Odiapua.com

 ଆଶା ଓ ଆଶଙ୍କା ଭିତରେ ଖଳିସାହିର ପିତ୍ତଳ ମୂର୍ତ୍ତୀ କାରିଗର

ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଳାର କଂଟିଲୋ ଠାରେ ସରକାର ୨୦୦୮ ମସିହା ଅପ୍ରେଲ ୧୬ରେ ସ୍ଥାନୀୟ ଅଂଚଳର ଚାହିଦା ଓ ଜନସାଧାରଣଙ୍କର ଜୀବନ ଓ ଜୀବିକାକୁ ନେଇ କଂସା ଓ ପିତଳ ତାଲିମ କେନ୍ଦ୍ର ଖୋଲିଥିଲେ। କଂସା ଓ ପିତଳ କାରୁ କାର୍ଯ୍ୟରେ କଂଟିଲୋ ଓ ଖଳିସାହି ସାରା ରାଜ୍ୟରେ ନିଜର ଏକ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିଥିଲା। କଂସା ପି…ଳର ଚାହିଦା ଓ କାରୀଗରଙ୍କୁ ଅଧିକ ଆତ୍ମ ନିଯୁକ୍ତି ଲକ୍ଷ୍ୟରେ ନାର୍ବାଡ଼ ଓ ଖଣ୍ଡପଡ଼ା ସ୍ୱେଚ୍ଛାସ୍ୱେବୀ ସମନ୍ୱୟ ସମିତି ର ମିଳିତ ଉଦ୍ୟମରେ କେନ୍ଦ୍ରଟି ଖୋଲାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୦ଜଣ ଯୁବ କାରିଗରଙ୍କୁ ନୂତନ ପ୍ରଣାଳୀରେ ତାଲିମ ଦିଆଯାଇଥିଲା। ମାତ୍ର କେନ୍ଦ୍ରରୁ କଂସା ପିତଳ ଉତ୍ପାଦନ କାର୍ଯ୍ୟ ଆଗେଇ ପାରିନଥିଲା। ଏହାର ବିଫଳତା ପାଇଁ ସ୍ୱେଚ୍ଛାସେବୀ ସଂସ୍ଥାର ପରିଚାଳନାଗତ ତ୍ରୁଟିକୁ ଦାୟୀ କରାଗଲା। ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ଓ ତାଲିମ ସରଞ୍ଜାମ ଏହି ଶିଳ୍ପ ପାଇଁ ଯୋଗାଇ ଦିଆଯାଇଥିବାବେଳେ ଏହା ପରବର୍ତ୍ତୀ ସମୟରେ ନଷ୍ଟ ହେବାରେ ଲାଗିଥିଲା। ଏପରିକି ତାଲିମ ଶିଳ୍ପ କେନ୍ଦ୍ରଟି ଚାଲୁନଥିଲେ ମଧ୍ୟ ବିଦ୍ୟୁ ବିଲ୍ ଯେମିତି ଆସିବା କଥା ଆସୁଥିଲା। ଏମିତି କେତେ ବର୍ଷ ବିଦ୍ୟୁତ ବିଲ୍ ଆସିବା ପରେ ବିଦ୍ୟୁତ ବିଲ୍ ପୈଠ ନହେବାରୁ ବିଦ୍ୟୁତ ଯୋଗଣ ଛିନ୍ନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଚାଲୁକରିବା ନେଇ ୨୦୧୧ ଅକ୍ଟୋବର ୧୨ରେ ତତ୍କାଳୀନ ନୟାଗଡ଼ର ଜିଲ୍ଳାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶଙ୍କ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ବସିଥିଲା। ଏହି ବୈଠକରେ ସେତେବେଳେ ଭୁବନେଶ୍ୱର ନାବାର୍ଡ଼ ପରିଚାଳକ ଅଶୋକ ପାଣିଗ୍ରାହୀ, ନୟାଗଡ଼ ଶାଖାର ଏଜିଏମ୍ ଆଲୋକ ଜେନା, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଗଦାଧର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କେନ୍ଦ୍ରର ଅଚଳାବସ୍ଥା ସମ୍ପର୍କାରେ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଖଣ୍ଡପଡ଼ା ସ୍ୱେଚ୍ଛାସେବୀ ସମନ୍ୱୟ ସମିତି ଠାରୁ ଏହି ଦାୟିତ୍ୱ ପ୍ରତ୍ୟାହାର କରାଯାଇଥିଲା। ଏବଂ ଆଉ ଏକ ସ୍ୱେଚ୍ଛାସେବୀ ବେସରକାରୀ ସଂସ୍ଥା ଶିଳ୍ପୀଶ୍ରୀ ତାଲିମ କେନ୍ଦ୍ରର ପରିଚାଳନା ଦାୟିତ୍ୱଭାର ଗ୍ରହଣ କଲା। ଏହି ନୂଆ ସଂସ୍ଥା ଦାୟିତ୍ୱ ନେବା ପରେ କାରିଗରଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାର କଲା। ଏପରିକି କେନ୍ଦ୍ରର ପୁନରୁଦ୍ଧାର ପାଇଁ ସେତେବେଳେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ସମ୍ପୃକ୍ତ କେନ୍ଦ୍ରକୁ ପରିଦର୍ଶନରେ ଆସି ଏହାର ବିକାଶ ପାଇଁ ୧ଲକ୍ଷ ୨୨ହଜାର ଟଙ୍କା ଅନୁଦାନ ରାଶି ମଞ୍ଜୁର କରିଥିଲେ। ମାତ୍ର ସେ ଅର୍ଥ ପଡ଼ିରହିଥିବାବେଳେ ଶିଳ୍ପ ତାଲିମ କେନ୍ଦ୍ର ନଚାଲିବା ଦୃଷ୍ଟିରୁ କାରିଗରମାନେ ଅପେକ୍ଷା କରି କରି ବେକାର ହୋଇ ଘରେ ବସିରହିଥିବା ଅଭିଯୋଗ ହେଉଛି  ା ଯାହାଫଳରେ ଯେଉଁ ବୃହତ୍ ଉଦ୍ଦେଶ୍ୟ ନେଇ ଏହି କଂସା ଓ ପିତଳ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ତାହାର ସ୍ଥାୟୀତ୍ୱ ଏବଂ ଭବିଷ୍ୟତ ନେଇ ଅନେକ ଯୁବକାରିଗର ଆଶା ଓ ଆଶଙ୍କା ଭିତରେ ଗତି କରୁଥିବା ଜଣାପଡ଼ିଛି।