Odiapua.com

ଆଶାକର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଭଦ୍ରକ ଶାଖା ପକ୍ଷରୁ ୬ ଦଫା ବିଭିନ୍ନ ଦାବୀ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟ କରାଯିବା, ଆଶା କର୍ମଚାରୀମାନଙ୍କୁ ସରକାରୀ ଚାକିରିର ମାନ୍ୟତା ପ୍ରଦାନ କରାଯିବା ସହ ମାନ୍ୟତା ମିଳିବା ପଯ୍ୟନ୍ତ ମାସିକ ବେତନ ୧୮ ହଜାର ଟଙ୍କା ପ୍ରଦାନ କରିବା, କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା, କୋବିଡ଼ ୧୯ ପାଇଁ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭଳି ଆଶାକର୍ମୀମାନଙ୍କୁ ମାସିକ ୫ ହଜାର ଟଙ୍କା ଯୋଗାଇ ଦେବା, ସମସ୍ତ ଆଶାକର୍ମୀଙ୍କର ସୁରକ୍ଷା ଦୃଷ୍ଟିରୁ ପିପିଇ କିଟ୍‌, ସାନିଟାଇଜର, ହ୍ୟାଣ୍ଡୱାଶ୍‌, ହ୍ୟାଣ୍ଡଗ୍ଲୋଭ୍‌ସ ଇତ୍ୟାଦି ସହିତ ବର୍ଷକୁ ୪ ଗୋଟି ୟୁନିଫର୍ମ ଯୋଗାଇବା, କୋବିଡ଼ ୧୯ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ବରଣ କରିଥିବା ଆଶାକର୍ମୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ କରୋନା ଯୋଦ୍ଧା ରାଶି ପଚାଶ ଲକ୍ଷ ଟଙ୍କା ପ୍ରଦାନ କରିବା ଦାବୀ ଉପସ୍ଥାପନ କରାଯାଇଥିଲା । ଆଶାକର୍ମୀମାନେ ପ୍ରଥମେ ଜିଲ୍ଲା କାର୍ଯ୍ୟଳୟ ମାଳତୀ ଭବନ ଠାରେ ଏକତ୍ର ହୋଇଥିଲେ । ସେଠାରେ ସଂଘର ସଭାନେତ୍ରୀ କନକଲତା ସୂତାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଏଥିରେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ମୁକ୍ତିକାନ୍ତ ସାହୁ, ଉପସଭାପତି ବସନ୍ତ ରାଉତ, ସଂଗଠନ ସମ୍ପାଦକ ପରେଶ ନାଥ ଧଳ ଯୋଗ ଦେଇ ଦାବୀ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଆଶାକର୍ମୀ ଓ ଭାରତୀୟ ମଜଦୂର ସଂଘର କର୍ମକର୍ତ୍ତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଶ୍ରୀମତୀ ସୂତାରଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା କରାଯାଇଥିଲା ଏଥିରେ ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ରାଉତ, ସେକ୍ଟର ଲିଡର ନିରୂପମା ପତି, ମୃଗତୃଷ୍ଣା ପଟ୍ଟନାୟକ, ପ୍ରତିଭା ମହୁରୀ, ବାସନ୍ତୀ ଦାସ, ପଙ୍କଜିନୀ ସେଠୀ, ପ୍ରଭାତୀ ଜେନା ପ୍ରମୁଖ ଦାବୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲା ପ୍ରଶାସନଙ୍କୁ ପ୍ରଦାନ କରାଯାଇଥିଲା ।