Odiapua.com

ଆସନ୍ତା କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ : ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ ୨୩-୧୧ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ନେଇ ସାମ୍ବାଦିକ ସମ୍ମିଳନୀ। ଆସନ୍ତାକାଲି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସକାଳ ୯.୩୦ ରେ ପୁରୀ ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ୯.୪୫ ରେ ୧୦ ଟାରେ ଶିଳା ବିଜେ, ସକାଳ ୧୦ ଟା ୧୫ ରୁ ୧୦.୩୦ ଶିଳା ସ୍ଥାପନ। ୧୦.୪୫ ରୁ ୧୧ ଟା ଭିତରେ ପୂର୍ଣ୍ଣାହୁତି ହେବ। ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ କରାଯିବ। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟର ଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଉପସ୍ଥିତ ରହିଥିଲେ। ତେବେ ଶ୍ରୀମନ୍ଦିର ଚାରି ପାଖ ରେ ଥିବା ବାସିନ୍ଦା ମାନେ କିଭଳି ଯାତାୟାତ ରେ ଅସୁବିଧା ନ ଭୋଗିବେ ସେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ଥିବା ପୁରୀ ଏସପି କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସତ୍ତ୍ୱେ ଶ୍ରୀମନ୍ଦିର ରେ ଦର୍ଶନ ବନ୍ଦ ହେବ ନାହିଁ। ଭକ୍ତ ଆସନ୍ତା କାଲି ସବୁଦିନେ ଭଳି ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ କରିବେ। ତେବେ ଉତ୍ତର ଦ୍ୱାର ପରିବର୍ତ୍ତେ ଶ୍ରୀମନ୍ଦିର ସିଂହ ଦ୍ୱାର ଭକ୍ତ ମାନେ ପ୍ରସ୍ଥାନ କରିବେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ପୂର୍ଵ ବ୍ୟବସ୍ଥା ମୁତାବକ ଉତ୍ତର ଦ୍ୱାର ଦେଇ ଭକ୍ତ ପ୍ରତ୍ୟାବର୍ତ୍ତନ କରିବେ। ବଡ଼ ଦାଣ୍ଡ ମେଡ଼ିକାଲ ଛକ ରୁ ଶ୍ରୀମନ୍ଦିର ଯାଏ ରାସ୍ତା ର ଉଭୟ ପାର୍ଶ୍ୱ ରେ ବ୍ୟାରିକେଡ ଲଗାଯାଇଛି। ସକାଳୁ ଦିନ ୧୨ ଟା ଯାଏ ମେଡ଼ିକାଲ ଛକ ରୁ ଶ୍ରୀମନ୍ଦିର ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟାଂଶ–

– ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟ କରଣ।

– ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ।

– ଚତୁଃପାର୍ଶ୍ୱରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ।

– ରଥଯାତ୍ରା ଏବଂ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ।

– ଭକ୍ତଙ୍କ ସାମଗ୍ରୀ ରଖିବା ସକାଶେ ୫୦୦ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ।

– ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ କ୍ଷୁଦ୍ର ସାମଗ୍ରୀ ରଖିବା ଗୃହ।

– ଭକ୍ତଙ୍କ ପାଇଁ ସମସ୍ତ ଦ୍ଵାରରେ ସୂଚନା ଓ ଦାନ କେନ୍ଦ୍ର।

– ସେବାୟତ ତଥା ପୁରୁଷ ଏବଂ ମହିଳା ଭକ୍ତଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା।

– ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର।

– ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ଆଦିର ବ୍ୟବସ୍ଥା।

– ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ।

– ଏକାସାଙ୍ଗରେ ୬୦୦୦ ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ।

– ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ।

ପ୍ରକଳ୍ପର ଶିଳାନ୍ୟାସ ପାଇଁ ଯଜ୍ଞ ଏବଂ ଅନ୍ୟାନ୍ୟ କାର୍ଯ୍ୟସୂଚୀ-

– ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ୨୧ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବିସ୍ତୃତ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

– ୨୧ ତାରିଖରେ ଶ୍ରୀନହର ଠାରେ ଗତପତି ମହାରାଜାଙ୍କ ଦ୍ବାରା ଗୁଆ ଟେକା ନୀତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଅଙ୍କୁର ରୋପଣ ଶେଷ ହୋଇଥିଲା।

– ୨୨ ତାରିଖ ସକାଳେ ପଂଚକର୍ମ, ବ୍ରହ୍ମଣବରଣ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶାଳ ପ୍ରବେଶ ଓ ଶାଳ ଦେବତା ହୋଇଥିଲା। ପରେ ମଧ୍ୟାହ୍ମ ୨.୩୦ରେ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସାଢେ ୫ଟାରୁ ୬ଟା ମଧ୍ୟରେ ପୁଷ୍ପା଼ଞ୍ଜଳି ଅନୁଷ୍ଠିତ ହୋଇଛି।

– ୨୩ ତାରିଖରେ ସକାଳୁ ସୂର୍ଯ୍ୟପୂଜା, ଗୋ ପୂଜା ନୀତି ସହ ଶାଳ ପୂଜା ତଥା ଅଗ୍ନିପୂଜା ହେବ। ସେହିପରି ମଧ୍ୟାହ୍ନ ୨.୩୦ରୁ ୬ଟା ମଧ୍ୟରେ ଶିଳା ସ୍ନାନ, ଯଜ୍ଞ ଆଦି ଅନୁଷ୍ଠିତ ହେବ।

– ୨୪ ତାରିଖ ସକାଳ ୭ଟାରୁ ୯.୩୦ ଯାଏଁ ସୂର୍ଯ୍ୟପୂଜା, ଅଗ୍ନିପୂଜା ତଥା ଯଜ୍ଞ ବିଧି ହେବ। ସେହିପରି ୯.୪୫ରୁ ୧୦ ମଧ୍ୟରେ ଶିଳା ବିଜେ ଅନୁଷ୍ଠିତ ହେବ। ଏହାପରେ ୧୦.୧୫ରୁ ୧୦.୩୦ ମଧ୍ୟରେ ଶିଳା ସ୍ଥାପନ ଏବଂ ପୁଷ୍ପା଼ଞ୍ଜଳି ପାଇଁ ସ୍ଥିର ହୋଇଛି। ଏହାପରେ ଯଜ୍ଞର ପୂର୍ଣାହୂତି ହେବ।

– ୨୪ ତାରିଖ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯିବ। ସେହିପରି ପରିକ୍ରମା ପ୍ରକଳ୍ପର ଏକ ମଡେଲ ମଧ୍ୟ ଅନାବରଣ ହେବ।