Odiapua.com

ଆର୍ଥିକ ଅନାଟନ ପାଇଁ ୫ମାସର ଶିଶୁ ପୁତ୍ରକୁ ବିକ୍ରିପରେ ମାନଶିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ବାପା

ମାଲକାନଗିରି,୭ା୧(ଓଡିଆ ପୁଅ ) ପେଟକୁ ଦାନା ଦେବା ଓ ଘର ଚଳାଇବା ପାଇଁ ଆର୍ଥିକ ଅନାଟନରୁ ୫ବର୍ଷର ଶିଶୁପୁତ୍ରକୁ ବିକ୍ରିକରି ଦେବା ପରେ ଛୁଆକୁ ନପାଇ ଦୁଃଖରେ ନିଜର ମାନଶିକ ଭାରସାମ୍ୟହରାଇ ଆତ୍ମହତ୍ୟା କରିଛନ୍ତି ବାପା । ଏପରି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ପୁଲିସ ଫାଣ୍ଡି ଅନ୍ତର୍ଗତ ସପ୍ତଧାରା ଗ୍ରାମରେ । ସେହି ଗ୍ରାମର ସୋମନାଥ ଖିଲ ଜଣେ ଗରିବ ଆଦିବାସୀ, ଘରକୁ ପତ୍ନୀ କୁନିଖିଲ ଓ ୫ଟି ଛୋଟ ଛୋଟ ପିଲା । ଘର କହିଲେ ଭଙ୍ଗାକୁଡିଆଟିଏ ,ସେମାନଙ୍କୁ ସେମିତି କିଛି ସରକାରଙ୍କ ପକ୍ଷରୁ ସୁବିଧା ସୁଯୋଗ ମିଳିନଥିବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ପରଘରେ କୁଲୁମଜୂରି ଲାଗି ଓ ଜଙ୍ଗଲରୁ କାଠବାଉଁସ ସଂଗ୍ରହ କରି ଯାହା ରୋଜଗାର କରନ୍ତି ସେଥିରେ ସାତପ୍ରାଣିକୁଟୁମ୍ବଙ୍କ ପେଟକୁ ଦାନାଯୋଗାଡ କରିଥାନ୍ତି । ଗତ କିଛି ଦିନହେଲା କୁଲିମଜୂରୀ ମିଳିନଥିବାରୁ କିପରି ପରିବାର ଚଳାଇବେ ସେନେଇ ସୋମନାଥ ଚିନ୍ତାରେ ପଡି ଯାଇଥିଲେ । କିଛି ଉପାୟ ନପାଇ ଗତ କିଛି ଦନତଳେ ପରିବାର ଚଳାଇବା ପାଇଁ ନିଜର ୫ମାସର ଶିଶୁ ପୁତ୍ରକୁ କେଉଁଠାରେ ବିକ୍ରିକରିଦେଇ କିଛି ଟଙ୍କା ଧାରି ଘରକୁ ଫେରିଥିଲେ ସୋମନାଥ । ପୁଅ ରାଜା କୁ କେଉଁଠି ଛାଡିଲ ପତ୍ନୀ ପଚାରିଥିଲେ ମଧ୍ୟ ସୋମନାଥ ତାଙ୍କୁ କିଛି କହିନଥିଲେ । ଏମିତି କିଛି ଦିନ ଦୁଃଖ କଷ୍ଟରେ ସୋମନାଥଙ୍କ ପରିବାର ଚଳିଯାଇଥିଲା । ମୋର ସାନପିଲାକୁ କେଉଁଠି ଛାଡିଲ ଆଣି ଦିଅବୋଲି ପତ୍ନି ଅଡି ବିସଲାରୁ ଗତ ଦୁଇଦିନହେଲା ସୋମନାଥ ନିଜର ଶିଶୁପୁତ୍ରକୁ ହରାଇବା ଚିନ୍ତାରେ ଖାଇବା ପିଇବା ଶୋଇବା ଛାଡି ଦେଇଥିଲେ , ସେ ପାଗଳପ୍ରାୟ ଏଠି ସେଠି ଘୁରିବୁଲୁଥିଲେ । ଗତ କାଲି ପତ୍ନୀ କୁନି ଜଙ୍ଗଲକୁ କାଠ ଆଣିବାକୁ ଚାଲିଗଲାପରେ ଆର୍ଥିକ ଅନାଟନ ଓ ପୁତ୍ରହରା ଦୁଃଖରେ ସୋମନାଥ ଘର ଓରାରେ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ଗତ କାଲି ସନ୍ଧ୍ୟାରେ ପତ୍ନି କୁନି ଖିଲ ଘରକୁ ଫେରି ଦେଖିଲା ବେଳକୁ ସ୍ୱାମୀ ନିଜ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ସେ ଭୋଭୋ ହୋଇ କାନ୍ଦିବାରୁ ନିକଟରେ ଥିବା ପଡୋଶି ସେଠାରେ ପହଁଚିଥିଲେ । ଏ ସଂପର୍କରେ ପୁଲିସକୁ ଖବର ଦେବାରୁ ଗୋବିନ୍ଦପାଲି ପୁଲିସ ଫାଣ୍ଡିର ପୁଲିସ ମାନେ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରି ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥମେ ପୁଅକୁ ହରାଇ ମା କୁନି ଖିଲ ଦୁଃଖରେ ଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁରେ ସେ ଭାଙ୍ଗିପଡିଛନ୍ତି । ଏବେ ତାଙ୍କପରିବାର ଅନାଥ ଓ ବେସାହାରା ହୋଇପଡିଛନ୍ତି । ୪ଟି ଛୋଟ ଛୋଟ ପିଲାଙ୍କୁ ନେଇ ସେ କିପରି ବଚିଂବେ ସେ ଚିନ୍ତାରେ କୁନିଙ୍କ ଆଖିରୁ ଲୁହ ସୁଖୁନାହିଁ । ଗତ କିଛି ବର୍ଷତଳେ କଳାହାଣ୍ଡିରେ ଭୋକ ପାଇଁ ଶିଶୁ ବିକ୍ରୀ ପରି ଖବର ନଜରକୁ ଆସୁଥିବା ବେଳେ ଏବା ପୁଣି ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ତାହା ଦେଖିବାକୁ ମିଳିଛି । ଏଠାରେ ଶିଶୁ ବିକ୍ରୀ ସହିତ ଆତ୍ମହତ୍ୟା ପରି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ।