Odiapua.com

ଆମ ପରିଚୟର ଆଧାର ହେଉଛନ୍ତି ଶିକ୍ଷକ – ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ, ଜିଲ୍ଲା ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ / ପ୍ରଧାନଶିକ୍ଷକ ସମ୍ମିଳନୀ

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ପରେ ଓଡ଼ିଶାର ୪ର୍ଥ ଜିଲ୍ଲାଭାବେ ଭଦ୍ରକରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମାର୍ଗ ଦର୍ଶନ ପୂର୍ବକ ସମ୍ମିଳନୀକୁ ଅତ୍ୟନ୍ତ ସଫଳ କରାଇଛନ୍ତି। ଶହୀଦ ସ୍ମୃତି ଭବନରେ ଉକ୍ତ ବିଭାଗର ଅତିରିକ୍ତ ଶାସନ ସଚିତ ସମ୍ବିତ୍ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ଚାନ୍ଦବାଲି ଡ଼. ବ୍ୟୋମକେଶ ରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ସଭାପତି ଜିଲ୍ଲା ପରିଷଦ ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲା ବେଳେ ମଞ୍ଚାସୀନ ଡ଼ି.ଆର.ଡ଼ି.ଏ.ର ପ୍ରକଳ୍ପ ଅଧିକାରୀ ସ୍ୱାଗତ ଭାଷଣ ଓ ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାର ଶିକ୍ଷା ବିଭାଗର ସାମଗ୍ରୀକ ଚିତ୍ରପଟ୍ଟ ଉପସ୍ଥାପନ କରିଥିଲେ। ବିଦ୍ୟାଳୟ ରୂପାନ୍ତରଣ ସାଙ୍ଗକୁ ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକମାନେ ନିଜକୁ ରୂପାନ୍ତର କରି ଗୁଣାତ୍ମକ ଶିକ୍ଷାଦାନ ସହ ସ୍କୁଲ ପରିବେଶକୁ ସୁନ୍ଦର କରିବାକୁ ସମସ୍ତ ଅତିଥି ପରାମର୍ଶ ଦେଇଥିଲେ। ସମ୍ମିଳନୀରେ ସାମିଲ କରାଯାଇଥିବା ୧୭୫ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ / ଶିକ୍ଷୟିତ୍ରୀ, ଜିଲ୍ଲାର ୧୩୮ ସି.ଆର.ସି.ସି, ବି.ଇ.ଓ, ଏ.ବି.ଇ.ଓ. ଆଦି ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ଦିଗ୍‌ଦର୍ଶନ ଦେବାକୁ ଯାଇ ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ଗଣଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

ବକ୍ତବ୍ୟ ପ୍ରସଙ୍ଗରେ ସେ କହିଥିଲେ ସମାଜରେ ଆମେ ଯିଏ ଯାହା ବି ପରିଚୟ ପାଇଛୁ ସବୁରି ମୂଳରେ ଶିକ୍ଷକ ମାନଙ୍କ ଦାନ ଅତୁଳନୀୟ। ଆମେ ଆଖି ବୁଜିଲେ ଯେପରି ଆମର ମହାନ ଶିକ୍ଷକମାନଙ୍କର ପ୍ରତଛବି ମନରେ ଆଙ୍କି ହୋଇଯାଉଛି ଆଜିର ଶିକ୍ଷକମାନେ ଏମିତି ଛାତ୍ର ତିଆରି କରନ୍ତୁ ଭବିଷ୍ୟତରେ ସେ ଆଖିବୁଜିଲା ବେଳେ ଯେପରି ଶିକ୍ଷକଙ୍କ ମୁହଁ ଦେଖାଯିବ। ସର୍ବ ଭାରତୀୟ ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଓଡ଼ିଶାର “ମୋ ସ୍କୁଲ” ଯୋଜନା ଉଚ୍ଚ ପ୍ରଶଂସିତ ହେବା ଆଧାରରେ ଭଦ୍ରକ ଜିଲ୍ଲାର ବାକି ରହିଥିବା ହାଇସ୍କୁଲ ଓ ପ୍ରାଇମେରୀ ସ୍କୁଲରେ ମୋ ସ୍କୁଲ ଯୋଜନା ସହିତ ଯୋଡ଼ିବା ପାଇଁ ବି.ଇ.ଓ.ମାନଙ୍କୁ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟକି ଜିଲ୍ଲା ୩୦୧ ହାଇସ୍କୁଲ ରୁ ୨୭୪, ପ୍ରାଥମିକ ୧୫୫୦ ରୁ ୯୮୪ ସ୍କୁଲ ମୋ ସ୍କୁଲ ଯୋଜନରେ ସାମିଲ ହୋଇଛି। ରାଜ୍ୟସ୍ତରରେ ୨୭, ୯୫୦ ପୁରାତନ ବିଦ୍ୟାର୍ଥୀକୁ ଏହି ଯୋଜନାରେ ଯୋଡ଼ା ଯାଇ ୨୫ କୋଟି ୮୨ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ମୋ ସ୍କୁଲ ଯୋଜନାରେ ମିଳି ପାରିଥିବା ସୂଚନା ପ୍ରଦାନ କରିଥିଲେ। ୨୦୧୬ ରୁ ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଡ଼୍ରିମ୍ ପ୍ରୋଜେକ୍ଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବ୍ୟବସ୍ଥାରେ ନୂଆ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେବାକୁ ଯାଇ ମନ୍ତ୍ରୀ ଜଣାଇଥିଲେ ଯେ ଭୁବନେଶ୍ୱରର ଅନ୍ଧାରୁଆ ଠାରେ ଆଇକନ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ଯେଉଁଥିରେ ଓଡ଼ିଶାର ୩୧୩ଟି ଆଦର୍ଶ ବିଦ୍ୟାଳୟର ବେଷ୍ଟ ୫୦୦ ବିଦ୍ୟାର୍ଥୀ ସେଠାରେ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରିବେ। ଆଦର୍ଶ ବିଦ୍ୟାଳୟ ବ୍ୟବସ୍ଥାରେ ଥିବା ହଷ୍ଟେଲ ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବାକୁ ଯାଉଛି ବୋଲି ଜଣାଇଥିଲେ। ସର୍ବଭାରତୀୟ ସି.ବି.ଏସ୍‌.ଇ.ରେ ର‌୍ୟାଙ୍କ ମଧ୍ୟରେ ଓଡ଼ିଶାର ବଲାଙ୍ଗୀର ଓ ପାତ୍ରପଡ଼ା ଆଦର୍ଶ ବିଦ୍ୟାଳୟ ତାଲିକାଭୁକ୍ତ ହେବା ଆମ ପାଇଁ ଗୌରବର କଥା ବୋଲି କହିଥିଲେ। ବିଦ୍ୟାଳୟରେ ଶିକ୍ଷକ ଓ ପିଲାଙ୍କ ଅନୁପାତ ନେଇ ଜାତୀୟ ହାର ୩୨ ପିଲାଙ୍କୁ ଜଣେ ଶିକ୍ଷକ ଥିବା ବେଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ତିହିଡ଼ି ବ୍ଲକରେ ୨୮ ପିଲାଙ୍କୁ ଜଣେ ଓ ଅନ୍ୟ ବ୍ଲକ୍ ମାନଙ୍କରେ ୨୨ ପିଲା ଓ ୨୪ ପିଲାଙ୍କୁ ଜଣେ ଶିକ୍ଷକ ଥିବାରୁ ଶିକ୍ଷକ ଅଭାବ ନେଇ ଗୁରୁତର ସମସ୍ୟା ନଥିବ ବୋଲି ପ୍ରକାଶ କରିଥିଲେ। ମହାମାରୀ କରୋନା ଯୋଗୁଁ ୩ୟ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ପିଲମାନେ ପୂର୍ବ ଶ୍ରେଣୀମାନଙ୍କର ପାଠ ପଢ଼ାରୁ ବଞ୍ôଚତ ହୋଇଛନ୍ତି ସେମାନଙ୍କ ପାଇଁ ପ୍ରଚଳନ କରାଯାଇଥିବା ଶିକ୍ଷା ଭରଣା କାର୍ଯ୍ୟକ୍ରମ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବୁଝାଇଥିଲେ।

୮୦ କୋଟି ଟଙ୍କା ବ୍ୟୟରେ ଶିକ୍ଷା ଭରଣା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଟେଣ୍ଡର ମାଧ୍ୟମରେ ୪୫ ଲକ୍ଷ ପିଲାଙ୍କ ଶିକ୍ଷା ଭରଣା ପାଇଁ ଟେଣ୍ଡର ଧାରୀ ଦ୍ୱାରା ରାଜ୍ୟରେ ୧୨ ହଜାର ୫୦୦ ଶିକ୍ଷକ ନିଯୁକ୍ତ କରି ୨ ଲକ୍ଷ ୫୦ ହଜାର ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଇ ପିଲାଙ୍କ ଓଡ଼ିଆ, ଇଂରାଜୀ, ଗଣିତ, ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଆଜିର ଶିକ୍ଷକମାନେ କୌଣସି ଗୁଣରେ ଅନ୍ୟ ଶିକ୍ଷକ ଠାରୁ କମ୍ ନୁହଁନ୍ତି ବୋଲି କହିଥିଲେ। ସ୍କୁଲ ରୂପାନ୍ତରଣ ନେଇ ଅଦ୍ୟାବଧି ୨ ଲକ୍ଷ ବିଦ୍ୟାର୍ଥୀଙ୍କୁ ଘରୋଇ ସ୍କୁଲରୁ ସରକାରୀ ସ୍କୁଲକୁ ଅଣାଯିବା ଘଟଣା ଅଭିଭାବକମାନଙ୍କ ଆସ୍ଥା ଫେରାଇ ଆଣିବାକୁ ଆମ ଶିକ୍ଷା ବ୍ୟବସ୍ଥା ସକ୍ଷମ ହୋଇଛି ବୋଲି କହିଥିଲେ। ଆଜିର ଶିକ୍ଷା ଦାନରେ ଟେକ୍ନୋଲୋଜି ପ୍ରଚଳନ ଯୋଗୁ ସବୁ ଶିକ୍ଷକମାନଙ୍କୁ ପଢ଼ିବାକୁ ପଡ଼ିବ ନଚେତ୍ ସେମାନେ ଏବେର ପିଲାଙ୍କୁ ପଢ଼ାଇ ପାରିବେ ନାହିଁ। ପ୍ରତିଦିନ ଆସୁଥିବା ସବୁ ନୂଆ ନୂଆ କଥା ସହିତ ସାମିଲ ହେବାକୁ ପଡ଼ିବ। ସ୍କୁଲର ଭଲ ଫଳାଫଳ ପାଇଁ ବର୍ଷ ଆରମ୍ଭରୁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଯେଉଁ ବିଷୟରେ ଅଧିକ ପିଲା ଖରାପ ପ୍ରଦର୍ଶନ କରିବେ ସେହି ବିଷୟ ଶିକ୍ଷକଙ୍କ ଦାୟିତ୍ୱବୋଧତା ନେଇ ପ୍ରଶ୍ନ କରାଯିବାକୁ ବ୍ୟବସ୍ଥା କରାଯିବ ବୋଲି ତାଗିଦ୍ କରିଥିଲେ। ସି.ଆର.ସି.ସି.ମାନେ ନିଜକୁ ଅଧିକାରୀ ନମଣି ପ୍ରତିଦିନ ଅତିକମ୍‌ରେ ଗୋଟିଏ କ୍ଲାସ ଶିକ୍ଷାଦାନ କରିବାକୁ ପରାମର୍ଶ ଦେବା ସହିତ ଜଣେ ୫ ବର୍ଷରୁ ଅଧିକ ସି.ଆର.ସି.ସି. ରହି ନପାରିବା ବ୍ୟବସ୍ଥା କଥା କହିଥିଲେ। ବିଶେଷ କରି ୨୦୩୬ ବେଳକୁ ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ବେଳକୁ ଭାରତର ଅଗ୍ରଣୀ ରାଜ୍ୟ ମଧ୍ୟରେ ଓଡ଼ିଶାକୁ ୧ନଂ ରେ ସ୍ଥାନିତ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସଫଳ କରିବା ପାଇଁ ସର୍ବପ୍ରଥମେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରାଯିବା ସହ ଶିକ୍ଷାଦାନ ବ୍ୟବସ୍ଥାରେ ଅଣାଯାଇଥିବା ସମସ୍ତ ସୁଧାର ପରିପାଳନରେ ମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବାସୁଦେବପୁର ବି.ଇ.ଓ ଜଗବନ୍ଧୁ ସାହୁ ଅତିଥି ପରିଚୟ ଦେଇଥିଲା ବେଳେ ଏ.ଡ଼ି.ଇ.ଓ ଦୀପକ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।