Odiapua.com

ଆଲମୀରାରୁ ବାହାରିଥିବା ମଦ ବେପାରୀର ୩୦୦ କୋଟି ଟଙ୍କା ବିଜେଡ଼ିର, ବିଜେପି କଲା ଧୀରଜ ସାହୁର କୁଶପୁତ୍ତଳା ଦାହ

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ସଂପ୍ରତି ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ବିଜେଡ଼ି ସରକାର ସମୟରେ ମାଫିଆରାଜ୍‌ର ବୃଦ୍ଧି ଘଟିଛି । ଯନ୍ତ୍ରୀ, ମନ୍ତ୍ରୀ, ଠିକାଦାର, ମଦବେପାରୀଙ୍କ ପାଖରେ ରହିଛି ବିଜେଡ଼ି ଶହଶହକୋଟି ଟଙ୍କା । ଜଣେ ମଦ ବ୍ୟବସାୟୀ ଘରୁ ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହେବା ଏକ ଛୋଟିଆ କଥା ନୁହେଁ । ମଦ ବ୍ୟବସାୟ କରି ଜଣେ କୋଟିପତି ହୋଇ ପାରେ, ମାତ୍ର ଏଭଳି ଶହଶହ କୋଟି ଟଙ୍କା ଘରେ ସାଇତି ରଖିବା ଏକ ଅସମ୍ଭବ ଭଳି ମନେ ହୁଏ । ଏହା ନିଶ୍ଚିତ ଆଗାମୀ ନିର୍ବାଚନ ପାଇଁ ବିଜେଡ଼ିର ଗଚ୍ଛିତ ଅର୍ଥ ବୋଲି ବିଜେପି ଆରୋପ କରିଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ନେତୃତ୍ୱରେ ଡିଆଇବି ଅଫିସ ସମ୍ମୁଖ କଚେରୀ ବଜାରଠାରେ ଏକ ପ୍ରତିବାଦ ସଭା କରାଯିବା ସାଙ୍ଗକୁ ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କୁଶପୁତ୍ତଳା ଦାହ କରାଯାଇଥିଲା । ନବୀନ ପଟ୍ଟନାୟକ ଏବେ ରିମୋଟ୍‌ରେ ନାଚୁଥିବା କଣ୍ଢେଇ । ତାଙ୍କୁ ‘୫ଟି’ ଅଧ୍ୟକ୍ଷ ପାଣ୍ଡିଆନ୍ ଯେଉଁ ଭଳି ନଚାଉଛନ୍ତି, ସେ ସେହିଭଳି ନାଚୁଛନ୍ତି ।

ଆଗାମୀ ଆଉ କେଇମାସ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ ବଦ୍‌ନାମ୍ ହୋଇସାରିଥିବା ବିଜେଡ଼ି ସରକାର ପୁଣି କ୍ଷମତାକୁ ଫେରିବା ପାଇଁ କଳ, ବଳ, ଅର୍ଥ ସବୁକିଛି ପ୍ରୟୋଗ କରିବ । ଏଥିଲାଗି ବିଜେଡ଼ି ପକ୍ଷରୁ ବିପୁଳ ପରିମାଣର ଅର୍ଥ ଏବେଠାରୁ ବିଭିନ୍ନ ମାଫିଆମାନଙ୍କ ପାଖରେ ଜମା ରଖାଯାଇଛି । ଯାହାର ମାତ୍ର ଗୋଟିଏ ନମୁନା ଏବେ ସାମ୍‌ନାକୁ ଆସିଛି । ମଦ ବ୍ୟବସାୟୀ ଆଉ ମ୍ୟାନେଜରଙ୍କ ଘରୁ ବାହାରିଛି ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ଏଇଥିରୁ ସାଧାରଣ ଜନତା ବେଶ୍ ଜାଣି ସାରିଲେଣି ବିଜେଡ଼ି ସରକାରର ସ୍ୱଚ୍ଛତା କେତେ? ଜଣେ ମଦ ବେପାରୀ ଯିଏ କି ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଳାରେ ୨୦୦୦ ମସିହାରୁ ମହୁଲୀ ମଦର ଟେଣ୍ଡର ନେଇ ବ୍ୟବସାୟ କରୁଛି । ସରକାର ଲଟେରୀ ସିଷ୍ଟମରେ ମଦ ଲାଇସେନ୍‌ସ ଦେଉଥିବା ବେଳେ ଧୀରଜ ସାହୁ ଦୀର୍ଘ ୨୩ ବର୍ଷରୁ ଉର୍ଦ୍ଧ୍ୱ କିପରି ନିରବଚ୍‌ଛିନ୍ନ ଲାଇସେନ୍‌ସ ପାଇ ପାରୁଛି ବୋଲି ବିଜେପି ପ୍ରଶ୍ନ କରିଛି । ଏଥି ସହିତ ଚଢ଼ାଉ ବେଳେ ଜବତ ହୋଇଥିବା ଡାଏରୀ ଖୋଲାଯିବା ଏବଂ ସେଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ଖୁଲାସା କରାଯାଉ । ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ସମେତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ମନୋରଞ୍ଜନ ମଲ୍ଲିକ, ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ଅଶୋକ ପରିଜା, ଜଗନ୍ନାଥ ଦାସ ପ୍ରମୁଖ ସାମିଲ ହୋଇଥିଲେ ।