ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମିତ୍ରତା ପାଇଥିବା ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ ପାଇଁ ପ୍ରତିଦିନ ଓ ପର୍ଯ୍ୟଟନ ଋତୁରେ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକମାନଙ୍କ ଆଶ୍ରୟ ଓ ରାତ୍ର ରହଣୀ ନିମନ୍ତେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୯ରେ ପ୍ରାୟ ୪କୋଟି ଟଙ୍କା ବ୍ୟୟବରାଦ କରାଯାଇ ଏକ ବିଶାଳକାୟ ପାନ୍ଥନିବାସ ନିର୍ମାଣ କରାଯାଇଛି। ଏହି ନବନିର୍ମିତ ପାନ୍ଥନିବାସ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ହେବ କାର୍ଯ୍ୟ ସରିଥିଲେ ମଧ୍ୟ ଆଗନ୍ତୁକ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ହେବା ତ ଦୂରର କଥା ଏବେ ଧାନ ଗୋଦାମ ପାଲଟିଛି। ଏଥିସହ ପାନ୍ଥନିବାସ ପରିସର ଚତୁଃପାର୍ଶ୍ୱରେ ପାଚେରୀ ନଥିବା ବେଳେ ଫାଟକରେ ତାଲା ପଡିନଥିବାରୁ ଅସାମାଜିକ ବ୍ୟକ୍ତିମାନଙ୍କର ଆଡ୍ଡାସ୍ଥଳୀ ପାଲଟିବା ସହିତ ମାଦକ ବୋତଲ ଆଦି ପରିସରରେ ପଡ଼ି ରହିଛି। ସେହିପରି ପାନ୍ଥନିବାସ କୋଠରୀ ସବୁ ଖୋଲା ମେଲା ଭାବେ ପଡି ରହିଛି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଓ ବରିଷ୍ଠ ତିର୍ଥଯାତ୍ରୀ ଆସୁଛନ୍ତି। ରାତ୍ର ଯାପନ ସହ ଆଶ୍ରୟ ନେବା ପାଇଁ ସରକାରୀ ସୁବିଧାକେନ୍ଦ୍ର ନଥିବାରୁ ୨/୩ଗୁଣା ଖର୍ଚ୍ଚରେ ଘରୋଇ କଲ୍ୟାଣ ମଣ୍ଡପ ଓ ଲଜରେ ଆଶ୍ରୟ ନେଇ ଫେରୁଛନ୍ତି। ସେହିପରି ପୀଠର ବସଷ୍ଟାଣ୍ଡ ଠାରେ ସମସ୍ତ ଯାତ୍ରୀବାହୀ ବସ୍ ରହୁଥିବା ବେଳେ ଶୈଚାଳୟ ଓ ପାନୀୟ ଜଳର ସୁବିଧା ନଥିବାରୁ ଆଗନ୍ତୁକ ପର୍ଯ୍ୟଟକ ଓ ତିର୍ଥଯାତ୍ରୀ ଶୈଚ ଓ ପାଇଖାନା ଯିବା ପାଇଁ ନାନା ହରକତ ହେଉଛନ୍ତି। ସେହିପରି ନୂତନ ଗାଡି ପାର୍କିଂ ସହ ମନ୍ଦିର ଚତୁଃପାର୍ଶ୍ୱରେ ଶୈଚାଳୟ ଓ ପାନୀୟଜଳ ବ୍ୟବସ୍ଥା ନଥିବାରୁ ୍ୱହୁ ଅସୁବିଧାରେ ସମୁଖୀନ୍ନ ହୋଇ ଫେରୁଛନ୍ତି ଆଗନ୍ତୁକ ପର୍ଯ୍ୟଟକମାନେ। ଏପରି ସମସ୍ୟା ଦୀର୍ଘବର୍ଷ ହେବ ଲାଗି ରହିଥିବାରୁ ପୂର୍ବ ଅପକ୍ଷେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକ ଜିଲା ପ୍ରଶାସନର ଦୃଷ୍ଟିକୁ ଆଣିବା ପରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଉପଜିଲାପାଳ ସୌରଭ ଚକ୍ରବର୍ତୀଙ୍କୁ ଘଟଣାର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି।