Odiapua.com

ଆଶାକର୍ମୀ ସଂଘ ପକ୍ଷରୁ ୮ ଦଫା ଦାବୀପତ୍ର ପ୍ରଦାନ

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ଆଶାକର୍ମୀଙ୍କ ପକ୍ଷରୁ ୮ ଦଫା ଦାବୀ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଆଶାକର୍ମୀ ସଂଘର କର୍ମକର୍ତା, କର୍ମୀ, ଭାରତୀୟ ମଜଦୂର ସଂଘର ଜିଲ୍ଳା ସଭାପତି ମନୋଜ ବସନ୍ତରାୟ, ଆଶାକର୍ମୀ ରାଜ୍ୟ ସଂଘ ପ୍ରଭାରୀ ମୁକ୍ତିକାନ୍ତ ସାହୁଙ୍କ ପରିଚାଳନାରେ ଏହି ଦାବୀପତ୍ର ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଦେଶରେ ପ୍ରାୟ ୧୧ ଲକ୍ଷ ଆଶା କର୍ମୀ ଏବଂ ପ୍ରାୟ ୧ ଲକ୍ଷ ଆଶା ସାଙ୍ଗିନୀ ତୃଣମୂଳ ସ୍ତର ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅଛନ୍ତି। ଓଡ଼ିଶାରେ ପ୍ରାୟ ୧ଲକ୍ଷ ଆଶା କର୍ମଚାରୀ ଗ୍ରାମାଞ୍ଚଳ ତଥା ସହରାଂଚଳର ଲୋକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବେକ୍ଷଣ, ଟୀକାକରଣ, ପରିମଳ, ମାତୃ ଓ ଶିଶୁ ଯତ୍ନ, ଔଷଧ ବିତରଣ, ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ କୌଣସି ସମ୍ମାନ ଜନକ ସ୍ଥାୟୀ ବେତନ ଓ ଭତା ପ୍ରଦାନ କରାଯାଉ ନାହିଁ। ଆଶା କର୍ମଚାରୀଙ୍କ ସହଯୋଗରେ ସମଗ୍ର ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତନ ଦେଖିବାକୁ ମିଳୁଛି ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି। ଆଶା କର୍ମଚାରୀଙ୍କ ଦ୍ୱାରା ସହଜରେ ଅପହଂଚ ସ୍ଥାନରେ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକ ଲାଭ ପହଁଚି ପାରିଛି।

ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରି ଉଭୟ ସରକାର ଏବଂ ସମାଜ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ମେରୁଦଣ୍ଡ ବୋଲି ବିବେଚନା କରନ୍ତି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସରକାର ସେମାନଙ୍କର ଜୀବିକା ଏବଂ ପରିବାରର ରକ୍ଷଣାବେକ୍ଷଣ ପ୍ରତି ଉପଯୁକ୍ତ ସମ୍ମାନ ଦେଉନାହାଁନ୍ତି। କୋଭିଡ ସମୟରେ ଆଶା କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ କାମ କରିଛନ୍ତି। ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ନିଷ୍ଠା ସହିତ ସରକାରଙ୍କ ଆଦେଶ ପାଳନ କରି ନିଜକୁ ବିପଦରେ ପକାଇ ସମାଜକୁ କୋଭିଡରୁ ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଶା କର୍ମଚାରୀଙ୍କ ଜୀବନଶୈଳୀ ଉନ୍ନତି ଆଣିବା ପାଇଁ ଏହି ସ୍ମାରକପତ୍ର ମାଧ୍ୟମରେ ଆମ ସଂଗଠନ ନିମ୍ନଲିଖିତ ଦାବି ଆପଣଙ୍କ ଉପଯୁକ୍ତ ବିଚାର ନିମିତ ୮ ଦାବୀ ସମ୍ବଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ ଏବଂ ଏକ ଦାବୀପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି ଦାବୀଗୁଡ଼ିକ ମଧ୍ୟରେ ଆଶା କର୍ମଚାରୀଙ୍କୁ ରାଜ୍ୟ ସରକାରୀ କର୍ମଚାରୀ ଭାବେ ଘୋଷଣା ସହିତ ସର୍ବନିମ୍ନ ବେତନ ୧୮,୦୦୦ ଟଙ୍କା ପ୍ରଦାନ କରାଯିବା, ଏହି ଦେୟ ପ୍ରଭାବଶାଳୀ ହେବା ପର୍ଯ୍ୟନ୍ତ, ବର୍ତମାନରେ ମିଳୁଥିବା ପ୍ରୋତ୍ସାହନ ରାଶିକୁ ଦୁଇଗୁଣ କରି ପ୍ରଦାନ କରିବା, ଆଶା କର୍ମଚାରୀଙ୍କୁ ମାଗଣାରେ ବୀମାଭୁକ୍ତ କରାଯିବା ସହିତ ଦୁର୍ଘଟଣାରେ ମୃତ୍ୟୁ ହେଲେ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ଅବସରକାଳୀନ ସୁବିଧା ପ୍ରଦାନ ଅନ୍ତର୍ଗତ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାର ରାଶି ପ୍ରଦାନ ସହିତ ପେନସନ ସୁବିଧା ଲାଗୁ କରାଯିବା, ଅଭିଜ୍ଞ ଆଶା କର୍ମଚାରୀଙ୍କୁ ଟୀକାକରଣ ତାଲିମ ଦିଆଯିବା, ଆଶା ଭଉଣୀମାନଙ୍କୁ ଯାତାୟତ ନିମିତ ବିନା ସୁଧରେ ଇଲେକ୍ଟ୍ରୋନିକ୍ସ ସ୍କୁଟି ଯୋଗେଇ ଦିଆଯିବା, ସାମାଜିକ ସୁରକ୍ଷା ଅନ୍ତର୍ଗତ ଆଶା କର୍ମଚାରୀଙ୍କୁ ଇପିଏଫ ଏବଂ ଇଏସ୍‌ଆଇ ସାମିଲ ସହିତ ସମସ୍ତ ଲାଭ ପ୍ରଦାନ କରାଯିବା, ଆଶା କର୍ମଚାରୀଙ୍କୁ ବରିଷ୍ଠତା ଆଧାରରେ ସୁପରଭାଇଜର ପଦବୀ ପ୍ରଦାନ କରାଯିବା, ଡିଜିଟାଲ ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ତଥ୍ୟ ପ୍ରଦାନ ନିମିତ ଆଶା କର୍ମୀଙ୍କୁ ଟ୍ୟାବଲେଟ୍‌/ମୋବାଇଲ କିମ୍ବା ଲାପଟପ୍ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ଆଶାକର୍ମୀ ଭଦ୍ରକ ଜିଲ୍ଲା ଶାଖାର ଜିଲ୍ଲା ସଭାନେତ୍ରୀ ତିଳୋତମା ସାହୁ, ସମ୍ପାଦିକା ସଞ୍ଜୁଲତା ରାଉତ, ଲକ୍ଷ୍ମୀପ୍ରିୟା ରାଉତ, ନିରୂପମା ପତ୍ରୀ, ଆରତୀପ୍ରଭା ପଣ୍ଡା, ମାନସୀ ଯେନା, ସସ୍ମିତା ସେଠୀ, ପ୍ରମିଳା ରାଉତ, ପ୍ରଭାସିନୀ ଦାସ, ପଦ୍ମାବତୀ ଦାସ, ପଙ୍କଜିନୀ ସେଠୀ ପ୍ରମୁଖ ସାମିଲ ହୋଇଥିଲେ।