Odiapua.com

ଆସନ୍ତାକାଲି ଅକ୍ଷୟ ତୃତୀୟାରେ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର ୨-୫ (ଓଡ଼ିଆ ପୁଅ) ଆସନ୍ତାକାଲି ମିଳିବ କାଳିଆ ଟଙ୍କା। ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳବ ଭେଟି। ସମସ୍ତ କାଳିଆ ହିତାଧିକାରୀଙ୍କୁ ମିଳିବ ୨ହଜାର ଟଙ୍କା ଲେଖାଏଁ। ତେବେ ଏହା DBT ମାଧ୍ୟମରେ ଅର୍ଥାତ୍ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ।

କାଳିଆ ଯୋଜନା

କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ଵରାନ୍ୱିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏହି ଯୋଜନା। ‘କାଳିଆ’ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ମାଧ୍ୟମରେ ଚାଷୀମାନଙ୍କର ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୂହିକ ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା ପ୍ରତିଷ୍ଠା କରି କୃଷିଭିତ୍ତିକ ସମୃଦ୍ଧିର ଧାରାକୁ ତ୍ଵରାନ୍ୱିତ କରିବା ଲକ୍ଷ୍ୟ ରଖିଛନ୍ତି। ‘କାଳିଆ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରି ସେମାନଙ୍କର ସଶକ୍ତିକରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା। ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲ୍ଲବଧିର ଉନ୍ନତିକରଣ ଦ୍ଵାରା କୃଷିର ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହେବ।

ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ୧୦, ୦୦୦ କୋଟି ଟଙ୍କାରୁ ଉର୍ଦ୍ଧ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର୍ୟରୁ ମୁକ୍ତ କରିବା ଏହି ଯୋଜନାର ଲକ୍ଷ୍ୟ। ‘କାଳିଆ’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ସମସ୍ତ ଅଭାବଗ୍ରସ୍ତ ଭୂମିହୀନ ଚାଷୀମାନଙ୍କୁ ପରିସରଭୁକ୍ତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଏହି ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି।

ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୫ ଗୋଟି ଫସଲରତୁରେ ମୋଟ୍ ୨୫, ୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ଚଳିତ ୨୦୧୮-୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛି।