ଭୁବନେଶ୍ୱର ୮-୭ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଗଂଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କୋଭିଡ-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ ଓ ସୀମା ବନ୍ଦ ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଛତ୍ରପୁର ଠାରେ ଦକ୍ଷୀଣାଞ୍ଚଳ ରେଂଜ ଡିଆଇଜି, ଆରକ୍ଷୀ ଅଧିକ୍ଷକ ଗଂଜାମ ଓ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁରଙ୍କ ସହ ଜିଲ୍ଳାରେ କୋଭିଡ-୧୯ ସ୍ଥିତି ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ସେ ସହରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ କାର୍ଯ୍ୟସ୍ଥଳରେ ସାମାଜିକ ଦୂରତ୍ୱ ଅବଲମ୍ବନ ସହ କୋଭିଡ-୧୯ ସଂପର୍କିତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମର ସେ ପ୍ରଶଂସା କରିବା ସହ ପୋଲିସକୁ ସହଯୋଗ ପାଇଁ ଗଂଜାମ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଏହି ଗସ୍ତ ଜିଲ୍ଲା ପୋଲିସର ମନବଳଙ୍କୁ ଉଚ୍ଚ କରିବାରେ ନିଶ୍ଚୟ ସହାୟକ ହେବ।