Odiapua.com

ଆରଓବି ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମ୍ପର୍କିତ ୱେବିନାର

ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ଆଜି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା” ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଏଥିରେ ଅଧ୍ୟକ୍ଷତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନଏଫଏସଏ) ଅଧୀନରେ ଆଗୁଆ ତିନି ମାସ ପାଇଁ ୫, ୬୪, ୯୯୩-୨୫୪ ମେଟ୍ରିକ ଟନ ଚାଉଳ ଓ ଗହମ ରାଜ୍ୟର ୯୨-୮୪ ଲକ୍ଷ ପରିବାରକୁ ବିତରଣ କରାଯାଇଥିଲା। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୯୩-୯୨ ହଜାର ପରିବାରକୁ ୪୦୫୩-୨୨୧ ମେଟ୍ରିକ ଟନ ଚାଉଳ ବଂଟନ କରାଯାଇଛି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ମାସିକ ୧ହଜାର ଟଙ୍କା ଲେଖାଏଁ ନଗଦ ସହାୟତା ବଂଟନ କରାଯାଇଛି। ଏଥିପାଇଁ ୯୫୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ ଦେଶର ଗରିବ ଲୋକମାନଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ଅନ୍ତର୍ଗତ ମାଗଣାରେ ଚାଉଳ ଓ ଡାଲି ଏପ୍ରିଲ, ମେ ଓ ଜୁନ ୨୦୨୦ ପାଇଁ ରାଜ୍ୟରେ ବିତରଣ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଣ୍ଡ ପିଛା ୫ କିଗ୍ରା ଲେଖାଏଁ ଚାଉଳ ତିନି ମାସ ପାଇଁ ଦିଆଯାଇଥିବା ବେଳେ ପ୍ରତି ପରିବାର ପିଛା ମାସିକ ୧ କିଗ୍ରା ଲେଖାଏଁ ଡାଲି ଯୋଗାଇ ଦିଆଯାଇଛି। ୩୧ ମାର୍ଚ୍ଚ ୨୦୨୦ରେ ଭାରତ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ତିନି ମାସର ମାଗଣା ରାସନ ଏକକାଳୀନ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ଏନଏଫଏସଏ ଅଧୀନରେ ନିୟମିତ ସହାୟତା ସହିତ ଏହାକୁ ଯୋଗାଇ ଦେବା ନିମନ୍ତେ ତୁରନ୍ତ ପ୍ରସ୍ତୁତି କରାଯାଇଥିଲା ଏବଂ ରାଜ୍ୟରେ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଲାଗି ମଧ୍ୟ ପଦକ୍ଷେପ ନିଆଯାଇଥିଲା। କୋଭିଡ-୧୯ ଲକଡାଉନ ସତ୍ୱେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଦ୍ୟଶସ୍ୟ ବିତରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି। ପାଖାପାଖି ୮୦୦ କ୍ଷେତ୍ରୀୟ ସ୍ତରର ଖାଦ୍ୟ ଯୋଗାଣ କର୍ମଚାରୀ, ରାଜ୍ୟ ସାଧାରଣ ବଂଟନ ନିଗମର ୨୧୫ଟି ଗୋଦାମରେ କାର୍ଯ୍ୟରତ ୧୬, ୦୦୦ ଶ୍ରମିକ, ୪୦୦ରୁ ଅଧିକ ପରିବହନ ଠିକାଦାର ସେମାନଙ୍କର ସରଞ୍ଜାମ ସହିତ ଏବଂ ୧୨୩୫୬ ଖାଦ୍ୟଶସ୍ୟ ବିତରଣ କେନ୍ଦ୍ର ଜରିଆରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସଫଳତା ପୂର୍ବକ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ସେ ଆହୁରି ସୂଚନା ଦେଇଥିଲେ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ହିତାଧିକାରୀମାନଙ୍କୁ ମୋଟ ୪, ୮୭, ୦୫୭-୪୮୫ ମେଟ୍ରିକ ଟନ ଚାଉଳ ଓ ୨୭, ୮୫୬ ମେଟ୍ରିକ ଟନ ଡାଲି ବଂଟନ କରାଯାଇଛି। ଏହାଦ୍ୱାରା ୯୨, ୮୪, ୬୨୬ ପରିବାରର ପାଖାପାଖି ୩, ୨୪, ୬୨, ୯୫୫ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି।

ଇତିମଧ୍ୟରେ, ପିଏମଜିକେଏୱାଇ ଅଧୀନରେ ଏନଏଫଏସ ହିତାଧିକାରୀମାନଙ୍କୁ ଭାରତ ସରକାର ଆହୁରି ୫ ମାସ ପାଇଁ ଅର୍ଥାତ ଜୁଲାଇରୁ ନଭେମ୍ବର ୨୦୨୦ ମାସ ପର୍ଯ୍ୟନ୍ତ ଖାଦ୍ୟ ଶସ୍ୟ ବିତରଣ କରିବା ଲାଗି ଘୋଷଣା କରିଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି ଖୁବଶୀଘ୍ର ଖାଦ୍ୟସାମଗ୍ରୀ ବିତରଣ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ।

ଏମଡିଆଇର ଲୋକ ନୀତି ଓ ପ୍ରଶାସନ ବିଭାଗ ପ୍ରଫେସର ଡ ଆଲୋକ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ଦେଶରେ ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ହୋଇ ରହିଛି। ଅତିରିକ୍ତ ଆବଶ୍ୟକତା କ୍ଷେତ୍ରରେ ହିତାଧିକାରୀମାନଙ୍କୁ ଖାଦ୍ୟସାମଗ୍ରୀ ବିତରଣରେ କୌଣସି କଟକଣା ରହିବା ଅନୁଚିତ। ଗୋଦାମରେ ପଡ଼ି ରହି ଖାଦ୍ୟଶସ୍ୟ ନଷ୍ଟ ହେବା ବଦଳରେ ସେଗୁଡ଼ିକୁ ହିତାଧିକାରୀମାନଙ୍କୁ ବିତରଣ କରି ଦିଆଯିବା ଉଚିତ।

ଏଫଏଓ/ୟୁଏନର ପୂର୍ବତନ ବିଶେଷଜ୍ଞ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଏହି ଅବସରରେ ବକ୍ତବ୍ୟ ରଖି ଅଙ୍ଗନୱାଡ଼ି କର୍ମୀ, ଆଇସିଡିଏସର ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ବିତରଣ କରାଯାଉଥିବା ଖାଦ୍ୟଶସ୍ୟର ସଦୁପଯୋଗ ହେବା ଆବଶ୍ୟକ। ଏଫସିଆଇ, ଭୁବନେଶ୍ୱରର ଏଜିଏମ ସତ୍ୟପ୍ରକାଶ ପଣ୍ଡା, ଇଣ୍ଡିଆ ହ୍ୱିସ୍ପର୍ସର ସମ୍ପାଦକ ଶ୍ରୀ ଦିଲୀପ ବିଶୋୟୀ, ଆରଓବିର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏହି ୱେବିନାରରେ ଅଂଶଗ୍ରହଣ କରି ବିଷୟବସ୍ତୁ ଉପରେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ।