Odiapua.com

ଆମ୍ବୁଲାନ୍ସରୁ ୫୦ କେଜି ଗଂଜେଇ ଜବତ, ୨ ଅଟକ

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଦିନକୁ ଦିନ ବ୍ରାଉନସୁଗାର, ଦେଶୀ -ବିଦେଶୀ ମଦ ଓ ଗଂଜେଇ ଭଳି ମାଦକ ଦ୍ରବ୍ୟର ଚାହିଦା ବଢିବାରେ ଲାଗିଛି । ଏବଂ ଏଥିରେ ବହୁ ଯୁବପିଢି ମଧ୍ୟ ସାମିଲ ଥିବାର ଦେଖାଯାଉଛି । କୋଟି କୋଟି ଟଙ୍କାର ବ୍ରାଉନସୁଗାର ଓ ଗଂଜେଇ ଜବତ କରାଯାଉଥିବାବେଳେ ବେଆଇନ୍ ଦେଶୀ ଓ ବିଦେଶୀ ମଦ ଜବତ ନିତିଦିନିଆ ଘଟଣା ହୋଇଗଲାଣି । ଗତ କିଛିମାସ ପୂର୍ବେ ଭଦ୍ରକ ସହରର ଏକ ଆମ୍ବୁଲାନ୍ସରେ କିଛି ନିଶାଖୋର ଯୁବକ ବ୍ରାଉନସୁଗାର ନିଶା ସେବନ କରୁଥିବାର ଭିଡିଓ ଭାଇରାଲ ହୋଇଥିବାବେଳେ ଗତକାଲି ରାତିରେ ଏକ ଆମ୍ବୁଲାନ୍ସରୁ ୫୦ କେଜି ଗଂଜେଇ ଜବତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ରାତିରେ ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଉର୍ଦ୍ଧ୍ୱ ଗଂଜେଇ ଚୋରାଚାଲାଣ ହେଉଥିବା ନେଇ ପୁଲିସ୍‌କୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ଆମ୍ବୁଲାନ୍ସଟି ଗଂଜେଇ ନେଇ କଟକରୁ ଭଦ୍ରକ ଅଭିମୁଖେ ଆସୁଥିବା ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡ୍‌କୁ ଆସିଥିଲା ପୁଲିସ୍ । ଭଦ୍ରକ ଟାଉନ୍ ଥାନା ପୁଲିସ୍ ବନ୍ତ ଛକ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଏବଂ ସେଥିରୁ ପ୍ରାୟ ୫୦ କେଜିରୁ ଅଧିକ ଗଂଜେଇ ଜବତ ହୋଇଥିଲା । ଗଂଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଡ୍ରାଇଭର ସମେତ ଜଣଙ୍କୁ ଅଟକ ରଖିବା ସହ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିବାର ଜଣାପଡିଛି ।