହଚିବ। ସବୁ ଧର୍ମ ସଂସ୍ଥାର କର୍ମକର୍ତାଙ୍କୁ ଏହି ମହାନ କାର୍ଯ୍ୟରେ ଯୋଗାଦେବା ପାଇଁ ଅନୁରୋଧ କରାଯାଇଛି। ରାଲିକୁ ଆକର୍ଷଣୀୟ କରିବାପାଇଁ ବ୍ୟାଣ୍ଡ, ଲଉଡି ଖେଳ, ଘଂଟବାଦ୍ୟ, ଡଙ୍ଗରିଆ କନ୍ଧମାନଙ୍କ ବାଦ୍ୟ ଓ ନୃତ୍ୟ ଏବଂ ଖୋର୍ଦ୍ଧାର ପାଇକ ଝୀଅ ଓ ପୁଅ ମାନଙ୍କ ଦ୍ୱାରା କ୍ରୀଡ଼ା କୌଶଳ ପ୍ରଦର୍ଶନ କରାଯିବ। ରାଲି କଂଗ୍ରେସ ଭବନ ଠାରେ ପହଂଚିବା ପରେ ଏକ ସଂକ୍ଷୀପ୍ତ ସଭା ଅନୁଷ୍ଠିତ ହେବ। ଏହି ସଭାରେ ଡଃ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଓ ନିଖିଳ ଭାରତ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଶ୍ରୀ ଲାଲଜୀ ଭାଇ ଦେଶାଇ ଯୋଗଦେବା ପାଇଁ ସ୍ୱୀକୃତି ଦେଇଛନ୍ତି।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ କଂଗ୍ରେସ ସେବାଦଳ ପକ୍ଷରୁ ୧୯୮୩ ମସିହାରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ବର୍ତମାନର ଇନ୍ଦିର ପାର୍କ ସେତେବେଳର ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହୋଇଥିଲା, ସେହି କାର୍ଯ୍ୟକ୍ରମରେ ସେତେବେଳର ଏଆଇସିସି ସାଧାରଣ ସଂପାଦକ ଥିବା ସ୍ୱର୍ଗୀୟ ରାଜୀବ ଗାନ୍ଧୀ ଯୋଗଦେଇ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମକୁ ସେତେବେଳର ଅଧ୍ୟକ୍ଷ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକ ଓ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସଂଚାଳନ କରିଥିଲେ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ ସହ କଂଗ୍ରେସ ସେବାଦଳ ଜଡ଼ିତ ବୋଲି ଡଃ ଜ୍ଞାନେନ୍ଦ୍ର କହିବା ସହ ଆଚାର୍ଯ୍ୟ ହରିହର, ଓଡ଼ିଶାର ପ୍ରଥମ ଜି.ଓ.ସି. ଡଃ ହରେକୃଷ୍ଣ ମହତାବ, ଶରଳା ଦେବୀ, ରାଧା ଗୋବିନ୍ଦ ସାହୁ, ଦୋଳଗୋବିନ୍ଦ ପ୍ରଧାନଙ୍କୁ ସ୍ମରଣ କରିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ, ମୁଖପାତ୍ର ମନୋରଞ୍ଜନ ଦାଶ, ଓବିସିି ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ସେବାଦଳ କର୍ମକର୍ତା ମହମ୍ମଦ ଶାହାଦୁଲ୍ଲା ଓ କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।