Odiapua.com

ଆରଡି ବସଷ୍ଟାଣ୍ଡ ନାମ ପରିର୍ବତନକୁ ନେଇ ସବୁ ମହଲରୁ ବିରୋଧ, ଅଟଳ ବସଷ୍ଟାଣ୍ଡ ନାମ ନହଟିଲେ ଆନ୍ଦୋଳନକୁ ଓହ୍ଲାଇବେ ସେବାୟତ ଓ ଭକ୍ତ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବହୁ ପୁରାତନ ଶୈବକ୍ଷେତ୍ର ଭାବେ ପରିଚିତ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ। ଏହି ପୀଠର ଥିବା ବସଷ୍ଟାଣ୍ଡ ପୂର୍ବରୁ ଆରଡି ବସଷ୍ଟାଣ୍ଡ ଭାବେ ରହିଥିଲା। ହେଲେ ପୂର୍ବ ସରକାରଙ୍କ ଦ୍ୱାରା ନବନିର୍ମିତ ବସଷ୍ଟାଣ୍ଡର ନାମ ପରିବର୍ତନ କରାଯାଇ ଅଟଳ ବସଷ୍ଟାଣ୍ଡ ନାମକୁ ନେଇ ସବୁ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ବାବାଙ୍କ ପୀଠକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକ ବାବାଙ୍କ ଦର୍ଶନ ପାଇଁ ପୀଠକୁ ଆସିଥାନ୍ତି। ବାବାଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭଦ୍ରକର ପ୍ରବେଶ ପଥ ଠାରୁ ଆରମ୍ଭ କରି ଆରଡି ପୀଠରେ ପହଂଚିବା ଯାଏଁ ବାବା ଆଖଣ୍ଡଳମଣି ପୀଠ ଆପଣଙ୍କୁ ସ୍ୱାଗତ ଜଣାଉଛି ବୋଲି ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ଓ ବଜାରରେ ନାମଫଳକ ଓ ତୋରଣମାନ କରାଯାଇଛି। ହେଲେ ଆରଡି ପୀଠର ବସଷ୍ଟାଣ୍ଡ ଆବାହନ କାଳରୁ ପହଣା ମୌଜାରେ ରହିଥିଲେ ମଧ୍ୟ ତାହା ଆରଡି ବସଷ୍ଟାଣ୍ଡ ନାମରେ ପରିଚିତ ହୋଇଥିଲା। ପର୍ଯ୍ୟଟନ ଋତୁ ସହ ବସ ଯୋଗେ ପ୍ରତିଦିନ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କ ସହ ପର୍ଯ୍ୟଟକମାନେ ଆରଡି ବସଷ୍ଟାଣ୍ଡରେ ଓହ୍ଲାଇ ବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିରକୁ ଆସିଥାନ୍ତି। ଏପରିକି ପୀଠରେ ଭକ୍ତଙ୍କ ସଂଖ୍ୟା ବଢିବାରୁ ବସ୍ ଓ ଘରୋଇ ବସ୍ ରହଣି ନିମନ୍ତେ ପୂର୍ବ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳ କରାଯାଇ ନୂତନ ଆରଡି ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଏହି ନୂଆ ବସଷ୍ଟାଣ୍ଡରେ ପୂର୍ବରୁ ଆରଡି ବସଷ୍ଟାଣ୍ଡ ନାମ ଫଳକ ରହିଥିଲେ ମଧ୍ୟ ତାହାକୁ ପରିବର୍ତନ କରାଯାଇ ଅଟଳ ବସଷ୍ଟାଣ୍ଡ ନାମରେ ନାମିତ ଫଳକ ଲଗାଯାଇଥିବାରୁ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କ ମନରେ କୋଠାରାଘାତ କରିଛି। ସେମାନଙ୍କ କହିବା ଅନୁଯାୟୀ ବାବା ଆଖଣ୍ଡଳମଣି ଏ ଅଂଚଳ ସହ ରାଜ୍ୟବାସୀଙ୍କର ଆରାଧ୍ୟ ଦେବତା। ତାଙ୍କ ନାମ ଧରି କାହିଁ କେତେ ଦୂରରୁ ଭକ୍ତ ଓ ପର୍ଯ୍ୟଟକ ଧାଇଁ ଆସୁଛନ୍ତି ବାବାଙ୍କ ଦର୍ଶନ ପାଇଁ , ହେଲେ ଭକ୍ତଙ୍କର ଧାର୍ମିକ ଭାବନାକୁ ଅକ୍ଷୁନ୍ନ ରଖିବା ପାଇଁ ପୂର୍ବରୁ ନାମିତ ଥିବା ଆରଡି ବସଷ୍ଟାଣ୍ଡ ନାମ ରଖିବା ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ପୁର୍ନବିଚାର କରନ୍ତୁ। ଆଗାମୀ ଦିନରେ ଯଦି ଏହି ନାମ ପରିବର୍ତନନ କରାନଯାଏ ମନ୍ଦିରର ସେବାୟତ, ଭକ୍ତ ଓ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।