Odiapua.com

ଆମେରିକା ଆଉ ଚାଇନା: ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ; ସତର୍କ ଭାରତ ..

ନୂଆଦିଲ୍ଲୀ: ଘାତକ କରୋନା ଭାଇରସ୍ ପାଇଁ ଆଜି ସାରା ବିଶ୍ଵ ଆତଙ୍କିତ। ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନାହିଁ। ଚାଇନାରୁ ଆରମ୍ଭ ଏହି ମହାମାରୀ ଆଜି ଆମେରିକା, ୟୁରୋପ ରାଷ୍ଟ୍ର ସମୂହରେ ତାଣ୍ଡବ ସୃଷ୍ଟି କରିଛି। ନିଜକୁ ସୁପରପାୱାର ଭାବୁଥିବା ଆମେରିକାର ସ୍ଥିତି ଅତ୍ୟନ୍ତ ଭୟଙ୍କର। ତେବେ ଏ’ ଭିତରେ ଭାରତ ଆମକୁ ସାହାଯ୍ୟ କଲେ ଭଲ, ନହେଲେ ଆମଠୁ ମଧ୍ୟ ସମାନ ପ୍ରତିକ୍ରିୟା ଆଶା କରୁ ବୋଲି ଆମେରିକା କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ମେଡିସିନ ଯୋଗାଣରେ ସାହାଯ୍ୟ ମାଗିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲି। ଯଦି ସେମାନେ ଆମେରିକାକୁ ସେହି ମେଡିସିନ ଯୋଗାଣ ପାଇଁ ଅନୁମତି ଦିଅନ୍ତି, ତେବେ ଆମେ ସେମାନଙ୍କ ପଦକ୍ଷେପକୁ ପ୍ରଶଂସା କରିବୁ। ଆଉ ଯଦି ସେମାନେ ସହଯୋଗ ନକରନ୍ତି ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆମଠାରୁ ମଧ୍ୟ ସେମାନେ ସମାନ ପ୍ରତିକ୍ରିୟା ଆଶା ରଖନ୍ତୁ। ଏହାକୁ ଭାରତକୁ ଆମେରିକାର ଏକ ପ୍ରକାର ପରୋକ୍ଷ ଧମକ ବୋଲି କୁହାଯାଉଛି।

ଭାରତ ଆମକୁ ସାହାଯ୍ୟ କଲେ ଭଲ, ନହେଲେ ଆମଠୁ ମଧ୍ୟ ସମାନ ପ୍ରତିକ୍ରିୟା ଆଶା ରଖୁ : ଆମେରିକା


ଏହାର ଉତ୍ତରରେ, ପ୍ରଥମେ ଦେଶ କଥା ଚିନ୍ତା କରାଯିବ ପରେ ଅନ୍ୟ ଦେଶ କଥା ଚିନ୍ତା କରାଯିବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଆବଶ୍ୟକୀୟ ଔଷଧକୁ ଦେଶରେ ଷ୍ଟକ୍ ରଖିବା ହିଁ ସବୁଠାରୁ ବଡ ପ୍ରାଥମିକତା। ଯାହା ଫଳରେ ଦେଶବାସୀଙ୍କୁ ଏହାର ସୁଫଳ ମିଳିପାରିବ। ସେଥିପାଇଁ ଏହାର ରପ୍ତାନୀକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ପରିସ୍ଥିତିକୁ ନଜରରେ ରଖି ସରକାର ପ୍ରଥମେ ୨୪ଟି ଔଷଧ ଉପରୁ ପ୍ରତିବନ୍ଧ ହଟାଇବା ପରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ଏବଂ ପାରାସିଟାମଲକୁ ଆମେରିକା ସମେତ ଅନ୍ୟାନ୍ୟ ଦେଶ ଲାଗି ଉପଲବ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସରକାର ଡିଜିଏଫଟି ନିୟମରେ ପରିବର୍ତ୍ତନ ମଧ୍ୟ କରିଛନ୍ତି। ସଂଶୋଧିତ ନିୟମ ଅନୁସାରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍‌ ଓ ପାରାସିଟାମଲକୁ ପୁଣିଥରେ ଲାଇସେନ୍ସ କ୍ୟାଟୋଗରିକୁ ଆଣିଛନ୍ତି। ଫଳରେ ଭାରତ ଏବେ କରୋନା ପ୍ରଭାବିତ ଦେଶମାନଙ୍କୁ ଏହି ଔଷଧ ଯୋଗାଇ ଦେଇପାରିବ। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରାଳୟଙ୍କ ସୁପାରିଶରେ ଡିଜିଏଫଟି କେବଳ ବିଶେଷ ପରିସ୍ଥିତିରେ ଏପରି ଔଷଧ ରପ୍ତାନୀକୁ ଅନୁମତି ଦେଉଥିଲେ।

କିଛି ପ୍ରାଥମିକ ଫଳାଫଳକୁ ଆଧାର କରି କରୋନା ଜୀବାଣୁ ଚିକିତ୍ସା ପାଇଁ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ମେଡିସିନ ବ୍ୟବହାର ଉପରେ ଟ୍ରମ୍ପ ପ୍ରଶାସନ ଗୁରୁତ୍ୱାରୋପ କରୁଛି। ଏହି ମେଡିସିନ ଦଶନ୍ଧି ଧରି ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ହୋଇଆସୁଛି। ଟ୍ରମ୍ପଙ୍କ କହିବାନୁସାରେ ଏହି ମେଡିସିନର ସକାରାତ୍ମକ ଫଳାଫଳ ରହିଛି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଏହା ସଫଳ ହୁଏ ତେବେ ଏହା ସ୍ୱର୍ଗରୁ ଆସିଥିବା ଉପହାର ପରି ହେବ। କରୋନା ଜୀବାଣୁ ଚିକିତ୍ସାରେ ଏହା ଏକ ସଫଳ ମେଡିସିନ ହେବାର ଆଶାରେ ଆମେରିକା ପ୍ରାୟ ୨୯ ନିୟୁତ ଡୋଜ ଷ୍ଟକ୍ କରିସାରିଛି। ଏହାସହ ଟ୍ରମ୍ପ ମୋଦୀଙ୍କୁ ଅନୁରୋଧ କରିଛନ୍ତି ଯେ ଆମେରିକାକୁ ଲକ୍ଷ ଲକ୍ଷ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ଡୋଜ୍ ସପ୍ଲାଏ କରନ୍ତୁ। ସୂଚନାଯୋଗ୍ୟ ଯେ ଭାରତ ଏହି ମେଡିସିନ ବହୁ ପରିମାଣରେ ଉତ୍ପାଦନ କରିଥାଏ।

କିନ୍ତୁ, ପରିସ୍ଥିତି ଏବେ ଯେପରି, ପ୍ରଥମେ ନିଜେ ବଞ୍ଚିଲେ ତ’ ପରକୁ ବଞ୍ଚାଇବା କଥା ଚିନ୍ତା କରିବା? ଭାରତ ତୁଳନାରେ ଆମେରିକାରେ ସ୍ଥିତି ନିଶ୍ଚିତ ଭୟଙ୍କର। କିନ୍ତୁ ଆମେରିକା ପାଖରେ ଅନେକ ସାଧନ ରହିଛି। ଆଉ ଏମିତିରେ ଦେଖିବାକୁ ଗଲେ ଆଗାମୀ ଦିନରେ ଭାରତର ସ୍ଥିତି କ’ଣ ହେଉଛି କିଛି କହି ହେଉନି। ତେଣୁ ଭାରତ ପ୍ରଥମେ ତ’ ନିଜ ନାଗରୀକଙ୍କ କଥା ଚିନ୍ତା କରିବ? ଏମିତିରେ ଏଇ କରୋନା ଆତଙ୍କ ଭିତରେ ଚାଇନା ଏବଂ ଇଟାଲି ଘଟଣାରୁ ଏକ ଶିକ୍ଷା ମିଳିସାରିଛି। ଚାଇନାର ୱୁହାନ ସହରରୁ ଆରମ୍ଭ ହୋଇ କରୋନା ଯେତେବେଳେ ଚାଇନାରେ ଦ୍ରୁତ ଗତିରେ ବ୍ୟାପିଥିଲା, ସେତେବେଳେ ଇଟାଲୀ ଚାଇନାକୁ ସାହାଯ୍ୟ କରିବାକୁ ହାତ ବଢ଼ାଇଥିଲା। ଇଟାଲୀ ଚାଇନାକୁ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (PPE) ଦାନ କରିଥିଲା। କିନ୍ତୁ ଏବେ ଯେତେବେଳେ ଇଟାଲୀରେ କରୋନା ପ୍ରକୋପ ବଢ଼ିଚାଲିଲା ବରଂ ଚାଇନାରେ କମିଗଲା ସେତେବେଳେ PPEର ଅତ୍ୟଧିକ ଆବଶ୍ୟକତା କଲା ଇଟାଲୀ। କିନ୍ତୁ, ଏହି ସମୟରେ ଇଟାଲୀଠାରୁ ପାଇଥିବା ଦାନ ଉପକରଣକୁ ଇଟାଲୀକୁ ବିକ୍ରି କରୁଛି ଚାଇନା। ଚାଇନାର ୱୁହାନରୁ ବିସ୍ତାରିତ କରୋନା ଜୀବାଣୁ ୟୁରୋପର ଇଟାଲୀକୁ ବହୁ ପ୍ରଭାବିତ କରିଛି। ୧୬,୦୦୦ରୁ ଉର୍ଦ୍ଧ୍ଵ ଲୋକ ଏଠାରେ ପ୍ରାଣ ହରାଇ ସାରିଲେଣି। ଏଠାରେ ଡାକ୍ତର ଏବଂ ନର୍ସମାନେ ମଧ୍ୟ ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି ସଙ୍କଟ ସମୟରେ ମାନବିକତାର ମାସ୍କ ପିନ୍ଧି ଇଟାଲୀକୁ ପିପିଏ ଦାନ କରିବ ବୋଲି ଚୀନ୍ ବିଶ୍ୱକୁ ଦର୍ଶାଇଛି। କିନ୍ତୁ ଚୀନ୍‌ର ଆଶ୍ଚର୍ଯ୍ୟଜନକ ବାସ୍ତବତା ସାମ୍ନାକୁ ଆସିଛି। ରିପୋର୍ଟରୁ ଜଣାପଡିଛି ଯେ ଚୀନ୍ ଇଟାଲୀକୁ ପିପିଏ ଦାନ କରିନାହିଁ ବରଂ ଏହାକୁ ବିକ୍ରି କରିଛି। ଆମେରିକା ହେଉ ଅବା ଚାଇନା, ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। କେବଳ ନିଜ ସ୍ୱାର୍ଥ ନିଜ ଫାଇଦା କଥା ଚିନ୍ତା କରନ୍ତି ଏମାନେ। ତେଣୁ, ଭାରତ ଆମେରିକାକୁ ହେଉ ଅବା ଅନ୍ୟ କୌଣସି ଦେଶକୁ ସାହାଯ୍ୟ କରିବା ପୂର୍ବରୁ ଚାଇନା – ଇଟାଲି ଘଟଣାରୁ ଶିକ୍ଷା ନେଇ ପ୍ରଥମେ ନିଜ ଦେଶ କଥା ତ’ ଚିନ୍ତା କରିବା ଉଚିତ୍।

ଚାଲବାଜ୍ ଚାଇନାର ଆଉ ଏକ ନୀଚ ପ୍ରକୃତି ..


/- ଦେବଦତ୍ତ ରଥ