ଭଦ୍ରକ, ୨-୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ କାଉଡ଼ିଆ ମାନଙ୍କ ଦ୍ୱାରା ଜଳାଭିଷେକ କାର୍ଯ୍ୟକ୍ରମ ଶ୍ରାବଣୀ ଉତ୍ସବ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର ଓ ସରପଞ୍ଚ ଆରଡ଼ିର ଶ୍ରଦ୍ଧାଞ୍ଜଳୀ ପାଢ଼ୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ମ୍ୟାନେଜିଂ ଟ୍ରଷ୍ଟି ହିସାବରେ ଉପଜିଲ୍ଲାପାଳଙ୍କ ଦ୍ୱାରା ଶ୍ରାବଣୀ ଉତ୍ସବ ପାଳନ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ବରିଷ୍ଠ ସେବାୟତ ବିଜୟ କୁମାର ଦାସଙ୍କ ଦ୍ୱାରା ଚଳିତ ବର୍ଷର ଶ୍ରାବଣୀ ଜଳାଭିଷେକ ନୀତିକାନ୍ତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। କାର୍ଯ୍ୟସୂଚୀ ଭୁକ୍ତ ବିଷୟାନୁଯାୟୀ ଏହି ପର୍ବ ପାଳନ ଉପଲକ୍ଷେ ଆବଶ୍ୟକ ପଦକ୍ଷେପ, ବିଭିନ୍ନ ବିଭାଗୀୟ କାର୍ଯ୍ୟ, ସମସ୍ୟା ଆଦି ସମ୍ବନ୍ଧରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ପରିଚାଳନା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ନଦୀଘାଟରେ ନିରାପଦ ଡଙ୍ଗା ଚାଳନା ଆଦି କାର୍ଯ୍ୟ ପାଇଁ ପୋଲିସ୍ ମୂତୟନ ବ୍ୟବସ୍ଥା ସମ୍ବନ୍ଧରେ ଡି.ଆଇ.ବି.ର ଡି.ଏସ୍.ପି. କମଳ ଲୋଚନ ଭୂୟାଁ ସବିଶେଷ ସୂଚନା ପ୍ରଦାନ କରିଥିଲେ।
ତିନିତର ଘାଟ ସହ ଅନ୍ୟ ଦୁଇ ନଦୀ ଘାଟରେ ଓଡ଼ରାଫ୍ ଦଳ ମୂତୟନ, ପୋଲିସ୍ ପେଟ୍ରୋଲିଂ, ସ୍ୱତନ୍ତ୍ର ଅସ୍ଥାୟୀ ପୋଲିସ୍ ଶିବିର, ଜିଲ୍ଲା ଓ ସ୍ଥାନୀୟ ନିୟନ୍ତ୍ରଣ କକ୍ଷ ଆଦି ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ସେ ପ୍ରକାଶ କରିଥିଲେ। ଆରଡ଼ି ପୀଠକୁ ଯୋଗାଯୋଗ ଥିବା ଆର୍.ଡ଼ି ଓ ପି.ଡିବ୍ଲୁ.ଡ଼ି ଅଧିନରେ ଥିବା ରାସ୍ତା ଗୁଡ଼ିକର ମରାମତି, ଯାନବାହାନ ପାଇଁ ବିଭିନ୍ନ ଜାଗାରେ ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ବିଶେଷ କରି ଅସ୍ଥାୟୀ ଶୈାଚାଳୟ ସଫେଇ, ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଆଞ୍ଚଳିକ ଡାକ୍ତରଖାନା ସବୁ ୨୪ ଘଣ୍ଟା ଖୋଲା ରଖାଯିବା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଆବଶ୍ୟକ ଆଲୋକ ବ୍ୟବସ୍ଥା ସମ୍ବନ୍ଧରେ ସମୀକ୍ଷା କରି ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବିଶେଷ କରି ମନ୍ଦିର ଆଖ ପାଖ ଅଞ୍ଚଳରେ ମଦ ବିକ୍ରି ହେଉଥିବା ଅଭିଯୋଗ ଆଧାରରେ ଜିଲ୍ଲାପାଳ ଯଥାଶିଘ୍ର ଚଢ଼ାଉ କରିବା ପାଇଁ ଉପସ୍ଥିତ ଅବକାରୀ ଅଧ୍ୟୀକ୍ଷକଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପୋଖରୀ ଓ ମନ୍ଦିର ପାଖରେ ନୁଆଁଣିଆ ଥିବା ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ତାର, ବସ୍ ଛାତରେ ଯାତ୍ରୀ ପରିବହନ, ମୁକୁଳା ପଡ଼ିଥିବା ଡ୍ରେନରେ ସ୍ଲାବ୍ ପକାଇବା ଆଦି ସମସ୍ୟାର ସମାଧାନ ସହିତ ୪/୫ ହଜାର ଶ୍ରଦ୍ଧାଳୁ ବିଶ୍ରାମ ନେଇ ପାରିଲା ଭଳି ବିଶ୍ରାମାଗାର ନିର୍ମାଣ, ବାତ୍ୟା ବନ୍ୟା ପ୍ରବଣ ଅଞ୍ଚଳ ଯୋଗୁଁ ସେଠାରେ ସୋଲାର ପାୱାର ୟୁନିଟ୍ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ସେବାୟତ ଓ ସଦସ୍ୟ ମାନଙ୍କ ତରଫରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସରୋଜ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲେଇ ଏହି ବୈଠକ ଆୟୋଜନରେ ଆନୁଷଙ୍ଗିକ ସହଯୋଗ କରିଥିଲେ।