ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସମେତ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ମାନବ ଜାତିର ସର୍ବନିମ୍ନ ଆବଶ୍ୟକତା ରୋଟି, କପଡ଼ା, ମକାନ ହିଁ କୃଷି ଓ କୃଷି ଜାତ ପଦାର୍ଥରୁ ମିଳିଥାଏ । ତେଣୁ କୃଷକ ସମାଜର ମେରୁଦଣ୍ଡ । କୃଷକ ନିଜର ହାଡ଼ଭଙ୍ଗା ପରିଶ୍ରମ ଦ୍ୱାରା ଯେଉଁ ଫସଲ ଉତ୍ପାଦାନ କରିଥାଏ ତାହା ବର୍ଷ ସାରା ସାରା ଦେଶର ଲୋକଙ୍କୁ ଆହାର ଯୋଗାଇ ଥାଏ । ମାତ୍ର କାଳକାଳ ଧରି କୃଷି ଓ କୃଷକକୁ ଅବହେଳା ପ୍ରଦର୍ଶନ କରାଯାଇ ଆସୁଅଛି । କଥାରେ ଅଛି ଚଷା ହୁଡ଼ିଲେ ବରଷେ । ଏହାର ଅର୍ଥ କୌଣସି କାରଣରୁ ଯଦି ଚାଷ ଉପଯୁକ୍ତ ଭାବରେ ନହୁଏ ତେବେ ବର୍ଷ ତମାମ ଚାଷୀ ହିଁ ହନ୍ତସନ୍ତ ହୋଇ ମରିଥାଏ । ତେବେ ଓଡ଼ିଶାର ପ୍ରତିବର୍ଷ ବନ୍ୟା ବାତ୍ୟା ମରୁଡ଼ି ଲାଗି ରହିଛି । ଦୈବୀ ଦୁର୍ବିପାକ ମଧ୍ୟରେ ଚାଷୀ ହତାସ ନହୋଇ ଦୃଢ ମନୋବଳ ନେଇ କାମ କରି ଚାଲିଥାଏ । ତେବେ ଅଧୁନା ଚାଷର ଉନ୍ନତି ନିମନ୍ତେ ବିଭିନ୍ନ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଉନ୍ନତ ତଥା ଅଧିକ ଅମଳକ୍ଷମ ଚାଷ କରାଯାଉଛି । ଚାଷର ମୁଖ୍ୟ ଉତ୍ସ ହେଉଛି ଜଳ । ଏହି କ୍ରମରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଏକ ଜଳସେଚିତ ଅଞ୍ଚଳ । ତେଣୁ ମରୁଡ଼ି ଜନିତ କ୍ଷୟକ୍ଷତି ଚାଷୀକୁ ହତାସ କରିପାରେ ନାହିଁ । ସାଧାରଣତଃ ଖରିଫ ଋତୁରେ ଆଷାଢମାସ ଶେଷ ସୁଦ୍ଧା ଧାନ ରୁଆ କାର୍ଯ୍ୟ ଶେଷ ହେବା କଥା । ଚଳିତ ବର୍ଷ ମୌସମୀ ବର୍ଷାର ଅର୍ନ୍ତଧ୍ୟାନ, ଲଘୁଚାପ ଜନିତ ବର୍ଷାର ଅଭାବ ଚାଷୀକୂଳକୁ କରିଛି ହତାସ । ବେଡ଼ି ଉପରେ କୋରଡ଼ ମାଡ଼ ସଦୃଶ ଏ ଯାବତ କେନାଲ ପାଣି ଆସିନାହିଁ ।
ଆଷାଢ ଯାଇ ଶ୍ରାବଣ ହେବାକୁ ବସିଲା ବର୍ଷାର ଧାରା ଦେଖିବାକୁ ମିଳିନାହିଁ । ଚାଷଜମି ଗଢିଆ, ପୋଖରୀ ଫାଟି ଆଁ କରିଛି । ଚାଷଜମି ଶୁଖିଲା ପଡ଼ିଥିବା ବେଳେ ଗାଇ ଗୋରୁ ଚରୁଛନ୍ତିି । ଏ ଯାବତ ବେଉଷଣ ଆରମ୍ଭ କରାଯାଇ ନାହିଁ । ରଜ ବେଳକୁ ଯେଉଁ କେତେକ ଚାଷୀ ଧୂଳିଆ ତଳା ପକାଇ ଥିଲେ ପାଣି ଅଭାବରୁ ସେସବୁ ଜଳି ଯାଇଛି । କେନାଲରେ ପାଣି ଆସୁ ନଥିବାରୁ ଏ ପର୍ଯ୍ୟନ୍ତ ଧାନ ତଳି ପଡ଼ିପାରି ନାହିଁ । ଅନୁସନ୍ଧାନରୁ ଜଣା ଯାଇଛି ଯେ ବ୍ଲକରେ ମୋଟ ଚାଷଜମିର ପରିମାଣ ୧୮୮୬୫ ହେକ୍ଟର ଅଟେ, ଯାହାକି ଜଳସେଚିତ । ସେଥି ମଧ୍ୟରୁ ୧୭୫୬୦ ହେକ୍ଟର ଜମିରେ ଖରିଫ ଧାନଚାଷ କରାଯାଉ ଥିବା ବେଳେ ଅବଶିଷ୍ଟ ଜମିରେ ପନି ପରିବା, ନଳିତା ଚାଷ ହୋଇଥାଏ । ଏହି ବ୍ଲକରେ ସମସ୍ତ ଜମି ଜଳସେଚିତ ହେତୁ ମରୁଡ଼ି ହେବାର ସମ୍ଭାବନା କମ ହୋଇଥାଏ । ଅନ୍ୟପକ୍ଷରେ ତଳମୁଣ୍ଡରେ ଥିବା ରାମପୁର, ରାମକୃଷ୍ଣପୁର, ଗଣିଜାଙ୍ଗ ଭଳି କେତେକ ପଞ୍ଚାୟତର ଜମି ଢିପ ହୋଇଥିବା ହେତୁ ପାଣିମାଡ଼ି ପାରୁ ନାହିଁ । କେନାଲ ବିଭାଗ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ବିଧିବଦ୍ଧ କେନାଲରେ ପାଣି ଛାଡ଼ି ନଥିବାରୁ ତଳିପକା, ରୁଆ କାର୍ଯ୍ୟ ବିଳମ୍ବିତ ହୋଇଛି । ତେଣୁ ତୁରନ୍ତ କେନାଲରେ ପାଣି ଛାଡ଼ିବାକୁ ଚାଷୀମହଲରୁ ଦାବୀ ହୋଇଛି । ଏନେଇ ଆଗରପଡ଼ା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରିୟଦର୍ଶନୀ ସାମଲ କହନ୍ତି ୨ ଦିନ ପୂର୍ବେ ପାଣି ଛଡ଼ା ଯାଇଥିଲା ମାତ୍ର ଦକ୍ଷିଣପାଶ୍ୱର୍ ମୁଖ୍ୟ କେନାଲର ପନ୍ଦାଡ଼ୋ ଠାରେ ଘାଇ ସୃଷ୍ଟି ହେବାରୁ ତାକୁ ମରାମତି କରାଯାଇଛି । ଆଜି ରାତ୍ରୀରେ କେନାଲରେ ପୁର୍ନବାର ପାଣିଛଡ଼ା ଯିବ । ୨ଦିନ ମଧ୍ୟରେ ଚାଷୀମାନେ କେନାଲ ପାଣି ପାଇ ପାରିବେ ।