Odiapua.com

ଆଶିର୍ବାଦ ପକ୍ଷରୁ କୁଷ୍ଠ କୋଲନୀରେ କମ୍ବଳ ବଣ୍ଟନ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବଡ଼ଦିନ ପାଳନ ଅବସରରେ ଧୂମଧାମରେ ଭୋଜିଭାତ ମଉଜମଜଲସି କରାଯାଉଥିବା ବେଳେ କେତେକ ମହାବିଦ୍ୟାଳୟ ଛାତ୍ରୀ ଏକ ନୂଆ ସ୍ୱେଚ୍ଛାସେବୀ ସଙ୍ଗଠନ ଆଶିର୍ବାଦ ଫାଉଣ୍ଡେସନ ଗଢି ସେବା ମୂଳକ କାର୍ଯ୍ୟରେ ନିଜକୁ ବ୍ରତୀ କରିଛନ୍ତି । ଏହି ସଙ୍ଗଠନ ଆଗକୁ ତାର ଜନହିତକର କାର୍ଯ୍ୟ ଜାରୀ ରଖିବ ବୋଲି ଜଣାଯାଇଛି । ଛାତ୍ରୀମାନେ ନିଜର ସଞ୍ଚିତ ଅର୍ଥକୁ ମଉଜ ମଜଲିସରେ ଖର୍ଚ୍ଚ ନକରି ଗରିବ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ ସହଯୋଗ କରିବା ଶ୍ରେୟ ମଣିଛନ୍ତି । ଭଦ୍ରକ ଅଞ୍ଚଳର ବିଭିନ୍ନ କଲେଜରେ ପଢୁଥିବା ଛାତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କ ନେତୃତ୍ୱରେ ସହପାଠୀ ସୁଲଗ୍ନା ଶୁଭଦର୍ଶନୀ ଦାସ, ଇତିଶ୍ରୀ ନାୟକ, ବର୍ଷା ଖମାରୀ, ଭାଗ୍ୟଶ୍ରୀ ମହାନ୍ତି, ଇତିଶ୍ରୀ ବେହୁରିଆ, ସୁଶ୍ରୀ ପ୍ରତିକ୍ଷା ବେହେରା ରାନ୍ଦିଆ ଡ଼ଗମୁଣ୍ଡସ୍ଥିତ କୃଷ୍ଠ କଲୋନୀରେ ପହଞ୍ଚି ୧୩ ଗୋଟି ପରିବାରର ୨୬ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୨ ଗୋଟିକରି କମ୍ବଳ, ମାସ୍କ, ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ସେହିପରି ଭଦ୍ରକ କାଳୀ ମନ୍ଦିର, ରାନ୍ଦିଆ, ବରପଦା, ଆଗରପଡ଼ା ଓ ବର୍ତ୍ତନା ଆଦି ଅଞ୍ଚଳରେ ଥିବା କିଛି ଗରିବ ଅସହାୟ ଲୋକଙ୍କୁ ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । କାର୍ଯ୍ୟକ୍ରମରେ କୁସୁମ ଟିଭିର ଅଧ୍ୟକ୍ଷା କୁସୁମ ମଞ୍ଜରୀ ଦାସ, ସମାଜସେବିକା ମମତା ମହାନ୍ତି, ସ୍ୱାଗତିକା ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କଲୋନୀରେ ରହୁଥିବା ବ୍ୟକ୍ତିମାନଙ୍କୁ କରୋନା ସଚେତନତା କରାଇଥିଲେ । ଏଥି ସହିତ ଛାତ୍ରୀମାନଙ୍କ ଏହି ଚିନ୍ତାଧାରାକୁ ଉଚ୍ଚ ପ୍ରଶଂସା କରି ସଙ୍ଗଠନର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ ।