Odiapua.com

ଆରଡିପୀଠରେ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍ ଭାଙ୍ଗିଲେ ଦୃର୍ବୁତ୍ତ, ଲକ୍ଷାଧିକ ଟଙ୍କା ଲୁଟ୍ ଉଦ୍ୟମ ପଣ୍ଡ

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ କେତେକ ଦୃର୍ବୁତ୍ତ ଆଖଣ୍ଡଳମଣି ପୀଠ ପ୍ରବେଶ ପଥ ନିକଟରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌କୁ ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କା ଲୁଟ୍ କରିବା ପାଇଁ ଲକରକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିବା ବ୍ୟାଙ୍କ ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡିଛି । ରବିବାର ବ୍ୟାଙ୍କ ଛୁଟି ରହିଥିବାରୁ ଏହାର ସୁଯୋଗ ନେଇ ଗତକାଲି ଦୃର୍ବୁତ୍ତମାନେ ଏପରି କାର୍ଯ୍ୟ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତାହା ଏହା ସହ ବ୍ୟାଙ୍କ ସମ୍ମୁଖରେ ଥିବା ୨ଟି ସିସି କ୍ୟାମେରା ସହ ଆଲାରମକୁ ଭାଙ୍ଗି ଦେଇଥିଲେ ଦୃର୍ବୁତ୍ତମାନେ । ଏପରିକି ଗ୍ୟାସ୍ ସିଲିଣ୍ଡର ଓ କଟର ଦ୍ୱାରା ଏଟିଏମ୍ ମେସିନ୍‌କୁ ତାଡିବା ସହ ଏଟିଏମ୍ ଗୃହରେ ଲାଗିଥିବା ଆସବାବ ପତ୍ର ଗୁଡିକୁ ଭାଙ୍ଗି ଦେଇଛନ୍ତି । ହେଲେ ଦୃର୍ବୁତ୍ତମାନେ ଏଟିଏମ୍ ମେସିନ୍‌ରୁ ଟଙ୍କା ବକ୍ସ ଖୋଲି ପାରିନଥିବାରୁ ଟଙ୍କା ସୁରକ୍ଷିତ ଥିବା କହିଛନ୍ତି ବ୍ୟାଙ୍କର ପରିଚାଳକ ଅୟସକାନ୍ତ ମାଝୀ । ଏ ନେଇ ଆରଡି ଫାଣ୍ଡିରେ ଏକ ଏତଲା ଦିଆଯିବା ପରେ ପୁଲିସ୍ ପକ୍ଷରୁ ଘଟଣା ତଦନ୍ତ କରାଯିବା ସହ ଦୃର୍ବୁତ୍ତମାନେ ଛାଡିଯାଇଥିବା ଗ୍ୟାସ୍ ସିଲିଣ୍ଡର, କଟର ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି । ବ୍ୟାଙ୍କ ପକ୍ଷରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।