Odiapua.com

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ : ସତ୍ୟବାଦୀ ଓ ପୁରୀ ସଦର ବ୍ଲକରେ ହେବ ମତଦାନ

ପୁରୀ ୧୯.୦୨ (ଓଡ଼ିଆ ପୁଅ) – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆସନ୍ତାକାଲି ଅର୍ଥାତ ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ସତ୍ୟବାଦୀ ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୩୦୫ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ଏବଂ ପୁରୀ ସଦର ବ୍ଲକର ୩୦ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୨୩ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ହେବ। ଉକ୍ତ ଦୁଇଟି ବ୍ଲକର ୫୪ଟି ଗ୍ରାମ ପଞ୍ଚାୟତର ୭୨୮ଟି ୱାର୍ଡ ଓ ୬ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ହେବ। ସତ୍ୟବାଦୀରେ ୮୩ଜଣ ସରପଞ୍ଚ, ୮୬ ଜଣ ସମିତି ସଭ୍ୟ, ୮୨୨ ଜଣ ୱାର୍ଡମେମ୍ବର, ୨୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ପୁରୀ ସଦର ବ୍ଲକରେ ୧୨୫ ଜଣ ସରପଞ୍ଚ, ୯୭ଜଣ ସମିତି ସଭ୍ୟ, ୮୩୫ ଜଣ ୱାର୍ଡମେମ୍ବର, ୧୬ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ପର୍ଯ୍ୟାୟରେ ସତ୍ୟବାଦୀ ବ୍ଲକରେ ୯୪୧୭୨ ଜଣ ଭୋଟର, ପୁରୀ ସଦରର ୧୨୪୮୦୧ ଜଣ ଭୋଟରଙ୍କୁ ମିଶାଇ ମୋଟ ୨୧୮୯୭୩ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିନିମନ୍ତେ ସତ୍ୟବାଦୀ ପାଇଁ ୨୪ ଜଣ ଏବଂ ପୁରୀ ସଦର ପାଇଁ ୨୯ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି। ଉଭୟ ବ୍ଲକରେ ୧୫୧ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି। ଏତଦବ୍ୟତୀତ ସତ୍ୟବାଦୀ ବ୍ଲକର ପେଣ୍ଠପଡା ପଞ୍ଚାୟତର ୬ନଂ ୱାର୍ଡ, ପୁରୀ ସଦରର ଗୋପିନାଥପୁର ପଞ୍ଚାୟତର ୫ନଂ ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ ପୋଲିଂ କର୍ମଚାରୀ ମହିଳା ହିଁ ରହିବେ। ଗତକାଲି ଠାରୁ ପୋଲିଂ ପାର୍ଟିମାନେ ସଂପୃକ୍ତ ବ୍ଲକରେ ରିପୋର୍ଟିଂ କରିବା ପରେ ସେମାନଙ୍କ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଆସନ୍ତାକାଲି ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ସଂପୃକ୍ତ ବ୍ଲକରେ ଭୋଟ ଗଣତି ହେବ। ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ରହିଛି। ସତ୍ୟବାଦୀ ଓ ପୁରୀ ସଦର ବ୍ଲକରେ ୭୯.୧୬ ପ୍ରତିଶତ ମତଦାନ ହୋଇଛି। ସମସ୍ତ ଭୋଟ ବାକ୍ସକୁ ସଂପୃକ୍ତ ବ୍ଲକର ଷ୍ଟ୍ରଙ୍ଗ ରୁମରେ ରଖାଯାଇ ଏହାକୁ ସିଲ କରାଯିବା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।