ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାସ୍ଥ୍ୟସେବାରେ ଗୋଷ୍ଠୀ ସହଭାଗିତା ଆଧାରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଦାୟିତ୍ୱ ନିର୍ବାହ ପାଇଁ ଯୋଗ୍ୟ ଆଶାକର୍ମୀ, ଗ୍ରାମ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିମାନଙ୍କୁ ପୁରସ୍କୃତ କରାଯିବା ନେଇ ଭଦ୍ରକ ଜିଲ୍ଲା ଆଶା, ଗ୍ରାମକଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ ହୋଇଯାଇଛି । ସହିଦ୍ ସ୍ମୃତି ଭବନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସୁଧାଂଶୁ ଶେଖର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଭଦ୍ରକ ଜିଲ୍ଲାପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟ ଅତିଥି ଭାବେଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଆଶାମାନେ ହିଁ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବାର ପ୍ରକୃତ ମେରୁଦଣ୍ଡ ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ତୃଣମୂଳସ୍ତରରେ ପହଂଚାଇବା ପାଇଁ ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ସହଯୋଗିତା, ସହଭାଗିତା ଓ ସମନ୍ୱୟତାର ଆବଶ୍ୟକ ଅଛି ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ସହ ଚିକିତ୍ସାଧିକାରୀ ଡ଼ା. ଅମୂଲ୍ୟ କୁମାର ଦାସ, ଡ଼ା କନକଲତା ସାହୁ, ଡ଼ା. ସଂଗୀତ ବଳ ଏବଂ ଡ଼ା. ସନ୍ତୋଷ କୁମାର ପୃଷ୍ଟି, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ସୁଶ୍ରୀ ସରିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ସମାବେଶର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ, ପି.ଏଚ୍.ଓ., ବିପିଏମ୍, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ, ମହିଳା ଆରୋଗ୍ୟ ସମିତି ଓ ଗ୍ରାମ କଲ୍ୟାଣ ସମିତିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ସହପରିଚାଳକ ଅଭିଳାଷ ପାଣିଗ୍ରାହୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଶାର ସହ ପରିଚାଳିକା କଳ୍ପନା ସାମଲ ଏବଂ ତିହିଡ଼ିର ବିତ୍ତ ପରିଚାଳକ ବିପ୍ଲବ ରଞ୍ଜନ ପତି କାର୍ଯ୍ୟକ୍ରମ ସଂଯୋଜନାରେ ଆନୁଷଙ୍ଗିକ ସହଯୋଗ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭଣ୍ଡାରିପୋଖରୀର ସ୍ୱାସ୍ଥ୍ୟ କର୍ମଚାରୀ ଓ ସି.ଏଚ୍.ଓ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏ.ଡ଼ି.ପି.ଏଚ୍.ଓ. ଅନୀତା ରାଣୀ ରାଉତ, ବି.ପି.ଏମ୍. ଧାମନଗର ଜିତେନ୍ଦ୍ର ନାରାୟଣ ବିଶ୍ୱାଳ, ବରପଦା ସି.ଏଚ୍.ସିର ଅଧିକାରୀ ଡ଼ା ଉମେଶ କୁମାର ଜେନା, ପି.ଓ. ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସବିତା ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଡ଼ି.ପି.ଏମ୍, ଦେବବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।